୧୨ରୁ ୧୫ ରତ୍ନଭଣ୍ଡାର ମରାମତି କାମ ସ୍ଥଗିତ, ନୀତିକାନ୍ତିକୁ ଦୃଷ୍ଟିରେ ରଖି ପ୍ରଶାସନର ନିଷ୍ପତ୍ତି

Published By : Prameya-News7 Bureau | January 11, 2025 IST

ପୁରୀ ୧୧/୦୧: ମକରସଂକ୍ରାନ୍ତି ସହ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ନୀତିକାନ୍ତିକୁ ଦୃଷ୍ଟିରେ ରଖି  ଆସନ୍ତା ୧୨ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ୪ଦିନ ଧରି ରତ୍ନଭଣ୍ଡାର ମରାମତି କାମ ସ୍ଥଗିତ  ରଖାଯାଇଛି । ଏନେଇ ଶୁକ୍ରବାର ସୂଚନା ଦେଇଛି  ଶ୍ରୀମନ୍ଦିର କାର୍ଯ୍ୟାଳୟ । ଆସନ୍ତା ୧୬ ତାରିଖରୁ ପୁଣିଥରେ ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଏବଂ ଶ୍ରୀମନ୍ଦିର ପ୍ରଶାସନ ବ୍ୟବସ୍ଥା  ଅନୁସାରେ ରତ୍ନଭଣ୍ଡାର ମରାମତି ଆରମ୍ଭ  ହେବ । 

ଏଥିପାଇଁ ସମସ୍ତଙ୍କ ସହଯୋଗ  କାମନା କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଗତ ମାସ ୧୭ ତାରିଖରୁ ରତ୍ନଭଣ୍ଡାର ମରାମତି କାମ ଆରମ୍ଭ ହୋଇଛି । ପହଲି  ଭୋଗ ନୀତି ଚାଲିଥିବାରୁ ପ୍ରତିଦିନ ରାତି ୨ଟାରୁ  ଶ୍ରୀମନ୍ଦିର ଦ୍ୱାର ଖୋଲି ଦ୍ୱିତୀୟ ଭୋଗମଣ୍ଡପ ଦିନ ସାଢ଼େ ୧୨ଟା ସୁଦ୍ଧା ସାରିବାକୁ ଶ୍ରୀମନ୍ଦିର  କାର୍ଯ୍ୟାଳୟ ପ୍ରସ୍ତୁତି କରିଥିଲା । ହେଲେ ନିର୍ଦ୍ଧାରିତ  ସମୟରେ ନା ନୀତିକ୍ରାନ୍ତି ଆରମ୍ଭ ହୋଇପାରୁଛି  ନା ସରିପାରୁଛି । 

ତେଣୁ ଦୈନିକ ଦିନ ସାଢ଼େ  ୧୨ଟାଠାରୁ ସନ୍ଧ୍ୟା ପ୍ରାୟ ସାଢ଼େ ୫ଟା ପର୍ଯ୍ୟନ୍ତ  ଏଏସ୍‌ଆଇକୁ ରତ୍ନଭଣ୍ଡାର ମରାମତି ନିମନ୍ତେ  ସମୟ ଦେବାକୁ ହୋଇଥିବା ନିଷ୍ପତ୍ତି ଠିକ୍‌ ଭାବେ  କାର୍ଯ୍ୟକାରୀ ହୋଇପାରୁନି । ପ୍ରତ୍ୟେକ ଦିନ ପ୍ରାୟ  ଘଣ୍ଟାଏରୁ ୨ ଘଣ୍ଟା ସମୟ ମିଳୁଥିବାରୁ ଏଏସ୍‌ଆଇର ଶ୍ରମିକମାନେ ପର୍ଯ୍ୟାପ୍ତ ସମୟ ମରାମତି ଓ  ସଂରକ୍ଷଣ ନିମନ୍ତେ ପାଉନାହାନ୍ତି । ନୂଆବର୍ଷ ପୂର୍ବରୁ ମଧ୍ୟ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ରତ୍ନଭଣ୍ଡାର  କାମକୁ ୮ ଦିନ ନିମନ୍ତେ ବନ୍ଦ କରାଯାଇଥିଲା । 

ଏଏସ୍‌ଆଇର ଜଣେ ଅଧିକାରୀଙ୍କ ସୂଚନା  ମୁତାବକ, ଭିତର ଓ ବାହାର ରତ୍ନଭଣ୍ଡାର (ଉଭୟର  ଭିତର ପାଶ୍ୱର୍) ପୂର୍ବ, ପଶ୍ଚିମ, ଉତ୍ତର, ଦକ୍ଷିଣ ଓ  ଉପର ଆଡୁ ଚୁନ ଛଡ଼ା କାମ ସରିଛି । ଏବେ  ଭିତର ରତ୍ନଭଣ୍ଡାର ଭିତର ପାଶ୍ୱର୍ରେ ଖରାପ  ହୋଇଯାଇଥିବା ପଥରଗୁଡ଼ିକ କାଢ଼ି ନୂଆ ପଥର  ଲଗାଯାଉଛି । ପଥର-ପଥର ଭିତରେ ଥିବା ଜଏଣ୍ଟ  ସିଲିଂ (ଯୋଡ଼େଇ ପ୍ଲାଷ୍ଟର)କୁ ପରିଷ୍କାର କରାଯାଇ  ନୂଆ ଜଏଣ୍ଟ ସିଲିଂ କରାଯାଉଛି । 

ଏହି ଦୁଇ କାମ  ସରିବା ପରେ କେମିକାଲ ଟିମ୍‌ କେମିକାଲ ପ୍ରଲେପ  ଦେବା କାମ କରିବ । ପରେ ଚଟାଣରେ ରହିଥିବା ପ୍ଲାଷ୍ଟରକୁ ଛଡ଼ାଇ ଗ୍ରାନାଇଟ୍‌ ପଥର ପକାଯିବ ।  ଭିତର ଭଣ୍ଡାର ଦକ୍ଷିଣ ପାଶ୍ୱର୍ର ଗ୍ରିଲ ଉପରେ  ରହିଥିବା ବିମ୍‌କୁ ବଦାଇ ଦିଆଯିବ । ଏହି ବିମ୍‌  ପୁରୁଣା ପିଟା ଲୁହାରେ ପ୍ରସ୍ତୁତ ହୋଇଥିବାରୁ ପାଣି  ଲିକ୍‌ ଯୋଗୁଁ କଳଙ୍କି ଖାଇ ଫୁଲିଯାଇଛି ଓ ପଥରକୁ  ମଧ୍ୟ ଫଟାଇ ଦେଇଛି । ତେଣୁ ବିମ୍‌କୁ ବଦାଇବା  ସହ ଠଣା(ପକେଟ)କୁ ମରାମତି କରାଯିବ । 

ମରାମତି ସମୟରେ ଅନୁସଙ୍ଗିକ ସହଯୋଗ  ଶ୍ରୀମନ୍ଦିର ପ୍ରଶାସନ ଯୋଗାଇ ଦେଇଛି । ରତ୍ନଭଣ୍ଡାର  ଭିତରେ ବିଦ୍ୟୁତ୍‌ ଆଲୋକ ବ୍ୟବସ୍ଥା କରାଯାଇଛି ।  କାମରେ ନିୟୋଜିତ ଶ୍ରମିକମାନଙ୍କୁ ସ୍ୱତନ୍ତ୍ର  ପରିଚୟପତ୍ର ଯୋଗାଇ ଦିଆଯାଇଛି । ପ୍ରତିଦିନ  ଦିଆଯାଉଥିବା ସମୟ ଓ ସୁବିଧା ଅନୁଯାୟୀ ରତ୍ନଭଣ୍ଡାର ଭିତରେ ମରାମତି କାମ ହେଉଛି । 

ରତ୍ନଭଣ୍ଡାର ଭିତର ପାଶ୍ୱର୍ ମରାମତି ଓ ସଂରକ୍ଷଣ ସରିବା ପରେ ଏହାର ବାହାର ପାଶ୍ୱର୍ ଚୂଡ଼ା ଛଡ଼ା ଯାଇ  ମରାମତି ଓ ସଂରକ୍ଷଣ କାମ କରାଯିବ । ଜିପିଆର  ସର୍ଭେ ଓ ଲେଜର ସ୍କାନିଂ ରିପୋର୍ଟକୁ ଆଧାର କରି ଏହି  ମରାମତି ହେଉଛି ବୋଲି ସୂଚନାରୁ ଜଣାପଡ଼ିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.