ମୁମ୍ବାଇ: ଅଜୟ ଦେବଗନଙ୍କ ଅଭିନୀତ ଫିଲ୍ମ ରେଡ୍ର ସଫଳତା ପରେ ଏବେ ପରଦାକୁ ଆସିବାକୁ ଯାଉଛି ‘ରେଡ୍ ୨’। ଆଜି ନିର୍ମାତା ଫିଲ୍ମର ଟ୍ରେଲର ରିଲିଜ୍ କରିଛନ୍ତି। ଏହି ଟ୍ରେଲର ଦେଖିବା ପରେ ଆପଣମାନେ ନିଶ୍ଚିତ ଭାବେ ହଲ୍କୁ ଯାଇ ଫିଲ୍ମ ଦେଖିବାକୁ ମନ କରିବେ। ବଲିଉଡରେ ପୁଣି ଥରେ ଅଜୟ ଦେବଗନ ଅମୟ ପଟ୍ଟନାୟକ ଚରିତ୍ର ଜରିଆରେ ପ୍ରତ୍ୟାବର୍ତ୍ତନ କରୁଛନ୍ତି। ଅମୟ ଦାଦା ଭାଇ ଅର୍ଥାତ ଫିଲ୍ମର ଭିଲେନ ରିତେଶ ଦେଶମୁଖଙ୍କ ଘରେ ରେଡ୍ କରିବାକୁ ପହଞ୍ଚୁଛନ୍ତି। ଏହି ଦୃଶ୍ୟରୁ ହିଁ ରେଡ୍ ୨ର ଟ୍ରେଲର ଆରମ୍ଭ ହେଉଛି।
Also read: ବିଗ୍ ବସ୍ରେ ଏଣ୍ଟ୍ରି କରିବେ ଧନଶ୍ରୀ ବର୍ମା, ସୋସିଆଲ ମିଡିଆରେ ହେଉଛନ୍ତି ଟ୍ରୋଲ
T-series ୟୁଟ୍ୟବ ଚ୍ୟାନେଲରେ ରିଲିଜ୍ ଟ୍ରେଲରରେ ମନୋହର ଭାଇ(ରିତେଶ ଦେଶମୁଖ) ଜଣେ ନେତା ଏବଂ ପୂରା ସହରରେ ତାଙ୍କର ଦବଦବା ରହିଥିବା ଦେଖିବାକୁ ମିଳିଛି। ଅମୟ ନିଜର ୭୫ତମ ରେଡ୍ ମାରିବାକୁ ଦାଦା ଭାଇଙ୍କ ଘରେ ପହଞ୍ଚିଛନ୍ତି। ଏଠାରେ ତାଙ୍କୁ ବହୁତ ମୁସ୍କିଲର ସାମ୍ନା କରିବାକୁ ପଡ଼ିଛି। ଟ୍ରେଲରରେ ରିତେଶ ଦେଶମୁଖଙ୍କ ଚରିତ୍ର ବେଶ ଦମଦାର ଲାଗୁଛି। ସୌରଭ ଶୁକ୍ଳାଙ୍କୁ ଜେଲ୍ର ହାଓ୍ଵା ଖାଉଥିବା ଦେଖିବାକୁ ମିଳିଛି। ସୁପ୍ରିୟା ପାଠକ ବୁଢି ମା ଚରିତ୍ରରେ ଅଭିନୟ କରିଛନ୍ତି। ଫିଲ୍ମରେ ପ୍ରତିଟି ଦୃଶ୍ୟ ସସପେନ୍ସରେ ଭରି ରହିଛି। ଅଜୟ ଓ ରିତେଶଙ୍କ ମଧ୍ୟରେ ଚାଲୁଥିବା ବାକଯୁଦ୍ଧ ଦର୍ଶକଙ୍କୁ ବେଶ ରୋମାଞ୍ଚିତ କରିବ ବୋଲି ଆଶା କରାଯାଉଛି। ଫିଲ୍ମରେ ବହୁତ ଟୁଇଷ୍ଟ ଦେଖିବାକୁ ମିଳିବ। ଫିଲ୍ମରେ ତମନ୍ନା ଭାଟ୍ଟିଆଙ୍କ ଏକ ଜବରଦସ୍ତ ଆଇଟମ ସଙ୍ଗ ରହିଛି।
ଅଜୟ ଦେବଗନଙ୍କ ରେଡ୍ ୨ରେ ଇଲିଆନା ଡିସୁଜାଙ୍କ ପରିବର୍ତ୍ତେ ବାଣୀ କପୁରଙ୍କୁ ଦେଖିବାକୁ ମିଳିବ। ଫିଲ୍ମର ନିର୍ଦ୍ଦେଶନା ରାଜ କୁମାର ଗୁପ୍ତା ଦେଇଛନ୍ତି। ଫିଲ୍ମର ନିର୍ମାତା ହେଉଛନ୍ତି ଭୂଷଣ କୁମାର। ଚଳଚ୍ଚିତ୍ର ମେ ୧ରେ ବଡ଼ ପରଦାକୁ ଆସିବ। ଉଲ୍ଲେଖନୀୟ ୨୦୧୮ରେ ରିଲିଜ୍ ହୋଇଥିବା ରେଡ୍ ବକ୍ସ ଅଫିସ୍ରେ ଧମାଲ କରିଥିଲା। ଟ୍ରେଲର ଦେଖିବା ପରେ ଆଶା କରାଯାଉଛି ରେଡ୍ ୨କୁ ମଧ୍ୟ ରେଡ୍ ପରି ଭଲ ପାଇବା ମିଳିବ ଏବଂ ଫିଲ୍ମ ବକ୍ସ ଅଫିସ୍ରେ କମାଲ୍ କରିବ।