ସାହାରାରେ ନିବେଶ କରିଥିବା ନିବେଶକଙ୍କୁ ଆଶ୍ୱସ୍ତି, ଏବେ ମିଳିବ ୫୦,୦୦୦ଟଙ୍କା

Published By : Prameya-News7 Bureau | September 19, 2024 IST

ନୂଆଦିଲ୍ଲୀ ୧୯।୯: ସାହାରା ସମୂହରେ ଅର୍ଥନିବେଶ କରିଥିବା ନିବେଶକଙ୍କ ଲାଗି ଆଶ୍ୱସ୍ତିର ଖବର। ଏବେ ସରକାର ୧୦ ହଜାର ଟଙ୍କା ଜାଗାରେ ୫୦ ହଜାର ଟଙ୍କା ଫେରସ୍ତ କରିବେ। ସରକାର ଅର୍ଥର ସୀମା ବଢେଇ ୫୦ ହଜାର ଟଙ୍କା କରିଦେଇଛନ୍ତି। ଏଣୁ ଯେଉଁମାନେ ସାହାରା ସ୍କିମରେ ଅଧିକ ନିବେଶ କରିଥିଲେ ସେମାନଙ୍କୁ ଆଶ୍ୱସ୍ତି ମିଳିବ ବୋଲି ଅନୁମାନ କରାଯାଉଛି। ଏହା ପୂର୍ବରୁ ସରକାର ସାହାରା ନିବେଶକଙ୍କୁ ସର୍ବାଧିକ ୧୦ ହଜାର ଟଙ୍କା ଫେରସ୍ତ କରୁଥିଲେ। 

ସମବାୟ ମନ୍ତ୍ରାଳୟ ଅଧିକାରୀଙ୍କ ସୂଚନା ଅନୁସାରେ ସରକାର ଏ ପର୍ଯ୍ୟନ୍ତ ସେଣ୍ଟ୍ରାଲ ରାଜିଷ୍ଟ୍ରାର ଅଫ କୋ-ଅପରେଟିବ ସୋସାଇଟିଜ୍ (ସିଆରସିଏସ୍) ସାହାରା ରିଫଣ୍ଡ ପୋର୍ଟାଲ ମାଧ୍ୟମରେ ସାହାରା ସମୂହ ସମବାୟ ସମିତିର ୪.୨୯ ଲକ୍ଷରୁ ଅଧିକ ଜମାକାରୀଙ୍କ ୩୭୦ କୋଟି ଟଙ୍କା ଜାରି କରିଛନ୍ତି। ଅଧିକାରୀ କହିଛନ୍ତି ଯେ ଏବେ ରିଫଣ୍ଡ ରାଶି ସୀମା ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ବଢାଇ ଦିଆଯାଇଥିବାରୁ ଆଗାମୀ ୧୦ ଦିନରେ ୧ହଜାର କୋଟି ଟଙ୍କା ରିଫଣ୍ଡ କରାଯିବ। ସେ କହିଛନ୍ତି ଯେ ଗତ ସପ୍ତାହରେ ସ୍ୱଳ୍ପ ନିବେଶକଙ୍କ ଲାଗି ରିଫଣ୍ଡ ଏମାଉଣ୍ଟ ଲିମିଟ୍ ୧୦ ହଜାରରୁ ବଢାଇ ୫୦ ହଜାର କରାଯାଇଛି। 

ସରକାର ରିଫଣ୍ଡ ଜାରି କରିବା ପୂର୍ବରୁ ଜମାକର୍ତ୍ତାଙ୍କ ଦାବିର ସାବଧାନତା ପୂର୍ବକ ଯାଞ୍ଚ କରୁଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ସାହାରା ସମୂହର ୪ ମଲ୍ଟି ଷ୍ଟେଟ କୋ-ଅପରେଟିଭ ସୋସାଇଟି ବାସ୍ତବିକ ଜମାକାରୀଙ୍କ ବୈଧ ଜମା ଆମାଉଣ୍ଟ ଫେରସ୍ତର କ୍ଲେମ କରିବା ପାଇଁ ସିଆରସିଏସ୍-ସାହାରା ରିଫଣ଼୍ଡ ପୋର୍ଟାଲ ୧୮ ଜୁଲାଇ ୨୦୨୩ରେ ଖୋଲିଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.