ସଂସଦରେ ବାଚସ୍ପତିଙ୍କୁ ଭେଟିଲେ ରାହୁଲ ଗାନ୍ଧି, ଏମାର୍ଜେନ୍ସୀ ବୟାନକୁ କଲେ ବିରୋଧ

Published By : Prameya-News7 Bureau | June 27, 2024 IST

ନୂଆଦିଲ୍ଲୀ ୨୭।୬: ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଗୁରୁବାର ଲୋକସଭା ବାଚସ୍ପତି ଓମ ବିରଳାଙ୍କୁ ତାଙ୍କ କକ୍ଷରେ ଭେଟିଛନ୍ତି   ଓ ସଦନରେ ତାଙ୍କ ଦ୍ୱାରା ଜରୁରିକାଳୀନ ପରିସ୍ଥିତି ସନ୍ଦର୍ଭରେ ଦିଆଯାଇଥିବା ବୟାନ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି।  କଂଗ୍ରେସ ସାଧାରଣ ସମ୍ପାଦକ କେ.ସି. ବେଣୁ ଗୋପାଲ ସଂସଦରେ ବୈଠକ ପରେ ସାମ୍ବାଦିକଙ୍କୁ ଏ ବାବଦେ ସୂଚନା ଦେଇଛନ୍ତି। 

ବେଣୁ ଗୋପାଲ କହିଛନ୍ତି ଯେ ରାହୁଲ ଗାନ୍ଧି ବାଚସ୍ପତିଙ୍କୁ ଭେଟି କହିଛନ୍ତି ଯେ ‘ଏହା ସ୍ପଷ୍ଟ ରୂପେ ରାଜନୈତିକ’ ଥିଲା ଓ ମାମଲାକୁ ଟଳାଯାଇ ପାରିଥାନ୍ତା। ବାଚସ୍ପତିଙ୍କ ସହ ଏହି ବୈଠକରେ ରାହୁଲ ଗାନ୍ଧିଙ୍କ  ସଙ୍ଗରେ ସମାଜବାଦି ପାର୍ଟି ସାଂସଦ ଡିମ୍ପଲ ଯାଦବ, ଆରଜେଡି ସାଂସଦ ମିସା ଭାରତୀ ଓ ଏନସିପି ଶରଦ ପାୱାର ଗୋଷ୍ଠୀର ନେତ୍ରୀ ସୁପ୍ରିୟା ସୁଲେ ପ୍ରମୁଖ ଅଂଶଗ୍ରହଣ କରିଥିଲେ। 

ବେଣୁଗୋପାଲ କହିଛନ୍ତି ଯେ  ବାଚସ୍ପତିଙ୍କ ସହ ରାହୁଲ ଗାନ୍ଧି ଓ ଅନ୍ୟ ବିରୋଧୀ ଦଳ ସାଂସଦମାନଙ୍କର ଏହା ଏକ ସିଷ୍ଟାଚାର ସାକ୍ଷାତକାର ଥିଲା। ଏହି ଅବସରରେ ରାହୁଲ ଗାନ୍ଧି ବାଚସ୍ପତିଙ୍କ ଦ୍ୱାରା ସଦନରେ ଜରୁରିକାଳ ଲାଗୁ କରାଯିବା ପ୍ରସଙ୍ଗ ମଧ୍ୟ ଉଠାଇଥିଲେ। ବୁଧବାର ଓମ ବିରଳା ଲଗାତାର ଦ୍ୱିତୀୟବାର ବାଚସ୍ପତି ରୂପେ ଦାୟିତ୍ୱ ଗ୍ରହଣ କରିବାର ତୁରନ୍ତ ବାଦ ୨୫-୨୬ ଜୁନ ୧୯୭୫ରାତିରେ ଜରୁରୀକାଳ ଜାରିକୁ ନିନ୍ଦା କରି ଏକ ପ୍ରସ୍ତାବ ପଢିଥିଲେ। ଯାହାକୁ କଂଗ୍ରେସ ଗୃହରେ ବିରୋଧ କରିଥିଲା। 

ଓମ ବିରଳା ଜରୁରି କାଳରେ ପ୍ରାଣ ହରାଇଥିବା ନାଗରିକଙ୍କୁ ମନେ ପକାଇ ସଦନରେ ୨ ମିନିଟ୍ ନିରବ ପ୍ରାର୍ଥନା କରାଇଥିଲେ। ସେ କହିଥିଲେ ଯେ ଜରୁରିକାଳରେ ଭାରତର ଗଣତାନ୍ତ୍ରିକ ମୂଲ୍ୟବୋଧକୁ ପଦଦଳିତ କରାଯାଇଥିଲା ଓ ଅଭିବ୍ୟକ୍ତିର ସ୍ୱାଧୀନତାକୁ ଅବରୋଧ କରାଯାଇଥିଲା। ସଦନରେ ବିରଳା ପ୍ରସ୍ତାବ ପଢିବାମାତ୍ରେ କଂଗ୍ରେସ ସାଂସଦମାନେ ଗୃହର ୱେଲକୁ ଆସି ହଟ୍ଟଗୋଳ କରିଥିଲେ। ଏଣୁ ଗୃହ କାର୍ଯ୍ୟରେ ବାଧା ଉପୁଜିଥିଲା ଓ ବାଚସ୍ପତିଙ୍କୁ ଗୃହ ମୁଲତବୀ କରିବାକୁ ପଡିଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.