କେରଳର ୱାୟନାଡ଼ରେ ସନ୍ଧାନୀ କୁକୁର ଷ୍ଟର୍ମ, ନିଖୋଜଙ୍କୁ ଖୋଜିବାରେ କରୁଛି ସାହାଯ୍ୟ

Published By : Prameya-News7 Bureau | August 06, 2024 IST

ବ୍ରହ୍ମପୁର ୬।୮: କେରଳର ୱାୟନାଡ଼ରେ ପହଞ୍ଚି ସର୍ଚ୍ଚ ଅପରେସନରେ ସହଯୋଗ କରୁଛି ଓଡିଶା ପୋଲିସର ସ୍ୱତନ୍ତ୍ର ପ୍ରଶିକ୍ଷିତ ସନ୍ଧାନୀ କୁକୁର 'ଷ୍ଟର୍ମ' । କେରଳର ୱାୟନାଡ଼ରେ ଭୟାନକ ଭୂସ୍ଖଳନରେ ଅନେକ ପ୍ରାଣ ହରାଇଥିବା ବେଳେ ଏବେ ବି ଅନେକଙ୍କ ପତ୍ତା ମିଳୁନି । ଏବେବି ଅନେକ ନିଖୋଜ ଅଛନ୍ତି । ମାଟି ତଳେ ଚାପି ହୋଇଥିବା କିମ୍ବା ଅନ୍ୟ କେଉଁଠି ଥିବା ନିଖୋଜଙ୍କର ସନ୍ଧାନୀ କୁକୁର ଷ୍ଟର୍ମ ସନ୍ଧାନ ଦେବା ଆଶା କରାଯାଉଛି । ମଙ୍ଗଳବାର ସକାଳ ଠାରୁ ଓଡିଶା ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ସନ୍ଧାନୀ କୁକୁର ଷ୍ଟର୍ମ ଦ୍ୱାରା ସର୍ଚ୍ଚ କରୁଥିବା ନିୟୋଜିତ କର୍ମଚାରୀ ସୂଚନା ଦେଇଛନ୍ତି ।

କେରଳର ୱାୟନାଡ ଭୂସ୍ଖଳନ ସ୍ଥଳରେ ଅନେକ ଲୋକ ପୋତି ହୋଇ ରହିଥିବା ସନ୍ଦେହ କରାଯାଉଥିବା ବେଳେ ସେମାନଙ୍କୁ ଠାବ କରିବା  ପାଇଁ ଯାଇଥିବା ଓଡ଼ିଶା ପୋଲିସର ସ୍ୱତନ୍ତ୍ର ପ୍ରଶିକ୍ଷିତ ସନ୍ଧାନୀ କୁକୁର ଷ୍ଟର୍ମ ଏବେ ବେଶ ଚର୍ଚ୍ଚାରେ ।  ୨୦୧୮ ମସିହା ସେପ୍ଟେମ୍ବର ମାସରେ ଷ୍ଟର୍ମର ଜନ୍ମ । ସେ ଉନ୍ନତ ମାନର ଜର୍ମାନ ସେଫର୍ଡ୍‌ ପ୍ରଜାତିର । ଭୁବନେଶ୍ୱରର ଜଣେ ପଞ୍ଜିକୃତ କୁକୁର ପାଳକଙ୍କ ଠାରୁ ଷ୍ଟର୍ମକୁ ୨୦୧୯ ମସିହାରେ ରାଜ୍ୟ ପୋଲିସ କ୍ରାଇମ୍‌ବ୍ରାଞ୍ଚ୍‌ର କେ-୯ ସ୍କ୍ୱାଡ୍‌କୁ ଅଣାଯାଇଥିଲା ।ସେତେବେଳେ ତାର ବୟସ ଥିଲା ମାତ୍ର ୫ ମାସ । ପରେ ତାର ପ୍ରଶିକ୍ଷଣ ଆରମ୍ଭ  ହୋଇଥିଲା । ରାଜ୍ୟରେ ବାରମ୍ବାର ହେଉଥିବା  ପ୍ରାକୃତିକ ଦୁର୍ବିପାକ ବେଳେ ଜୀବିତ କିମ୍ବା  ମୃତ ବ୍ୟକ୍ତିଙ୍କୁ ଖୋଜି ବାହାର କରିବା ପାଇଁ ‘ଷ୍ଟର୍ମ’କୁ ସ୍ୱତନ୍ତ୍ର ଭାବେ ପ୍ରଶିକ୍ଷଣ ଦିଆଯାଇଛି ।  ମାଟିତଳୁ କିମ୍ବା ଭଙ୍ଗା କୋଠାବାଡ଼ି ତଳୁ ମଣିଷ  ଶରୀରର ବାସ୍ନାକୁ ଶୁଙ୍ଘି ବାହାର କରିବା ପାଇଁ  ପ୍ରାୟ ୯ମାସ ପର୍ଯ୍ୟନ୍ତ ‘ଷ୍ଟର୍ମ’କୁ ପ୍ରଶିକ୍ଷଣ ଦିଆଯାଇଛି । ସେ ଓଡ଼ିଶା ପୋଲିସର ଏକମାତ୍ର କୁକୁର ବା ଶ୍ୱାନ ଯାହାର ପଞ୍ଜୀକରଣ ନମ୍ବର ଅଛି । ଚେନ୍ନାଇରେ ଥିବା କେନେଲ୍‌ କ୍ଲବ୍‌ ଅଫ୍‌ ଅଣ୍ଡିଆରେ ‘ଷ୍ଟର୍ମ’ର ନାଁ ପଞ୍ଜିକୃତ ହୋଇଛି । କିଛି ବର୍ଷ ହେବ ଦକ୍ଷିଣ ଓଡ଼ିଶାରେ ଖାସ୍‌ କରି  ଗଜପତି ଜିଲ୍ଲାରେ ଛୋଟବଡ଼ ଭୂସ୍ଖଳନ ଭଳି  ଘଟଣା ଘଟିଛି । ସେହିପରି ଗଞ୍ଜାମ ଓ ଗଜପତି ଜିଲ୍ଲାରେ ବାରମ୍ବାର ବାତ୍ୟାର ପ୍ରକୋପ ମଧ୍ୟ ରହୁଛି । ସେଥିପାଇଁ ‘ଷ୍ଟର୍ମ’ର ପ୍ରଶିକ୍ଷଣ ପରେ ଦକ୍ଷିଣ ଓଡ଼ିଶା ଜୋନ୍‌ ଅଞ୍ଚଳରେ ତାକୁ ଡ୍ୟୁଟି ଦିଆଯାଇଛି । ଷ୍ଟର୍ମର ବୟସ ଏବେ ପ୍ରାୟ ୬ ବର୍ଷ । ଆଉ ପ୍ରାୟ ୪ ବର୍ଷ ପର୍ଯ୍ୟନ୍ତ ସେ ପୋଲିସ ବାହିନୀରେ ସେବା ପ୍ରଦାନ କରିପାରିବ । 

ୱାୟନାଡ୍ ଯିବା ପାଇଁ କେରଳ ପୋଲିସର ନିବେଦନକୁ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ  ଅରୁଣ ଷଡ଼ଙ୍ଗୀ ଗ୍ରହଣ କରିଥିଲେ । ପରେ କ୍ରାଇମବ୍ରାଞ୍ଚ୍‌ ଏଡିଜି ଅରୁଣ ବୋଥ୍ରା ଓ ଆଇଜି ସେଫିନ୍‌ ଏହମ୍ମଦ୍‌ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରିଥିଲେ । ଉକ୍ତ ଟିମ୍‌ରେ ଅନୁଗୋଳ କେ-୯  ଡଗ୍‌ ସ୍କ୍ୱାଡ୍‌ରେ କାମ କରୁଥିବା ଏସ୍‌ଆଇ ଅନୁଜ  ଟାଉଦିଆ, କଟକ କେ-୯ ସ୍କ୍ୱାଡ୍‌ର ଏଏସ୍‌ଆଇ  ଡି.କେ. ବିଶ୍ୱାଳ, ଷ୍ଟର୍ମର ମୁଖ୍ୟ ପରିଚାଳକ (ମେନ୍‌ ହ୍ୟାଣ୍ଡଲର୍‌) ବ୍ରହ୍ମପୁର କେ-୯ ଟିମ୍‌ର ହେଡ୍‌ କନ୍‌ଷ୍ଟେବଲ ପ୍ରହଲ୍ଲାଦ ନାୟକ ଓ ସହ ପରିଚାଳକ (ହ୍ୟାଣ୍ଡଲର) ଭୁବନେଶ୍ୱର ଟିମ୍‌ର କନ୍‌ଷ୍ଟେବଲ ପାର୍ଥସାରଥୀ ବେହେରା  ରହିଛନ୍ତି । ସୋମବାର ରାତି ସୁଦ୍ଧା ଘଟଣାସ୍ଥଳରେ ପହଞ୍ଚିସାରିଛି ‘ଷ୍ଟର୍ମ’ । ସେଠାରେ ପୂର୍ବରୁ ଉପସ୍ଥିତ ଅନ୍ୟ ସରକାରୀ ଏଜେନ୍ସି ସହିତ ମିଶି ଷ୍ଟର୍ମ ତାର ଅପରେସନ୍‌ ଆରମ୍ଭ କରିଛି ବୋଲି ସୂଚନା ରହିଛି ।

You Can Read:

ଫୁଲ ତୋଳିବାକୁ ଯିବାବେଳେ ଧକ୍କା ଦେଲା ଅଜଣା ଗାଡି, କ୍ଷଟିପୂରଣ ଦାବିରେ ରାସ୍ତା ଅବରୋଧ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.