କୋଟା ମେଡିକାଲ କଲେଜ ନାଁରେ ସାଂଘାତିକ ଅଭିଯୋଗ, କର୍ତ୍ତୃପକ୍ଷଙ୍କ ସଫେଇ, ୩ଜଣିଆ କମିଟି କରୁଛି ତଦନ୍ତ

Published By : Prameya-News7 Bureau | April 17, 2025 IST

ରାଜସ୍ଥାନ ୧୭/୪: କୋଟାରେ ଡାକ୍ତରଙ୍କ ସାଂଘାତିକ ତ୍ରୁଟି: ପୁଅର ଅପରେସନ ହୋଇଥାନ୍ତା, ବାପାଙ୍କୁ ନେଇଗଲେ OT । । ମାମଲା ସାମ୍ନାକୁ ଆସିବା ପରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ହସ୍‌ପିଟାଲ କର୍ତ୍ତୃପକ୍ଷ । ରାଜସ୍ଥାନ କୋଟା ମେଡିକାଲ କଲେଜ ନାଁରେ ଆସିଥିବା ସାଂଘାତିକ ଅଭିଯୋଗକୁ ନେଇ ଦେଶବ୍ୟାପୀ ସୃଷ୍ଟି ହୋଇଛି ଆଲୋଡନ ।  

ସୂଚନା ମୁତାବକ ଗତ ୧୨ ଏପ୍ରିଲର ଘଟଣା । ଅଭିଯୋଗ ଆଣିଥିବା ମନୀଷ କହିଛନ୍ତି ଦୁର୍ଘଟଣାରେ ଗୁରୁତର ହୋଇଥିବାରୁ ମୋର ସର୍ଜରୀ ହୋଇଥାନ୍ତା । ସେଥିପାଇଁ ମୁଁ କୋଟା ମେଡିକାଲ କଲେଜରେ ଡାକ୍ତରଙ୍କ ସହ କଥା ହୋଇଥିଲି । ଅପରେସନ ପାଇଁ ଗତ ଶନିବାର ତାରିଖ ଦେଇଥିଲେ ଡାକ୍ତର । ମୁଁ ଏକୁଟିଆ ଥିବାରୁ ହସ୍‌ପିଟାଲରେ ରହିବାକୁ ପାରାଲିସିସ୍‌ରେ ଆକ୍ରାନ୍ତ ବାପାଙ୍କୁ ଡାକିଥିଲି । ସେ ଆଟେଣ୍ଡାଣ୍ଚ ଭାବରେ ମୋ ପାଖରେ ରହିଥିଲେ ।

ଶନିବାର ଦିନ ମୁଁ  ଅପରେସନ ପାଇଁ ପ୍ରସ୍ତୁତ ହୋଇ OT ଭିତରେ ଥିଲି  । ଆଉ ବାପା ବାହାରେ ଅପରେସନ ଥିଏଟର ସାମ୍ନାରେ ଠିଆ ହୋଇଥିଲେ । ହେଲେ ତାପରେ କଣ ହେଲା ମୁଁ ଜାଣିନି । ମୋର କୌଣସି ଅପରେସନ ହୋଇନି । ଓଲଟି ଏବେ ବାପାଙ୍କ ଦେହରେ ୫ରୁ ୬ଟି ଷ୍ଟିଚ ପଡିଛି । ମନୀଷ ଆହୁରି କହିଛନ୍ତି ମୋର ମନେ ପଡୁନି ସେ ଡାକ୍ତରଙ୍କ ନାଁ ଯିଏ ମୋର ଅପରେସନ କରିଥାନ୍ତେ । ଘଟଣା ଜଣା ପଡିବା ପରେ ହସ୍‌ପିଟାଲରେ ଆରମ୍ଭ ହୋଇଯାଇଥିଲା ତନାଘନା ।  ହସ୍‌ପିଟାଲର ପ୍ରିନ୍ସପାଲ ଡକ୍ଟର ସଂଗୀତା ସକ୍‌ସେନା କହିଛନ୍ତି କେଉଁ ପରିସ୍ଥିତିରେ ଏପରି ତ୍ରୁଟି ହେଲା ୩ ଜଣିଆ କମିଟି ଗଠନ କରାଯାଇ ତଦନ୍ତ ଚାଲିଛି।  ଏଥିପାଇଁ ସୁପରିଟେଣ୍ଡେଣ୍ଟଙ୍କୁ ଦାୟିତ୍ବ ଦିଆଯାଇଛି । ତଦନ୍ତ କରି ସେ ୨ରୁ ୩ ଦିନ ଭିତରେ ରିପୋର୍ଟ ଦେବେ । ରିପୋର୍ଟ ଆସିବା ପରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । 

  • Rajasthan
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.