ଭାରତୀୟ ଭାବେ IPLରେ ଦ୍ଵିତୀୟ ଦ୍ରୁତତମ ଶତକ ହାସଲ କଲେ ପ୍ରିୟାଂଶ, ଅଳ୍ପକେ ବର୍ତ୍ତିଲା ୟୁସୁଫଙ୍କ ରେକର୍ଡ

Published By : Prameya-News7 Bureau | April 08, 2025 IST

ଚଣ୍ଡିଗଡ଼: ପଞ୍ଜାବ କିଙ୍ଗ୍ସର ଯୁବ ବ୍ୟାଟର ପ୍ରିୟାଂଶ ଆର୍ଯ୍ୟ ଆଇପିଏଲ୍‌ରେ ଧମାଲ କରିଛନ୍ତି। ସେ ଆଇପିଏଲ୍‌ର ୨୨ତମ  ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ମାତ୍ର ୩୯ ବଲ୍‌ରୁ ଶତକ ହାସଲ କରିଛନ୍ତି। ପ୍ରିୟାଂଶ ଚେନ୍ନାଇର ପ୍ରତିଟି ବୋଲରଙ୍କୁ ନିର୍ଧୁମ ପ୍ରହାର କରି ଛକା-ଚୌକା ବର୍ଷା କରିଛନ୍ତି। ସେ ଆର ଅଶ୍ଵିନ ହୁଅନ୍ତୁ କି ନୂର ଅହମ୍ମଦ ବା ମଥିଶା ପଥିରାନା ସବୁ ବୋଲରଙ୍କ ବିପକ୍ଷରେ ଧୂଆଁଧାର ବ୍ୟାଟିଂ କରିଛନ୍ତି। ହେଲେ ଶତକ ହାସଲ କରିବାର ଠିକ୍ ପରେ ବଡ ସଟ୍ ଖେଳିବା ପ୍ରୟାସରେ ନୂର ଅହମ୍ମଦଙ୍କ ବଲରେ ଆଉଟ୍ ହୋଇଥିଲେ ପ୍ରିୟାଂଶ ଆର୍ଯ୍ୟ।

Also read: ଋଷଭ ପନ୍ତଙ୍କଠୁ ୮ ଗୁଣ କମ ମୂଲ୍ୟ, ହେଲେ ପ୍ରଦର୍ଶନ ୧୪ ଗୁଣ ଅଧିକ; ୫ ଇନିଂସରୁ ହାସଲ କଲେଣି ୪ ଅର୍ଦ୍ଧଶତକ

ସେ ପଡ଼ିଆକୁ ଓହ୍ଲାଇବା ମାତ୍ରେ ବିସ୍ଫୋରକ ବ୍ୟାଟିଂ କରିଥିଲେ। ଗୋଟିଏ ପଟେ ଲଗାତାର ଓ୍ଵିକେଟ୍ ଖସି ଚାଲିଥିଲେ ହେଁ ଅନ୍ୟ ପଟେ ପ୍ରିୟାଂଶଙ୍କ ବ୍ୟାଟ୍ ଥମିବାର ନାଁ ଧରି ନ ଥିଲା। ପ୍ରିୟାଂଶ ୧୯ ବଲ୍‌ରୁ ଅର୍ଦ୍ଧଶତକ ପୂରଣ କରିଥିଲେ। ଏହି ବ୍ୟାଟର ୧୩ତମ ଓଭରରେ ନିଜର ଶତକ ପୂରଣ କରିଥିଲେ।। ଯେମିତି ଏହି ଯୁବ ବ୍ୟାଟର ଶତକ ପୂରା କଲେ ପଞ୍ଜାବର ସହ ମାଲିକାଣୀ ପ୍ରୀତି ଜିଣ୍ଟା ଖୁସିରେ ଝୁମି ଉଠିଥିଲେ। ପ୍ରିୟାଂଶ ୪୨ ବଲରୁ ୧୦୩ ରନ ଖେଳି ଆଉଟ୍ ହୋଇଥିଲେ। ତାଙ୍କର ଏହି ଶତକୀୟ ଇନିଂସରେ ନିଂସରେ ୯ ଛକା ଓ ୭ ଚୌକା ସାମିଲ୍। 

କେବଳ ସେତିକି ନୁହେଁ ପ୍ରିୟାଂଶ ଭାରତୀୟ ବ୍ୟାଟର ଭାବେ ଆଇପିଏଲ୍‌ରେ ଦ୍ଵିତୀୟ ଦ୍ରୁତତମ ଶତକ ହାସଲ କରିଛନ୍ତି। ତାଙ୍କ ପୂର୍ବରୁ ୟୁସୁଫ ପଠାନ ମାତ୍ର ୩୭ ବଲ୍‌ରେ ଦ୍ରୁତତମ ଶତକ ହାସଲ କରିଥିଲେ। ୨୦୧୦ରେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ୟୁସୁଫ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ୍‌ରେ ଏହି ରେକର୍ଡ ନିଜ ନାଁରେ କରିଥିଲେ। 

ଆଇପିଏଲ୍ ଇତିହାସରେ ପ୍ରିୟାଂଶ ନବମ ଅନକ୍ୟାପଡ୍ ଖେଳାଳି ଭାବେ ଶତକ ଅର୍ଜନ କରିଛନ୍ତି। ଏହା ପୂର୍ବରୁ ସନ ମାର୍ଶ, ମନୀଷ ପାଣ୍ଡେ, ପଲ୍ ବାଲଥାଟି, ଦେବଦତ୍ତ ପାଡିକଲ, ରଜତ ପାଟିଦାର, ଯଶସ୍ଵୀ ଜୟସ୍ଵାଲ ଓ ପ୍ରଭସିମରନ ସିଂ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବା ପୂର୍ବରୁ ଆଇପିଏଲ୍‌ରେ ଶତକ ହାସଲ କରିଥିଲେ। ଏହି ବ୍ୟାଟରଙ୍କୁ ୨୦୨୪ ମେଗା ନିଲାମରେ ପଞ୍ଜାବ କିଙ୍ଗ୍ସ ୩.୮ କୋଟିରେ ନିଜ ଦଳରେ ସାମିଲ କରିଥିଲା। 

୨୪ ବର୍ଷୀୟ ଏହି ବ୍ୟାଟର ଚଳିତ ଆଇପିଏଲ୍‌ରେ ପ୍ରଥମ ମ୍ୟାଚ୍‌ରେ ୪୭ ରନ କରିଥିବା ବେଳେ ପରବର୍ତ୍ତୀ ଦୁଇଟି ମ୍ୟାଚ୍‌ରେ ୮ ରନ ଓ ୦ ରନ କରିଥିଲେ। ତେବେ ଚେନ୍ନାଇ ବିପକ୍ଷ ମ୍ୟାଚ୍‌ରେ ପ୍ରିୟାଂଶ ଆର୍ଯ୍ୟ ଭାରତୀୟ ଅନକ୍ୟାପଡ ବ୍ୟାଟର ଭାବେ ଆଇପିଏଲ୍ ଇତିହାସରେ ଦ୍ରୁତତମ ଶତକ ହାସଲ କରିଛନ୍ତି। ଅନକ୍ୟାପଡ ଖେଳାଳି ଭାବେ ତାଙ୍କ ପରେ ଅଛନ୍ତି ରଜତ ପାଟିଦାର। ସେ ଆଇପିଏଲ୍ ୨୦୨୨ରେ ୪୯ ବଲ୍‌ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ବିପକ୍ଷରେ ଶତକ ପୂରା କରିଛନ୍ତି। 

କିଏ ଏହି ପ୍ରିୟାଂଶ ଆର୍ଯ୍ୟ ?

ପ୍ରିୟାଂଶ ପ୍ରଥମ ଥର ଦିଲ୍ଲୀ ପ୍ରିମିୟର ଲିଗ୍‌(DPL)ରେ ଲୋକଲୋଚନକୁ ଆସିଥିଲେ। ସେ ଗତ ବର୍ଷ ଡିପିଏଲରେ ଗୋଟିଏ ଓଭରରେ ଛଅ ଛକା ମାରି ସଭିଙ୍କ ଧ୍ୟାନ ଆକର୍ଷଣ କରିଥିଲେ। ତାଙ୍କର ବିସ୍ଫୋରକ ବ୍ୟାଟିଂ ବଳରେ ସାଉଥ ଦିଲ୍ଲୀ ୨୦ ଓଭରରେ ନର୍ଥ ଦିଲ୍ଲୀ ବିପକ୍ଷରେ ୮ ଓ୍ଵିକେଟ୍ ହରାଇ ୩୦୮ ରନ କରିଥିଲା। 

୨୦୨୪ ଡିପିଏଲରେ ପ୍ରିୟାଂଶ ସର୍ବାଧିକ ରନ ହାସଲକାରୀ ବ୍ୟାଟର ଥିଲେ। ସେ ୧୦ଟି ମ୍ୟାଚ୍‌ରେ ୬୦୦ ରନ କରିଥିଲେ। ଘରୋଇ କ୍ରିକେଟ୍‌ରେ ଦିଲ୍ଲୀ ପକ୍ଷରୁ ୧୧ଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି। ୨୦୨୩-୨୪ରେ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ସେ ଦିଲ୍ଲୀ ପକ୍ଷରୁ ସର୍ବାଧିକ ୨୨୨ ରନ କରିଥିଲେ। 

ଆଇପିଏଲ୍‌ରେ ଭାରତୀୟ ଖେଳାଲିଙ୍କ ଦ୍ରୁତତମ ଶତକ

୩୭ ବଲ୍- ୟୁସୁଫ ପଠାନ ବନାମ ମୁମ୍ବାଇ, ୨୦୧୦

୩୯ ବଲ୍- ପ୍ରିୟାଂଶ ଆର୍ଯ୍ୟ ବନାମ ସିଏସଏକ, ୨୦୨୫

୪୫- ମୟଙ୍କ ଅଗ୍ରଓ୍ଵାଲ ବନାମ ଆରଆର, ୨୦୨୦

୪୫ ବଲ୍- ଇଶାନ କିଶନ ବନାମ ଆରଆର, ୨୦୨୫

୪୬ ବଲ୍- ମୁରଲୀ ବିଜୟ ବନାମ ଆରଆର, ୨୦୧୦

୪୭ ବଲ୍- ବିରାଟ କୋହଲି ବନାମ ପିବିକେଏସ, ୨୦୧୬

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.