ଖନୌରୀ ୩୦।୧୨: ଚାଷୀଙ୍କ ଦାବିକୁ ନେଇ ଖନୌରୀ ବର୍ଡରରେ ୩୪ ଦିନ ହେଲା ଅନଶନରେ ବସିଥିବା ଜଗଜିତ ସିଂହ ଡଲ୍ଲେୱାଲଙ୍କ ସମର୍ଥନରେ ସୋମବାର ପଞ୍ଜାବ ବନ୍ଦ ପାଳିତ ହୋଇଛି। ଚାଷୀ ଫସଲର ଏମଏସପି ଲାଗି ଆଇନଗତ ଗ୍ୟାରେଣ୍ଟି ସମେତ ୧୩ଟି ଦାବିକୁ ନେଇ ଏହି ବନ୍ଦ ଡାକରା ଦେଇଥିଲେ। ୧୨ ଘଣ୍ଟିଆ ବନ୍ଦ ଆନ୍ଦୋଳରେ ଚାଷୀ ପଞ୍ଜାବରେ ସକାଳ ୭ରେ ରୋଡ ଜାମ କରିଥିଲେ। ଅମୃତସର-ଦିଲ୍ଲୀ ଓ ଜଲନ୍ଧର-ଦିଲ୍ଲୀ ଜାତୀୟ ରାଜମାର୍ଗ ଅବରୋଧ ହେବା ଯୋଗୁ ଦିନ ତମାମ ବାହନ ଚଳାଚଳ ଠପ ରହିଥିଲା।
ସେପଟେ ଫିରୋଜପୁର ରେଳମଣ୍ଡଳ ଡିଆରଏମ ସଞ୍ଜୟ ସାହୁ କହିଛନ୍ତି ଯେ ଚାଷୀମାନେ ପଞ୍ଜାବ ବନ୍ଦ ସୂଚନା ରେଳବାଇଙ୍କୁ ଦେଇଥିଲେ। ଏଣୁ ଦିନ ତମାମ ବନ୍ଦେ ଭାରତ, ଶତାବ୍ଦୀ ଏକ୍ସପ୍ରେସ ସମେତ ୧୦୮ ଟ୍ରେନ୍ କ୍ୟାନସଲ କରିବାକୁ ପଡିଥିଲା। ଟ୍ରେନ ସର୍ଟ ଟର୍ମିନେସନ ଯୋଗୁ ଯାତ୍ରୀଙ୍କୁ ସେମାନଙ୍କ ଟିକେଟ୍ ବାବଦ ଅର୍ଥ ରେଳବାଇକୁ ଫେରସ୍ତ କରିବାକୁ ପଡିଛି। ଏ ବାବଦେ ରେଳବାଇ ଯାତ୍ରୀଙ୍କୁ ୧,୭୩,୬୮୦ ଟଙ୍କା ଫେରସ୍ତ କରିଛନ୍ତି। ରାଜ୍ୟରେ ଚାଷୀଙ୍କ ଏହି ବନ୍ଦ ଆନ୍ଦୋଳନକୁ ଏସଜିପିସି ସମେତ ଅନେକ ଧାର୍ମିକ ଓ ସାମାଜିକ ସଙ୍ଗଠନ ସମର୍ଥନ କରିଛନ୍ତି।
ସନ୍ଧ୍ୟାରେ ଚାଷୀଙ୍କ ପଞ୍ଜାବ ବନ୍ଦ ଆନ୍ଦୋଳନ ଶେଷ ହେବା ପରେ ଫାଜିଲକାର ବିଭିନ୍ନ ସଡକରେ ରୋଡୱେଜ୍ ବସ୍ ଚଳାଚଳ ଆରମ୍ଭ କରିଛନ୍ତି। ଦିଲ୍ଲୀ-ଅମୃତସର ଜାତୀୟ ରାଜମାର୍ଗରୁ ଅବରୋଧ ହଟିବା ଯୋଗୁ ଜାତୀୟ ରାଜମାର୍ଗରେ ବାହନ ଚଳାଚଳ ଆରମ୍ଭ ହୋଇଥିବା ବେଳେ ଲୋକେ ସେମାନଙ୍କ ଗନ୍ତବ୍ୟରେ ବାହାରିଛନ୍ତି। ତେବେ ସୋମବାର ଦିନବେଳା ବନ୍ଦ କାଳରେ ଚାଷୀ ଜମ୍ମୁ-ଅମୃତସର ରାଜମାର୍ଗ ଅବରୋଧ କରିବା ଯୋଗୁ ବିଏସଏଫ ଗାଡ଼ି ଅଟକି ଯାଇଥିଲା। ଘଟଣାସ୍ଥଳରେ ଉପସ୍ଥିତ ପୋଲିସ ଅଫିସରମାନେ ଚାଷୀଙ୍କୁ ବୁଝାସୁଝା କରି ବିଏସଏଫ ଗାଡ଼ିଗୁଡ଼ିକୁ ଛାଡିଥିଲେ।