ରତ୍ନଭଣ୍ଡାରର ହେଲା ଲେଜର ସ୍କାନିଂ,ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସୂଚନା

Published By : Prameya-News7 Bureau | September 18, 2024 IST

ପୁରୀ୧୮/୯: ସରିଲା ରତ୍ନଭଣ୍ଡାରର ପ୍ରାରମ୍ଭିକ ଯାଞ୍ଚ। ରତ୍ନଭଣ୍ଡାରକୁ ଲେଜର ସ୍କାନିଂ ଓ ରାଡାର ସର୍ଭେ ମାଧ୍ୟମରେ ଯାଞ୍ଚ କରାଗଲା। ତେବେ ଲେଜର ସ୍କାନିଂ ଓ ରାଡାର ସର୍ଭେର ରିପୋର୍ଟ ଆସିବା ପରେ ହିଁ ଜଣାପଡିବ ରତ୍ନଭଣ୍ଡାରରେ ସୁଡ଼ଙ୍ଗ ଏବଂ ଗୁପ୍ତ କୋଠରୀ ଅଛି କି ନାହିଁ। ବୁଧବାର ପ୍ରାରମ୍ଭିକ ଯାଞ୍ଚରୁ ରତ୍ନଭଣ୍ଡାରରେ କୌଣସି ସୁଡ଼ଙ୍ଗ ବା ଗୁପ୍ତ କୋଠରୀ ଥିବା ଜାଣିବା ସମ୍ଭବ ନୁହେଁ ବୋଲି ଏଏସଆଇର ବିଶେଷଜ୍ଞ ଟିମ୍ କହିଛି। କେବଳ ଲେଜର ସ୍କାନିଂ ଦ୍ବାରା ରତ୍ନଭଣ୍ଡାରର ସମ୍ପୂର୍ଣ୍ଣ ଯାଞ୍ଚ ହେବା ସମ୍ଭବ ନୁହେଁ। ଏଣୁ ଆଗାମୀ ଦିନରେ ଖୁବଶୀଘ୍ର ଜିପିଆର ସର୍ଭେ କରାଯିବ। ଜିପିଆର ସର୍ଭେ ଶେଷ ପରେ ହିଁ ଜଣାପଡିବ ରତ୍ନଭଣ୍ଡାରରେ କିଛି ଗୁପ୍ତ ସୁଡ଼ଙ୍ଗ ଓ କୋଠରୀ ଅଛି କି ନାହିଁ। ଏହା ପୂର୍ବରୁ କିଛି କହିବା ଠିକ୍ ହେବନାହିଁ ବୋଲି ଏଏସଆଇର ଏକ୍ସପର୍ଟ ଟିମ୍ ମତ ରଖିଛନ୍ତି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ସୂଚନା ଅନୁସାରେ ଆଜି ଏଏସଆଇର ଏକ ୧୭ ଜଣିଆ ପ୍ରତିନିଧି ମଣ୍ଡଳୀ ରତ୍ନଭଣ୍ଡାର ଯାଞ୍ଚ କରିଥିଲେ। ମାର୍ଗଦର୍ଶିକା ଅନୁଯାୟୀ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଲେଜର ସ୍କାନିଂ ଏବଂ ରାଡାର ସର୍ଭେ କରାଯାଇଥିଲା। ଦିନ ୨ଟା ରୁ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ଦୀର୍ଘ ୩ ଘଣ୍ଟା ରତ୍ନଭଣ୍ଡାର ର ଯାଞ୍ଚ କରିଥିଲେ ଏଏସଆଇର ଏକ୍ସପର୍ଟ ଟିମ୍। ରତ୍ନଭଣ୍ଡାରରେ ଗୁପ୍ତ ସୁଡ଼ଙ୍ଗ ଓ କୋଠରୀ ଅଛି କି ନାହିଁ ତାହା କେବଳ ଲେଜର ସ୍କାନିଂ ଓ ରାଡାର ସର୍ଭେ ଦ୍ବାରା ସମ୍ଭବପର ନୁହେଁ। ତେଣୁ ଆଗାମୀ ଦିନରେ ଏଏସଆଇର ଏକ୍ସପର୍ଟ ଟିମ୍ ଜିପିଆର୍ ସର୍ଭେ ତଥା ଗ୍ରାଉଣ୍ଡ ପେନିଟ୍ରେଟିଙ୍ଗ ରାଡାର ସର୍ଭେ କରିବ। ଏହାଦ୍ବାରା ରତ୍ନଭଣ୍ଡାରର ସ୍ଥିତି ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ମିଳିପାରିବ। ତେବେ ଏହି କାର୍ଯ୍ୟ ଶୀଘ୍ର କରିବାକୁ ଏଏସଆଇ କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି।


ଗତ ଜୁଲାଇ ୧୪ ଓ ୧୮ ତାରିଖରେ ବାହାର ଓ ଭିତର ରତ୍ନଭଣ୍ଡାର ଖୋଲାଯାଇ ସମସ୍ତ ରତ୍ନ ଅଳଙ୍କାରକୁ ଶ୍ରୀମନ୍ଦିର ଭିତରେ ଥିବା ଖଟଶେଜ ଗୃହ ଏବଂ ଚାଙ୍ଗଡ଼ା ଘରେ କଡ଼ା ନିରାପତ୍ତା ବ୍ୟବସ୍ଥା ମଧ୍ୟରେ ସୁରକ୍ଷିତ ଭାବେ ରଖାଯାଇଛି। ତେବେ ରତ୍ନଭଣ୍ଡାର ଭିତରେ ସୁଡ଼ଙ୍ଗ ଥିବା କଥା ଚର୍ଚ୍ଚା ହେବା ପରେ ଏହାର ଯାଞ୍ଚ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ବୁଧବାର ରତ୍ନଭଣ୍ଡାରର ସମ୍ପୂର୍ଣ୍ଣ ସ୍ଥିତି ବିଷୟରେ ଜାଣିବା ପାଇଁ ଲେଜର ସ୍କାନିଂ କରାଯାଇଥିଲା। ଏଏସଆଇ ଏକ୍ସପର୍ଟ ଟିମ୍ ସମସ୍ତ ବୈଷୟିକ ଯାଞ୍ଚ କାର୍ଯ୍ୟ ଶେଷ କରିବା ପରେ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଆରମ୍ଭ ହେବ। ଏହାପରେ ରତ୍ନଭଣ୍ଡାରର ସମସ୍ତ ରତ୍ନ ଅଳଙ୍କାରର ଗଣତି ମଣତି କରାଯିବ।

 

 

 

 

 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.