ବାଂଲାଦେଶ ଟେଷ୍ଟ ପୂର୍ବରୁ ଆକ୍ସନ ମୋଡରେ ରୋହିତ ଶର୍ମା, ଜିମ୍‌ରେ ବୁହାଉଛନ୍ତି ଝାଳ

Published By : Prameya-News7 Bureau | September 07, 2024 IST

abp live

ନୂଆଦିଲ୍ଲୀ: ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କୁ ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ୍ ପୂର୍ବରୁ ଆକ୍ସନ ମୋଡ଼ରେ ଦେଖିବାକୁ ମିଳିଛି। ଭାରତ ଓ ବାଂଲାଦେଶ ମଧ୍ୟରେ ସେପ୍ଟେମ୍ବର ୧୯ ତାରିଖରୁ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳାଯିବ। ଏଥିପାଇଁ ରୋହିତ ଶର୍ମା ଜିମ୍‌ରେ ଝାଳ ବୁହାଉଛନ୍ତି। ଏହି ଟେଷ୍ଟ ସିରିଜ୍ ପୂର୍ବରୁ ରୋହିତ ନିଜ ପ୍ରସ୍ତୁତିରେ କୌଣସି ହେଳା କରିବାକୁ ଚାହୁଁ ନାହାନ୍ତି। 

ସାମାଜିକ ଗଣମାଧ୍ୟମରେ ରୋହିତ ଶର୍ମାଙ୍କ ଏକ ଭିଡିଓ ଦ୍ରୁତ ବେଗରେ ଭାଇରାଲ୍ ହେବାରେ ଲାଗିଛି, ଯେଉଁଥିରେ ରୋହିତ ଜିମ୍‌ରେ ଝାଳ ବୁହାଉଛନ୍ତି। ପ୍ରଥମେ ହିଟ୍‌ମ୍ୟାନ୍‌ ଟାୟର ଲିଫ୍ଟିଂ କରୁଛନ୍ତି। ପୁଣି ବାକି ଅଭ୍ୟାସ୍ କରୁଥିବା ଦେଖିବାକୁ ମିଳିଛି। ବାଂଲାଦେଶ ଟେଷ୍ଟ ସିରିଜ୍ ପୂର୍ବରୁ ରୋହିତ ନିଜର ଫିଟନେସ୍ ଉପରେ କାମ କରୁଛନ୍ତି। 




ଏହା ପୂର୍ବରୁ ରୋହିତ ଶର୍ମାଙ୍କୁ ଶ୍ରୀଲଙ୍କା ବିପକ୍ଷରେ ଖେଳା ଯାଇଥିବା ଦିନିକିଆ ଶୃଙ୍ଖଳାରେ ଆକ୍ସନରେ ଦେଖିବାକୁ ମିଳିଥିଲା। ଏବେ ଦିନିକିଆ ପରେ ଦଳ ସିଧାସଳଖ ଟେଷ୍ଟ ପାଇଁ ମଇଦାନକୁ ଓହ୍ଲାଇବ। ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ୍‌ରେ ରୋହିତ ଶର୍ମାଙ୍କ ବ୍ୟାଟ୍ ଖୁବ୍ ଗର୍ଜିଥିଲା।କିନ୍ତୁ ଅନ୍ୟ ବ୍ୟାଟରଙ୍କ ବିଫଳତା ଯୋଗୁଁ ଦଳ ସିରିଜ୍ ହାରିଥିଲା।

ସୂଚନାଯୋଗ୍ୟ, ପ୍ରଥମ ଟେଷ୍ଟ ସେପ୍ଟେମ୍ବର ୧୯ରୁ ସେପ୍ଟେମ୍ବର ୨୩ ମଧ୍ୟରେ ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯିବ। ପୁଣି ଦ୍ଵିତୀୟ ଟେଷ୍ଟ କାନପୁରର ଗ୍ରୀନ ପାର୍କ ଷ୍ଟାଡିୟମରେ ସେପ୍ଟେମ୍ବର ୨୭ରୁ ଅକ୍ଟୋବର ୧ ତାରିଖ ପର୍ଯ୍ୟନ୍ତ ଖେଳାଯିବ। ଏହା ପରେ ଟି-୨୦ ସିରିଜ୍ ଅକ୍ଟୋବର ୬ ତାରିଖରୁ ଖେଳାଯିବ।ଦ୍ଵିତୀୟ ମ୍ୟାଚ୍ ଅକ୍ଟୋବର ୯ ଏବଂ ତୃତୀୟ ଅକ୍ଟୋବର ୧୨ ତାରିଖରେ ଖେଳାଯିବ। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.