ଅମିତ ଶାହଙ୍କ ପ୍ରତି ଅପମାନଜନକ ଟିପ୍ପଣୀ ମାମଲା: ସୁଲତାନପୁର କୋର୍ଟରେ ହାଜର ହେଲେ ରାହୁଲ ଗାନ୍ଧି

Published By : Prameya-News7 Bureau | July 26, 2024 IST

ସୁଲତାନପୁର : ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଉପରେ ଅପମାନଜନକ ଟିପ୍ପଣୀ ମାମଲାରେ ଶୁକ୍ରବାର ସୁଲତାନପୁର ଜିଲ୍ଲା ସ୍ପେଶାଲ ଏମପି-ଏମଏଲଏ କୋର୍ଟରେ ହାଜର ହୋଇଛନ୍ତି। ରାହୁଲ ନିଜ ସପକ୍ଷରେ ବୟାନ ଦେଇ କହିଛନ୍ତି ଯେ ସେ ମାମଲାରେ ସେ ନିର୍ଦ୍ଦୋଶ ଓ ତାଙ୍କୁ ଷଡ଼ଯନ୍ତ୍ର କରି ଫଶାଯାଇଛି। ରାୟବରେଲୀ ସାଂସଦ ରାହୁଲ ଗାନ୍ଧି ବିଚାରପତି ଜଷ୍ଟିସ୍ ଶୁଭମ ବର୍ମାଙ୍କ କୋର୍ଟରେ ପାଖାପାଖି ୧୬ ମିନିଟ ଥିଲେ ଓ ତାଙ୍କ ବୟାନ ରେକର୍ଡ କରାଇଥିଲେ। 

ଏଥିରେ ଜଷ୍ଟିସ୍ ବର୍ମାଙ୍କ କୋର୍ଟ ଅଭିଯୋଗକାରୀଙ୍କ ଓକିଲଙ୍କୁ ପ୍ରମାଣ ଉପସ୍ଥାପନ କରିବାକୁ କହି ମାମଲାର ପରବର୍ତ୍ତି ଶୁଣାଣି ଅଗଷ୍ଟ ୧୨ ତାରିଖକୁ ଧାର୍ଯ୍ୟ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ବେଙ୍ଗାଲୁରର ଏକ ସଭାରେ ରାହୁଲ ଗାନ୍ଧି ଅମିତ ଶାହଙ୍କ ଉପରେ ଅଭଦ୍ର ଟିପ୍ପଣୀ କରିଥିଲେ। ଏହାକୁ ନେଇ ସୁଲତାନପୁର ବିଜେପି ନେତା ବିଜୟ ମିଶ୍ର କୋର୍ଟରେ ଅଭିଯୋଗ କରିଥିଲେ। ରାହୁଲ ଗାନ୍ଧିଙ୍କ ଓକିଲ କାଶୀ ପ୍ରସାଦ ଶୁକ୍ଲା କହିଛନ୍ତି ଯେ ରାହୁଲ ଗାନ୍ଧିଙ୍କ କେସ୍ ସ୍ପେଶାଲ ଏମପି-ଏମଏଲଏ କୋର୍ଟ ନମ୍ବର ୧୫ରେ ସ୍ଥିରିକୃତ ଥିଲା। ରାହୁଲ ତାଙ୍କ ପ୍ରତିଶ୍ରୁତି ଅନୁସାରେ ସଂସଦର ବ୍ୟସ୍ତତା ସତ୍ତ୍ୱେ କୋର୍ଟକୁ ପହଞ୍ଚି ତାଙ୍କ ବୟାନ ରେକର୍ଡ କରାଇଛନ୍ତି। 

ଶୁକ୍ଲା କହିଛନ୍ତି ଯେ ତାଙ୍କ ମହକିଲ ରାହୁଲ ଗାନ୍ଧି ତାଙ୍କ ଉପରେ ଲଗାଯାଇଥିବା ଆରୋପକୁ ନିରାଧାର କହିବା ସହିତ ରାଜନୈତିକ ଦୁର୍ଭାବନାରେ ତାଙ୍କର ଓ ତାଙ୍କ ପାର୍ଟିର ଛବି ଖରାପ କରିବା ପାଇଁ ଏହା ଏକ ଷଡ଼ଯନ୍ତ୍ର ବୋଲି କହିଛନ୍ତି। ଏବେ ଅଭିଯୋଗକାରୀଙ୍କ ପକ୍ଷ କୋର୍ଟ ନିମନ୍ତେ ସାକ୍ଷ ପ୍ରସ୍ତୁତ କରିବେ। ସେହିପରି ଓକିଲ ସନ୍ତୋଷ ପାଣ୍ଡେୟ ଗଣମାଧ୍ୟମକୁ କହିଛନ୍ତି ଯେ ରାହୁଲ ଗାନ୍ଧି କୋର୍ଟରେ ବ୍ୟକ୍ତିଗତ ହାଜର ହୋଇଥିଲେ। ସେ ନିଜକୁ ନିର୍ଦ୍ଦୋଷ କହିବା ସହିତ ତାଙ୍କ ବିରୋଧରେ ଯାହା ବି ଅଭିଯୋଗ ହୋଇଛି ତାହା ରାଜନୈତିକ ଦୁର୍ଭାବନା ଯୋଗୁ ବୋଲି କହିଛନ୍ତି। 

ଉଲ୍ଲେଖଯୋଗ୍ୟ ଯେ ରାହୁଲ ଗାନ୍ଧି ୨୦ ଫେବୃଆରୀ ୨୦୨୪ରେ ତାଙ୍କ ନ୍ୟାୟଯାତ୍ରା କାଳରେ ସୁଲତାନପୁର କୋର୍ଟରେ ଆତ୍ମସମର୍ପଣ କରିଥିଲେ। କୋର୍ଟ ତାଙ୍କୁ ୨୫ ହଜାର ଟଙ୍କା ଲେଖାଏଁ ଦୁଇଟି ବଣ୍ଡ ବଦଳରେ ଜାମିନ ମଞ୍ଜୁର କରିଥିଲେ। ଗତ ଜୁନ ୨୬ ତାରିଖରେ କୋର୍ଟ ରାହୁଲଙ୍କୁ ଜୁଲାଇ ୨୬ରେ ବ୍ୟକ୍ତିଗତ ରୂପେ ହାଜର ହେବା ପାଇଁ ସମନ କରିଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.