ନୂଆଦିଲ୍ଲୀ ୨୨/୦୧: କୋଲକାତାର ଆର୍ଜି କର ହସ୍ପିଟାଲରେ ଟ୍ରେନି ଡାକ୍ତରଙ୍କୁ ବଳାତ୍କାର-ହତ୍ୟା ମାମଲାରେ ଦୋଷୀ ସଞ୍ଜୟ ରାୟଙ୍କୁ ସୋମବାର ଆଜୀବନ କାରାଦଣ୍ଡ ଶୁଣାଇଥିଲେ ସିଆଲଦା ସେସନ୍ସ କୋର୍ଟ । ଏହି ସମୟରେ କୋର୍ଟ ହସ୍ପିଟାଲ ପ୍ରଶାସନ ଓ ପୁଲିସର ପ୍ରତିକ୍ରିୟା ସଂପର୍କରେ କଡ଼ା ଟିପ୍ପଣୀ କରିଛନ୍ତି । ଜଷ୍ଟିସ୍ ଅନିର୍ବାଣ ଦାସଙ୍କର ୧୭୨ ପୃଷ୍ଠାର ରାୟର ଏକ ଅଂଶରେ ଏଥିନେଇ କରାଯାଇଥିବା ଅବହେଳା ସଂପର୍କରେ ଉଲ୍ଲେଖ ରହିଛି ।
ଜଷ୍ଟିସ୍ ଦାସଙ୍କ ଅନୁସାରେ, ମାମଲା ରୁଜୁ କରିବାକୁ ବାରମ୍ବାର ଦୌଡ଼ିଥିଲେ ପୀଡି଼ତାଙ୍କର ଅସହାୟ ବାପା । ଗତବର୍ଷ ଅଗଷ୍ଟ ୯ ତାରିଖ ଭୋର୍ରେ ଏହି ଜଘନ୍ୟ କାଣ୍ଡ ଘଟିଥିବାବେଳେ ରାତି ୧୧.୩୦ରେ କାହିଁକି ମାମଲା ରୁଜୁ କରାଗଲା । ତାଲା ପୋଲିସ ଷ୍ଟେସନ୍ର ଏଏସ୍ଆଇ ଅନୁପ ଦତ୍ତ ତ ଅଭିଯୁକ୍ତଙ୍କର ଯତ୍ନ ନେଇଥିଲେ । ଏଭଳି ମାମଲାରେ କୋଲକାତା ପୁଲିସ କମିଶନରଙ୍କୁ କଡ଼ା ପଦକ୍ଷେପ ନେବାର ଥିଲା ।
ଏହା ଏକ ଏମିତି ମାମଲା ଥିଲା ଯେଉଁଥିରେ ସବୁକିଛି ପରିସ୍ଥିତି, ଇଲୋକ୍ଟ୍ରୋନିକ ଓ ସାଇଣ୍ଟିଫିକ୍ ପ୍ରମାଣ ଆଧାରିତ ଥିଲା । ଯଦି ପୋଲିସ ଷ୍ଟେସନ୍ ପ୍ରାଥମିକ ଭାବେ ଏହି ମାମଲାକୁ ଗୁରୁତ୍ୱର ସହ ନେଇଥାନ୍ତା ତେବେ ଏହା ଏତେ ଜଟିଳ ହୋଇନଥାନ୍ତା । ସେହିପରି ଆର୍ଜି କର ହସ୍ପିଟାଲ ବି ପୀଡି଼ତାଙ୍କ ମୃତ୍ୟୁକୁ ଆତ୍ମହତ୍ୟା ଦର୍ଶାଇଥିଲା । ଜୁନିଅର ଡାକ୍ତରମାନେ ବିକ୍ଷୋଭ ଆରମ୍ଭ କରିବାରୁ ହସ୍ପିଟାଲ କର୍ତ୍ତୃପକ୍ଷଙ୍କର ଏହି ବେଆଇନ ସ୍ୱପ୍ନ ପୂରଣ ହୋଇପାରିନଥିଲା ।
ହସ୍ପିଟାଲ ଯୋଗୁ ହିଁ ଏହି ମାମଲାରେ ତଦନ୍ତରେ ବିଳମ୍ବ ହେଲା । ଦଣ୍ଡପ୍ରଦାନ ସଂପର୍କରେ ଜଷ୍ଟିସ୍ ଦାସ କହିଥିଲେ ଯେ, ଏହି ଅପରାଧ ଜଘନ୍ୟ ଥିଲା । କିନ୍ତୁ ଏହା ବିରଳରୁ ଅତି ବିରଳତମ ମାମଲା ଶ୍ରେଣୀରେ ଆସୁନାହିଁ । ସେଥିଲାଗି ଫାଶୀ ଦିଆଯାଇନାହିଁ । ନ୍ୟାୟପାଳିକାର କାମ ହେଲା ନ୍ୟାୟକୁ ଅତୁଟ ରଖିବା ।
ରାୟ ଜନତାଙ୍କ ଭାବନା ନୁହେଁ, ପ୍ରମାଣ ଆଧାରରେ ଦିଆଯିବାକୁ ଆମେ ସୁନିଶ୍ଚିତ କରିଥାଉ । ଆଧୁନିକ ନ୍ୟାୟ ଦୁନିଆରେ ଆମକୁ ଆଖି ବଦଳରେ ଆଖି ଓ ଜୀବନ ବଦଳରେ ଜୀବନ ନେବାର ଭାବନାରୁ ଊଦ୍ଧ୍ୱର୍କୁ ଉଠିବା ଆବଶ୍ୟକ । ଇତିମଧ୍ୟରେ ପଶ୍ଚିମବଙ୍ଗ ସରକାର ଆଜି ସେସନ୍ସ କୋର୍ଟଙ୍କ ରାୟକୁ ହାଇକୋର୍ଟରେ ଚାଲେଞ୍ଜ କରିଛନ୍ତି ।
ସେଥିରେ ଦୋଷୀଙ୍କୁ ଫାଶୀ ଦେବାକୁ ଆବେଦନ କରାଯାଇଛି । ସେପଟେ ସୁପ୍ରିମକୋର୍ଟ ଏହି ମାମଲାରେ ବୁଧବାର ସ୍ୱତଃ ଶୁଣାଣି କରିବେ । ଏଥିସହିତ ପୀଡ଼ିତାଙ୍କ ପିତାମାତାଙ୍କ ପକ୍ଷରୁ ତଦନ୍ତରେ ଅବହେଳା ଅଭିଯୋଗରେ ଦାଖଲ ଏକ ଆବେଦନର ମଧ୍ୟ ଶୁଣାଣି ହେବ ।
also read..
ରାଷ୍ଟ୍ରପତି ଭାବେ ମିଳେ କେଉଁ ସୁବିଧା? କେତେ ମିଳେ ଦରମା, ଚଲାନ୍ତି କେଉଁ ଗାଡି?