ଭୁବନେଶ୍ୱର: ରିଲାଏନ୍ସ ଫାଉଣ୍ଡେସନ୍ ପକ୍ଷରୁ ଅଣ୍ଡର ଗ୍ରାଜୁଏଟ (ସ୍ନାତକ) ଛାତ୍ରବୃତ୍ତି ପାଇଁ ସମଗ୍ର ଭାରତରୁ ୫,୦୦୦ ଅଣ୍ଡର ଗ୍ରାଜୁଏଟ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଛି । ଧୀରୁଭାଇ ଅମ୍ବାନୀଙ୍କ ୯୨ତମ ଜୟନ୍ତୀ ଅବସରରେ ମନୋନୀତ ଛାତ୍ରଛାତ୍ରୀଙ୍କ ତାଲିକା ପ୍ରକାଶ ପାଇଛି । ୨୦୨୪-୨୫ ଅଣ୍ଡର ଗ୍ରାଜୁଏଟ ବୃତ୍ତି ଅଧୀନରେ ପ୍ରତ୍ୟେକ ବିଦ୍ୟାର୍ଥୀଙ୍କୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ ମିଳିବ । ଏହି ଛାତ୍ର ବୃତ୍ତି ପାଇଁ ୧ ଲକ୍ଷରୁ ଅଧିକ ସ୍ନାତକ ଛାତ୍ରଛାତ୍ରୀ ଆବେଦନ କରିଥିଲେ । ଚୟନ ହୋଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ପ୍ରାୟ ୭୦ ପ୍ରତିଶତଙ୍କ ପାରିବାରିକ ବାର୍ଷିକ ଆୟ ୨.୫ ଲକ୍ଷ ଟଙ୍କାରୁ କମ୍ ।
ଛାତ୍ର ବୃତ୍ତିର ପରିସର ବହୁତ ବ୍ୟାପକ ହୋଇଥିବାବେଳେ ୨୯ଟି ରାଜ୍ୟର ୫୪୦ଟି ଜିଲ୍ଲାରୁ ବୃତ୍ତି ପାଇଥିବା ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଛି । ଏହି ୫ ହଜାର ଛାତ୍ରଛାତ୍ରୀ ପ୍ରାୟ ୧୩୦୦ ଶିକ୍ଷାନୁଷ୍ଠାନ ସହ ଜଡ଼ିତ ଅଛନ୍ତି । ଓଡ଼ିଶାର ୧୨୦ ଜଣ ଛାତ୍ରଛାତ୍ରୀ ୨୦୨୪-୨୫ ରିଲାଏନ୍ସ ଫାଉଣ୍ଡେସନ ଛାତ୍ରବୃତ୍ତି ପାଇବାରେ ସଫଳ ହୋଇଛନ୍ତି ।
୧ ଲକ୍ଷ ଆବେଦନକୁ ନେଇ ଖୁସି ବ୍ୟକ୍ତ କରି ରିଲାଏନ୍ସ ଫାଉଣ୍ଡେସନର ମୁଖପାତ୍ର କହିଛନ୍ତି ଯେ, ମନୋନୀତ ଛାତ୍ରଛାତ୍ରୀମାନେ ଦେଶର ସବୁଠାରୁ ମେଧାବୀ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଅନ୍ୟତମ । ଶିକ୍ଷା ହେଉଛି ଭବିଷ୍ୟତର ଚାବିକାଠି ଏବଂ ଆମେ ଏହି ଛାତ୍ରଛାତ୍ରୀଙ୍କ ଶିକ୍ଷା ଯାତ୍ରାର ଏକ ଅଂଶ ହୋଇ ଗର୍ବ ଅନୁଭବ କରୁଛୁ । ସମ୍ମାନଜନକ ରିଲାଏନ୍ସ ଫାଉଣ୍ଡେସନ ଅଣ୍ଡର ଗ୍ରାଜୁଏଟ ବୃତ୍ତି ମାଧ୍ୟମରେ ଆମର ଲକ୍ଷ୍ୟ ହେଉଛି ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ପୂର୍ଣ୍ଣ କ୍ଷମତା ପର୍ଯ୍ୟନ୍ତ ପହଞ୍ଚିବାରେ ସାହାଯ୍ୟ କରିବା, ଯାହା ଫଳରେ ଭାରତର ବିକାଶରେ ସେମାନେ ନିଜର ଯୋଗଦାନ ଦେଇପାରିବେ ।
ଛାତ୍ର ବୃତ୍ତିର ସମ୍ପୂର୍ଣ୍ଣ ତାଲିକା www.reliancefoundation.orgରେ ଦେଖିବାକୁ ମିଳିବ । ୧୭ ଅଙ୍କ ବିଶିଷ୍ଟ ଆବେଦନ ସଂଖ୍ୟା କିମ୍ବା ପଞ୍ଜୀକୃତ ଇମେଲ୍ ଆଇଡି ଦେଇ ଫଳାଫଳ ଜାଣିପାରିବେ । ୨୦୨୨ ଡିସେମ୍ବରରେ ରିଲାଏନ୍ସ ପ୍ରତିଷ୍ଠାତା ଅଧ୍ୟକ୍ଷ ଧୀରୁଭାଇ ଅମ୍ବାନୀଙ୍କ ୯୦ତମ ଜୟନ୍ତୀ ଅବସରରେ ରିଲାଏନ୍ସ ଫାଉଣ୍ଡେସନ୍ ଅଧ୍ୟକ୍ଷା ନୀତା ଅମ୍ବାନୀ ଆସନ୍ତା ୧୦ ବର୍ଷ ମଧ୍ୟରେ ୫୦,୦୦୦ ଛାତ୍ରବୃତ୍ତି ଘୋଷଣା କରିଥିଲେ । ସେବେଠାରୁ ପ୍ରତିବର୍ଷ ୫୧୦୦ ଛାତ୍ରଛାତ୍ରୀଙ୍କୁ ବୃତ୍ତି ଦିଆଯାଉଛି । ରିଲାଏନ୍ସ ଫାଉଣ୍ଡେସନର ଛାତ୍ର ବୃତ୍ତିର ଭାରତର ସର୍ବ ବୃହତ ଘରୋଇ ଛାତ୍ର ବୃତ୍ତି ଭାବରେ ରେକର୍ଡ ମଧ୍ୟ ରହିଛି ।