ଚଣ୍ଡିଗଡ଼: ପ୍ରଥମେ ପ୍ରିୟାଂଶ ଆରିୟା ପରେ ଶଶାଙ୍କ ସିଂହଙ୍କ ଜବରଦସ୍ତ ବ୍ୟାଟିଂ । ଚେନ୍ନାଇ ସୁପର କିଙ୍ଗସ୍ ସାମ୍ନାରେ ୨୨୦ ରନ୍ର ବିଜୟ ଲକ୍ଷ୍ୟ ଦେଲା ପଞ୍ଜାବ କିଙ୍ଗସ୍ । ଆଇପିଏଲରେ ଅନ୍ କ୍ୟାପ୍ ପ୍ଲେୟାର ପ୍ରିୟାଂଶ ଆରିୟାଙ୍କ ପ୍ରଥମ ଶତକୀୟ ଇନିଂସ । ଶଶାଙ୍କ ଖେଳିଲେ ୫୨ ରନର ବିସ୍ଫୋରକ ପାଳି । ଚେନ୍ନାଇ ସୁପର କିଙ୍ଗ୍ସ ପକ୍ଷରୁ ଖଲିଲ ଅହମ୍ମଦ ଏବଂ ରବିଚନ୍ଦ୍ରନ ଅଶ୍ୱିନ ଦୁଇଟି ଲେଖାଏଁ ୱିକେଟ ନେଇଛନ୍ତି ।
ମଙ୍ଗଳବାର ଆଇପିଏଲ ଦ୍ବିତୀୟ ମ୍ୟାଚରେ ପଞ୍ଜାବ କିଙ୍ଗ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସକୁ ମଧ୍ୟରେ ଲଢ଼େଇ ଜାରି ରହିଛି । ଏହି ମ୍ୟାଚ୍ ମୁଲାନପୁରର ମହାରାଜା ୟାଦବିନ୍ଦର ସିଂହ ଇଣ୍ଟର ନ୍ୟାସନାଲ ଷ୍ଟାଡିୟମ ଖେଳାଯାଉଛି । ପ୍ରଥମେ ବ୍ୟାଟିଂ କରି ପଞ୍ଜାବ କିଙ୍ଗସ୍ ୬ ଓ୍ବିକେଟ୍ ହରାଇ ୨୧୯ ରନ୍ କରିଛି । ଆରମ୍ଭରୁ ଝୁଣ୍ଟିଥିଲେ ପଞ୍ଜାବ ବ୍ୟାଟର । ଦ୍ବିତୀୟ ଓଭରରେ ପ୍ରଭସିମରନ ସିଂହଙ୍କୁ ମୁକେଶ ଚୌଧୁରୀ ଆଉଟ୍ କରିଥିଲେ । ଏହାପରେ ଅଧିନାୟକ ଶ୍ରେୟସ ଆୟର ତୃତୀୟ ଓଭରରେ ଖଲିଲ୍ ଅହମ୍ମଦଙ୍କ ଶିକାର ହୋଇଥିଲା । ସେ ମାତ୍ର ୯ ରନ କରି ଡଗଆଉଟକୁ ଫେରିଥିଲେ । ମାର୍କସ ଷ୍ଟୋଇନିସ୍ ମଧ୍ୟ କିଛି ଖାସ୍ କରିପାରିନଥିଲେ । ଏହା ନିହାଲ୍ ବଢ଼େରା ଓ ଗ୍ଲେନ୍ ମ୍ୟାକ୍ସଓ୍ବେଲଙ୍କୁ ରବିଚନ୍ଦ୍ରନ ଅଶ୍ବିନ ଆଉଟ୍ କରିଥିଲେ । ମାତ୍ର ଗୋଟିଏପଟେ ପ୍ରିୟାଂଶ ଆରିୟା ସିଏସକେ ବୋଲରଙ୍କ ଉପରେ ଜବରଦସ୍ତ ପ୍ରହାର କରିଥିଲେ । ସେ ୪୨ ବଲରୁ ୧୦୩ ରନ୍ କରି ଦଳକୁ ମଜଭୁତ ସ୍ଥିତିରେ ପହଞ୍ଚାଇଥିଲେ । ଏହାପରେ ଶଶାଙ୍କ ସିଂହ ଅପରାଜିତ ୫୨ ଓ ମାର୍କୋ ଜନସନ୍ ୩୪ ରନ୍ କରି ଚେନ୍ନାଇ ସୁପର କିଙ୍ଗ୍ସକୁ ୨୨୦ ରନ୍ର ଟାର୍ଗେଟ୍ ଦେଇଥିଲେ । ସିଏସକେ ପକ୍ଷରୁ ଖଲିଲ ଅହମ୍ମଦ ଏବଂ ରବିଚନ୍ଦ୍ରନ ଅଶ୍ୱିନ ଦୁଇଟି ଲେଖାଏଁ ୱିକେଟ ନେଇଛନ୍ତି ।