ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଗୁରୁବାର ଶ୍ରୀମନ୍ଦିର ସେବାୟତ ରାଜକୁମାର ଦଇତାପତିଙ୍କୁ ଅଗ୍ରିମ ଜାମିନ ପ୍ରଦାନ କରିଛନ୍ତି । ୩ ସପ୍ତାହ ଭିତରେ ଆର୍ବିଆଇରେ ସୁଧ ସମେତ ୨୦ ଲକ୍ଷ ଟଙ୍କା ଜମା କରିବା ସର୍ତ୍ତରେ ଅଗ୍ରିମ ଜାମିନ ଦେଇଛନ୍ତି । ଆବେଦନକାରୀ ଶ୍ରୀ ଜଗନ୍ନାଥ ମନ୍ଦିରରେ ପିଢିଗତ (generational priest) ସେବକ ବୋଲି କୁହାଯାଇଛି । ତାଙ୍କ ବିରୋଧରେ କିଛି ବିଦେଶୀ ନାଗରିକଙ୍କ ଦ୍ୱାରା ରୁଜୁ କରାଯାଇଥିବା ଏଫ୍ଆଇଆର୍ ଉପରେ ପିଏମ୍ଏଲ୍ଏ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।
ଏକ ନିର୍ଦ୍ଦିଷ୍ଟ ପ୍ରୋପର୍ଟିର ବିକ୍ରି ମାମଲାରେ କୁଲଦୀପ ଶର୍ମା ଏବଂ ତାଙ୍କ ପତ୍ନୀ ଅପର୍ନା ଶର୍ମାଙ୍କ ବିରୋଧରେ ୨୩୨,୫୬୮ ଆମେରିକୀୟ ଡଲାର ଠକେଇ ଏବଂ ଜାଲିଆତି ନେଇ କିଛି ବିଦେଶୀ ନାଗରିକ ଅଭିଯୋଗ ଆଣିଥିଲେ । ଅଭିଯୋଗ ଅନୁସାରେ ଅଭିଯୁକ୍ତଙ୍କୁ ବିଦେଶୀ ନାଗରିକଙ୍କ (ଅଭିଯୋଗକାରୀ) ଠାରୁ ମାମଲାର ଦେଖାଶୁଣା କରିବା, ବୁଝାମଣା କରିବା ଏବଂ ଟଙ୍କା ଗ୍ରହଣ କରିବାରେ ମଧ୍ୟସ୍ଥି ରୂପେ କାର୍ଯ୍ୟ କରିବା ପାଇଁ ପାୱାର ଅଫ୍ ଆର୍ଟର୍ଣ୍ଣି ମିଳିଥିଲା ।
ପ୍ରଧାନ ବିଚାରପତି ଜଷ୍ଟିସ୍ ସଞ୍ଜୀବ ଖାନ୍ନାଙ୍କ ଖଣ୍ଡପୀଠ ଶୁଣାଣି ବେଳେ କହିଛନ୍ତି, ଦୁଇ ପକ୍ଷଙ୍କ ମଧ୍ୟରେ ହୋଇଥିବା ବୁଝାମଣା ଅନୁସାରେ ବିଦେଶୀ ନାଗରିକଙ୍କ ପାଇଁ ଆବେଦନକାରୀ ୯୨ ଲକ୍ଷ ଟଙ୍କା ପାଇବାର ଥିଲା । କିନ୍ତୁ ସେ ଆରବିଆଇରେ କେବଳ ୮୦ ଲକ୍ଷ ଟଙ୍କା ଡିପୋଜିଟ୍ କରିଛନ୍ତି । ୩ ସପ୍ତାହ ମଧ୍ୟରେ ସୁଧ ସହ ୨୦ ଲକ୍ଷ ଟଙ୍କା ଆରବିଆଇରେ ଜମା କରିବାକୁ ସର୍ତ୍ତ ରଖି ଆବେଦନକାରୀଙ୍କୁ ସୁପ୍ରିମକୋର୍ଟ ଅଗ୍ରିମ ଜାମିନ ଦେଇଛନ୍ତି । ଆବେଦନକାରୀ ୨୦ ଲକ୍ଷ ଟଙ୍କା ପୈଠ କରିବା ପରେ ହିଁ ବିଦେଶୀ ନାଗରିକଙ୍କ ତାଙ୍କ ଟଙ୍କା ଉଠାଇପାରିବେ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଶୁଣାଣି ବେଳେ ଆବେଦନକାରୀଙ୍କ ପାଇଁ ବରିଷ୍ଠ ଆଇନଜୀବୀ ଆତ୍ମାରାମ ନାଡକର୍ଣ୍ଣି, AOR ଏସ୍ଏସ୍ ରେବେଲୋ ଏବଂ ଆଇନଜୀବୀ ରାଘବ ଶର୍ମା ପକ୍ଷ ରଖିଥିଲେ ।