ଦେଶର ଅନେକ ରାଜ୍ୟରେ ବର୍ଷା ତାଣ୍ଡବ; ଲଗାଣ ବର୍ଷାରେ ଉବୁଟୁବୁ ଦିଲ୍ଲୀ-ଏନସିଆର୍

Published By : Prameya-News7 Bureau | June 28, 2024 IST

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀକୁ ଛୁଇଁଲା ମୌସୁମୀ ବାୟୁ । ଦିଲ୍ଲୀ-ଏନସିଆର୍ ଓ ଏହାର ଆଖପାଖ ଅଞ୍ଚଳରେ ଲଗାଣ ବର୍ଷା ଜାରି । ଶୁକ୍ରବାର ପ୍ରବଳ ବର୍ଷା ଯୋଗୁ ରାସ୍ତାଘାଟ ଜଳମଗ୍ନ ହୋଇଛି । ଫଳରେ ରାଜଧାନୀରେ ଦୈନିକ ଜୀବନ ଯାତ୍ରା ପ୍ରଭାବିତ ହୋଇଛି । ସେପଟେ ଝଡ଼ ତୋଫାନ ଯୋଗୁ ଦିଲ୍ଲୀ ବିମାନବନ୍ଦର ଟର୍ମିନାଲ୍-୧ର ଛାତ ଭୁଶୁଡ଼ି ପଡ଼ିଛି । ଏହି ଅଘଟଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୮ ଆହତ ହୋଇଛନ୍ତି । ଫଳରେ ୨୮ଟି ବିମାନ ଉଡ଼ାଣକୁ ବାତିଲ୍ କରାଯାଇଛି । 



ଭାରତୀୟ ପାଣିପାଗ ସୂଚନା ଅନୁଯାୟୀ, ଜାତୀୟ ରାଜଧାନୀରେ ମାତ୍ର ତିନି ଘଣ୍ଟା ମଧ୍ୟରେ ପ୍ରାୟ ୧୫ ସେମି ବର୍ଷା ହୋଇଛି ।  ରାତି ପ୍ରାୟ ୨.୩୦ରୁ ସକାଳ ୫.୩୦ ପର୍ଯ୍ୟନ୍ତ, ସଫଦରଜଙ୍ଗରେ ସହରରେ ୧୪୮.୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଆଗକୁ ବର୍ଷା ଜାରି ରହିବ ବୋଲି ସହରବାସୀଙ୍କୁ ସତର୍କ କରିଛି ପାଣିପାଗ କେନ୍ଦ୍ର । ଦିଲ୍ଲୀ ଏନସିଆର୍ ସହିତ ଦେଶ ବିଭିନ୍ନ ସ୍ଥାନରେ ମଧ୍ୟ ଲଗାଣ ବର୍ଷା ଜାରି ରହିଛି । ବିହାର ଓ ଉତ୍ତରପ୍ରଦେଶରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପହଞ୍ଚିଛି । ବର୍ଷା ହେବା ଫଳରେ କିଛି ରାଜ୍ୟରେ ଭିଷଣ ଗରମରୁ ଲୋକଙ୍କୁ ସାମାନ୍ୟ ଆଶ୍ବସ୍ତି ମିଳିଛି । ବିଶେଷ କରି କର୍ଣ୍ଣାଟକ, କେରଳ, ଗୁଜରାଟ, ଛତିଶଗଡ଼, ଆନ୍ଧ୍ରପ୍ରଦେଶ ସହିତ କିଛି ରାଜ୍ୟରେ ଆସନ୍ତା ପାଞ୍ଚ ଦିନ ଯାଏ ବର୍ଷା ଜାରି ରହିବ ବୋଲି ପୂର୍ବନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । 

ପ୍ରବଳ ବର୍ଷାରେ ଉବୁଟୁବୁ ୟୁପିର ମୁରଦାବାଦ ସହର । ଅନେକ ସ୍ଥାନରେ ବର୍ଷା ପାଣି ଜମି ଯାଇଛି । ଲଗାଣ ବର୍ଷା ଯୋଗୁ ଯାତାୟାତରେ ସମସ୍ୟା ସୃଷ୍ଟି ହୋଇଛି । ସେପଟେ ଗୁଜରାଟରେ ମଧ୍ୟ ବର୍ଷା ତାଣ୍ଡବ ଦେଖିବାକୁ ମିଳିଛି । ଦ୍ବାରିକାରେ ସମୁଦ୍ର ଯିବାକୁ ଲୋକଙ୍କୁ ବାରଣ କରାଯାଇଛି । ବିହାର ରାଜଧାନୀ ପାଟଣାରେ ୪୩ ମି.ମି ବର୍ଷା ହୋଇଛି । ସେହିପରି ହିମାଚଳ ପ୍ରଦେଶରେ ୭୦ମି.ମି  ବର୍ଷା ହୋଇଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.