ପୁରୀ ୬।୭: ରାତି ପାହିଲେ ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ଏଥିପାଇଁ ତିନି ରଥ ପ୍ରସ୍ତୁତ। ବଡଦାଣ୍ଡ ପ୍ରସ୍ତୁତ । ଭକ୍ତ ମଧ୍ୟ ପ୍ରସ୍ତୁତ । ଅପେକ୍ଷା ରବିବାରକୁ । ନୀଳକନ୍ଦରରୁ ବାହାରି ଜନ୍ମବେଦୀ ଶ୍ରୀଗୁଣ୍ଡିଚା ମନ୍ଦିରକୁ ନବଦିନାତ୍ମକ ଘୋଷଯାତ୍ରାରେ ଯିବେ ମହାପ୍ରଭୁ । ଏଥିପାଇଁ ତିନିରଥ ଅପେକ୍ଷା କରିଛି ମହାପ୍ରଭୁଙ୍କ ଆଗମନକୁ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତିକାନ୍ତି ଚୂଡାନ୍ତ ହୋଇସାରିଛି ।
ସନିବାର ତିନିରଥକୁ ରଥଖଳା ନିକଟରୁ ସିଂହଦ୍ଵାରକୁ ଟଣାଯାଇଛି। ତିନିରଥ ଦଣ୍ଡାୟମାନ ସିଂହଦ୍ଵାର ସମ୍ମୁଖରେ। ସକାଳୁ ସକାଳୁ ପ୍ରଭୁଙ୍କ ମଙ୍ଗଳ ଆଳତୀ, ମଇଲମ, ତଡପଲାଗି, ଅବକାଶ ନୀତି ଶେଷ ହୋଇ ସକାଳଧୂପ ବଢ଼ିବା ପରେ ତିନି ବାଡରୁ ପୂଜାପଣ୍ଡା ସାମନ୍ତ ଆଜ୍ଞାମାଳ ନେଇ ରଥଖଳାରେ ପହଞ୍ଚିଥିଲେ। ଆଜ୍ଞାମାଳ ବିଜେ ପରେ ଘଣ୍ଟୁଆଙ୍କ ଘଣ୍ଟଘଣ୍ଟା ଓ ଡାହୁକର ହୋ ଭକତେ ହୋ ଡାକ ସାଙ୍ଗକୁ ଜୟ ଜଗନ୍ନାଥ ଧ୍ବନିରେ ଗଡିଥିଲା ପ୍ରଥମେ ନନ୍ଦିଘୋଷ ରଥ।ପରେ ଦେବୀ ସୁଭଦ୍ରାଙ୍କ ରଥ ଓ ଶେଷରେ ବଳଭଦ୍ରଙ୍କ ରଥ ସିଂହଦ୍ଵାରରେ ଦଣ୍ଡାୟମାନ ହୋଇଥିଲେ। ଆରକ୍ଷୀ ବାହିନୀ ଓ ଭକ୍ତ ବେଶ ଭକ୍ତି ଓ ଆନନ୍ଦର ସହ ତିନି ରଥକୁ ଟାଣିଥିଲେ। ତିନି ରଥକୁ କଡା ସୁରକ୍ଷା ବଳୟରେ ରଖାଯାଇଛି। ରବିବାର ପ୍ରଭୁଙ୍କ ନବଯୌବନ ଓ ନେତ୍ରୋତ୍ସବ ସହ ରଥଯାତ୍ରା ଥିବାରୁ ଶ୍ରୀମନ୍ଦିରରେ ନବଯୌବନ ଦର୍ଶନ ବନ୍ଦ ରହିବ। ତେଣୁ ଅଗଣିତ ଭକ୍ତ ରଥ ଉପରେ ମହାପ୍ରଭୁଙ୍କ ଦର୍ଶନ ସହ ରଥ ଟାଣିବେ। ରଥ ଉପରେ କନକମୁଣ୍ଡି ସ୍ଥାପନ ଓ ରଥପ୍ରତିଷ୍ଠା ପରେ ଧାଡି ପହଣ୍ଡିରେ ରଥାରୂଢ ହେବେ ଚତୁର୍ଦ୍ଧାବିଗ୍ରହ।
ରଥଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚୂଡ଼ାନ୍ତ ହୋଇଛି ନୀତି ନିର୍ଘଣ୍ଟ । ଶନିବାର ରାତ୍ର ୨ଟାରେ ମଙ୍ଗଳ ଆଳତୀ ହେବ। ରାତ୍ର ୨ଟା ୧୦ରେ ମଇଲମ, ୨ଟା ୩୦ରେ ଅବକାଶ, ୨ଟା ୪୦ରେ ଦଶଅବତାର ଠାକୁର ବାହୁଡ଼ା ବିଜେ, ୩ଟା ୪୫ରେ ଦଇତାପତି ସର୍ବାଙ୍ଗ ବନ୍ଦାପନା ନୀତି ରହିଛି। ସେହିପରି ଭୋର ୪ଟାରେ ନେତ୍ରୋତ୍ସବ ବନ୍ଦାପନା, ରୋଷହୋମ, ୪ଟା ୧୫ରରେ ରାଜନୀତି, ସକାଳ ୫ଟା ୧୦ରେ ସୂର୍ଯ୍ୟ ପୂଜା, ୫ଟା ୨୫ରେ ଦ୍ବାରପାଳ ପୂଜା ରହିଛି। ସକାଳ ୬ଟାରୁ ୭ଟା ମଧ୍ୟରେ ଗୋପାଳ ବଲ୍ଲଭ ଓ ସକାଳ ଧୂପ ପୂଜା, ୭ଟା ୩୦ରୁ ୧୨ଟା ୩୦ ମଧ୍ୟରେ ସେନାପଟା ଲାଗି ଏବଂ ଦିନ ଗୋଟାଏରେ ମଙ୍ଗଳର୍ପଣ ନୀତି ରହିଛି। ଦିନ ଗୋଟାଏ ୧୦ ମିନିଟରେ ପହଣ୍ଡି ଆରମ୍ଭ ହୋଇଛି ଶେଷ ହେବ ୨ଟା ୩୦ ମିନିଟ୍ରେ। ଅପରାହ୍ନ ୪ଟାରେ ଛେରା ପହଁରା ହେବାକୁ ଥିବ ବେଳେ ୫ଟାରେ ରଥଟଣା ହେବ। ସମସ୍ତ ନୀତିକାନ୍ତି ଶୃଙ୍ଖଳିତ ଭାବେ ଶେଷ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ଆଶା ରଖିଥିବା ବେଳେ ବେଶ ଉତ୍ସାହିତ ଅଛନ୍ତି ସେବାୟତ। ମହାପ୍ରଭୁଙ୍କ ଘୋଷଯାତ୍ରାରେ ନିଜକୁ ସାମିଲ୍ ହେବା ପାଇଁ ଭକ୍ତମାନେ ବ୍ୟାକୁଳତାର ସହ ଅପେକ୍ଷା କରିଛନ୍ତି। ଆଉ ବଡ଼ଦାଣ୍ଡ ଧିରେ ଧିରେ ଲୋକାରଣ୍ୟ ହେବାରେ ଲାଗିଛି।
You Can Read:
ଶାବର ଶ୍ରୀକ୍ଷେତ୍ରରେ ରଥଯାତ୍ରା, ଶାନ୍ତି ଶୃଙ୍ଖଳା ରକ୍ଷା କରିବାକୁ କୋରାପୁଟ ଜିଲ୍ଲାପାଳଙ୍କ ଅପିଲ୍