ଗୌତମ ଆଦାନୀଙ୍କୁ ପୁଣି ବଡ଼ ଝଟକା, ଲାଞ୍ଚ ଅଭିଯୋଗ ପରେ ଧନୀ ତାଲିକାରେ ତିନି ସ୍ଥାନ ତଳକୁ ଖସିଲେ

Published By : Prameya-News7 Bureau | November 21, 2024 IST

ନୂଆଦିଲ୍ଲୀ: ଗୌତମ ଆଦାନୀଙ୍କୁ ପୁଣି ଆଉ ଏକ ଝଟକା। ଭାରତର ଦ୍ବିତୀୟ ସବୁଠୁ ଧନୀ ବ୍ୟକ୍ତି ତଥା ଶିଳ୍ପପତି ଗୌତମ ଆଦାନୀଙ୍କ ସମୁଦାୟ ସମ୍ପତ୍ତିରେ ବଡ଼ ହ୍ରାସ ହୋଇଛି। ଗୁରୁବାର ଗୋଟିଏ ଦିନରେ ଗୌତମ ଆଦାନୀ ସହିଛନ୍ତି ୧୨.୧ ଲକ୍ଷ କୋଟି ଟଙ୍କାର କ୍ଷତି। ସେହିଭଳି ଗ୍ରୁପର ସମସ୍ତ ୧୦ଟି କମ୍ପାନିର ମାର୍କେଟ କ୍ୟାପ ମଧ୍ୟ ୨.୧୯ ଲକ୍ଷ କୋଟି ଟଙ୍କା କମିଛି। 

ଫୋର୍ବସ ତାଲିକାରେ ୨୫ ତମ ସ୍ଥାନକୁ ଖସିଲେ ଗୌତମ ଆଦାନୀ

ଲାଞ୍ଚ ଦେବା ଏବଂ ଠକେଇ ଅଭିଯୋଗ ପରେ ଫୋର୍ବସର ରିୟଲ ଟାଇମ ବିଲେନିୟର ତାଲିକାରେ ତିନି ସ୍ଥାନ ତଳକୁ ଖସିଛନ୍ତି ଆଦାନୀ । ଏବେ ସେ ଏହି ଲିଷ୍ଟରେ ୨୫ ସ୍ଥାନରେ ଅଛନ୍ତି। ପୂର୍ବରୁ ସେ ୨୨ ତମ ସ୍ଥାନରେ ରହିଥିଲେ। ଫୋର୍ବସର ରିୟଲ ଟାଇମ ବିଲେୟନର ତାଲିକା ଅନୁଯାୟୀ, ତାଙ୍କର ସମୁଦାୟ ସମ୍ପତ୍ତିରେ ଗୁରୁବାର ୧୭.୩୪ ପ୍ରତିଶତ ହ୍ରାସ ହୋଇଛି। ଅର୍ଥାତ ଗୋଟିଏ ଦିନରେ ତାଙ୍କ ସମ୍ପତ୍ତି ୧୨.୧ ଲକ୍ଷ କୋଟି ଡଲାର ହ୍ରାସ ହୋଇଛି । ଏବେ ତାଙ୍କର ସମୁଦାୟ ସମ୍ପତ୍ତି ୫୭.୭ କୋଟି ଡଲାର ।

ତେବେ ଗ୍ରୁପର ସେୟାର କଥା ଦେଖିଲେ, ଆଦାନୀ ଏଣ୍ଟରପ୍ରାଇଜେସର ସେୟାର ୨୨.୬୧ ପ୍ରତିଶତ ଖସିଛି, ଆଦାନୀ ଏନର୍ଜୀ ସଲ୍ୟୁସନ ୨୦ ପ୍ରତିଶତ, ଆଦାନୀ ଗ୍ରୀନ ଏନର୍ଜୀର ସେୟାର ୧୮.୮୦ ପ୍ରତିଶତ, ଆଦାନୀ ପୋର୍ଟସର ସେୟାର ୧୩.୫୩ ପ୍ରତିଶତର ହ୍ରାସ ସହ ବନ୍ଦ ହୋଇଛି। ସେହିଭଳି ଅମ୍ବୁଜା ସିମେଣ୍ଟସ ୧୧.୯୮ ପ୍ରତିଶତ ତଳେ ରହିଛି ଏବଂ ଅଦାନୀ ଟୋଟଲ ଗ୍ୟାସର ସେୟାର ୧୦.୪୦ ପ୍ରତିଶତ ଖସିଛି। ଆଦାନୀ ଓ୍ବିଲମାରର ସେୟାର ୯.୯୮ ପ୍ରତିଶତ, ଆଦାନୀ ପାଓ୍ବାରର ସେୟାର ୯.୧୫ ପ୍ରତିଶତ, ଏସିସିର ସେୟାର ୭.୨୯ ପ୍ରତିଶତ ଏବଂ ଏନଡିଟିଭିର ସେୟାର ୦.୦୬ ପ୍ରତିଶତ ଖସିଛି।

ଆମେରିକାରେ ଆଦାନୀଙ୍କ ଉପରେ ବଡ଼ ଅଭିଯୋଗ

ପ୍ରକୃତରେ ଗୌତମ ଆଦାନୀଙ୍କ ଉପରେ ଆମେରିକାର ଓକିଲ ଅଭିଯୋଗ ଆଣିଛନ୍ତି ଯେ, ସେ ଭାରତରେ ସୋଲାର ଏନର୍ଜୀ କ୍ଷେତ୍ରରେ ଡିଲ୍ ପାଇଁ ଥିବା ସର୍ତ୍ତ ବଦଳରେ ଭାରତୀୟ ଅଧିକାରୀଙ୍କୁ ୨୫ କୋଟି ଡଲାର ଲାଞ୍ଚ ଦେଇଛନ୍ତି। ଏହି ମାମଲା ଆମେରିକାରେ ହୋଇଥିଲା। କାରଣ ଏହି ଡିଲ୍ରେ ଆମେରିକୀୟ ନିବେଶକଙ୍କ ଟଙ୍କା ଲାଗିଥିଲା। ଆମେରିକୀୟ ଆଇନ ଅନୁଯାୟୀ, ସେହି ଟଙ୍କାକୁ ଲାଞ୍ଚ ଭାବରେ ବ୍ୟବହାର କରାଯାଇଥିଲା।

ଯାହାପରେ ଆଦାନୀଙ୍କ ସେୟାର ଏବଂ ସମ୍ପତ୍ତିରେ ଏହି ବଡ଼ ହ୍ରାସ ଦେଖିବାକୁ ମିଳିଛି। ଅବଶ୍ୟ ଆଦାନୀ ଗ୍ରୁପ ଆମେରିକା ଅଧିକାରୀଙ୍କ ଦ୍ବାରା ଲଗାଯାଇଥିବା ଲାଞ୍ଚ ଅଭିଯୋଗକୁ ଖଣ୍ଡନ କରିବା ସହ କହିଛି ଏହି ଅଭିଯୋଗ ନିରାଧାର। ଗ୍ରୁପ୍ ସବୁ ଆଇନ କାନୁନକୁ ପାଳନ କରୁଛି। ସୂଚନାଥାଉକି, ପୂର୍ବରୁ ଜାନୁଆରୀ ୨୦୨୩ରେ ଆମେରିକୀୟ କମ୍ପାନି ହିଣ୍ଡେନବର୍ଗ ଦ୍ବାରା ଜାରି ରିପୋର୍ଟ ପରେ ହୋଇଥିବା କ୍ଷତି ଠାରୁ ଏହି କ୍ଷତି ଦୁଇଗୁଣା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.