ଭୁବନେଶ୍ବର: ଫର୍ମ ଟେମ୍ପରାରୀ, କ୍ଲାସ୍ ପରମାନେଣ୍ଟ । ବାରବାଟୀରେ ରୋହିତ୍ ରୋମାଞ୍ଚ । ଗର୍ଜିଲା ହିଟ୍ ମ୍ୟାନଙ୍କ ବ୍ୟାଟ୍ । ଦ୍ବିତୀୟ ଦିନିକିଆରେ ଦୁର୍ଦ୍ଦଶ ଶତକ । ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ କ୍ୟାପଟେନ୍ ଇଜ୍ କମ୍ ବ୍ୟାକ୍ । ଟି-୨୦ ବିଶ୍ବକପ୍ ପରେ ଫର୍ମ ପାଇଁ ସଂଘର୍ଷ କରୁଥିବା ରୋହିତ୍ ଶର୍ମାଙ୍କ ଉଗ୍ର ଅବତାର ବାରବାଟୀରେ ଦେଖିବାକୁ ମିଳିଛି । ବର୍ଡର ଗାଭାସ୍କର ଟ୍ରଫିରେ ହ୍ୟୁମିଲେଟ୍ ହୋଇଥିବା ହିଟ୍ ମ୍ୟାନ୍ କଟକରେ ବୋଲରଙ୍କୁ ହାରାସ୍ କରିଛନ୍ତି । ବାରବାଟୀ ଷ୍ଟାଡିୟମରେ କ୍ୟାରିୟରର ୩୨ତମ ଶତକ ମାରି ଅସ୍ତିତ୍ବ ଲଢ଼େଇରେ ଜିତି ଯାଇଛନ୍ତି ରୋହିତ୍ । କଟକରେ ଖେଳାଯାଇଥିବା ଦ୍ବିତୀୟ ଦିନିକିଆରେ ବ୍ରିଟିଶ ବୋଲରଙ୍କ ଉପରେ ଖୁବ୍ ପ୍ରହାର କରି ଲଗାନ୍ ଅସୁଲ କରିଥିଲେ ଅଧିନାୟକ । ମାତ୍ର ୭୬ଟି ବଲରୁ ଦୁର୍ଦ୍ଦଶ ଶତକୀୟ ଇନିଂସ ଖେଳିଥିଲେ ହିଟ୍ ମ୍ୟାନ୍ । ଆଉ ୧୧୯ ରନ୍ କରି ଟିମ୍ ଇଣ୍ଡିଆର ବିଜୟ ପଥ ପରିଷ୍କାର କରିଥିଲେ । ଫଳରେ ୩୦୪ ରନର ଟାର୍ଗେଟକୁ ଭାରତୀୟ ଦଳ ସହଜରେ ଜିତି ନେଇଥିଲା ଏବଂ ବାରବାଟୀ ଦୁର୍ଗକୁ ଦଖଲ କରି ୨-୦ରେ ସିରିଜ୍ କବଜା କରିଥିଲା ।
ଦୀର୍ଘ ଦିନ ହେଲା ଫର୍ମ ପାଇଁ ସଂଘର୍ଷ କରୁଥିଲେ ଅଧିନାୟକ ରୋହିତ୍ ଶର୍ମା । ଟି-୨୦ ବିଶ୍ବକପରେ ବୋଲରଙ୍କ ଉପରେ ବର୍ଷିଥିବା ହିଟ୍ ମ୍ୟାନଙ୍କ ବ୍ୟାଟ୍ ହଠାତ୍ ଶାନ୍ତ ପଡ଼ିଯାଇଥିଲା । ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ୍ ପରେ ଫର୍ମ ଲେସ୍ ହୋଇଯାଇଥିଲେ ଅଧିନାୟକ । ଶ୍ରୀଲଙ୍କାରେ ସନ୍ତୋଷଜନକ ଖେଳିଥିଲେ ମଧ୍ୟ ଶୃଙ୍ଖଳା ହାରି ଥିଲା ଟିମ୍ ଇଣ୍ଡିଆ । ଏହାପରେ ବାରମ୍ବାର ଫେଲ୍ ମାରିଥିଲେ ରୋହିତ୍ ଶର୍ମା । ନ୍ୟୁଜିଲାଣ୍ଡ ବିପକ୍ଷ ଘରୋଇ ଟେଷ୍ଟ ସିରିଜର ୬ ଇନିଂସରେ ମାତ୍ର ୯୧ ରନ କରି ସମାଲୋଚନାର ଶିକାର ହୋଇଥିଲେ ଟି-୨୦ ବିଶ୍ବ ବିଜେତା ଅଧିନାୟକ । ଏତିକିରେ ଥମି ନଥିଲା ରୋହିତ୍ ଶର୍ମାଙ୍କ ସଂଘର୍ଷ । ଅସଲ ପରୀକ୍ଷା ବର୍ଡର ଗାଭାସ୍କାର ଟ୍ରଫିରେ ହୋଇଥିଲା । ଟି-୨୦ ବିଶ୍ବକପରେ ଅଷ୍ଟ୍ରେଲିଆକୁ ହାରାସ୍ କରିଥିବା ରୋହିତ୍ କଙ୍ଗାରୁଙ୍କ ସାମ୍ନାରେ ହ୍ୟୁମିଲେଟ୍ ହୋଇଥିଲେ । ୩ଟି ଟେଷ୍ଟ ମ୍ୟାଚର ୫ ଇନିଂସରୁ ମାତ୍ର ୩୧ ରନ ସଂଗ୍ରହ କରିଥିଲେ । ଆଉ ଅନ୍ତିମ ମ୍ୟାଚରେ ଡ୍ରପ୍ ହୋଇଥିଲେ ହିଟ୍ ମ୍ୟାନ୍ । ଯାହାଫଳରେ ବର୍ଡର ଗାଭାସ୍କାର ଟ୍ରଫି ସହିତ ଟିମ୍ ଇଣ୍ଡିଆର ବିଶ୍ବ ଟେଷ୍ଟ ଚାମ୍ପିଅନ୍ସ ଫାଇନାଲ ଆଶା ଧୂଳିସାତ୍ ହୋଇଥିଲା ।
ଦୁଇଟି ଟେଷ୍ଟ ସିରିଜରେ ଲଗାତାର ଫେଲ୍ ମାରିଥିଲେ ରୋହିତ୍ ଶର୍ମା । ଯାହା ପରେ ହିଟ୍ ମ୍ୟାନଙ୍କ ସାମର୍ଥ୍ୟକୁ ନେଇ ପ୍ରଶ୍ନ ଉଠିଥିଲା । କ୍ୟାରିୟରର ଅନ୍ତ ହୋଇଗଲା ବୋଲି ଇଙ୍ଗିତ କରିଥିଲେ କ୍ରିକେଟ୍ ବିଶେଷଜ୍ଞ । ମାତ୍ର ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ୍ ଲଗାଇଛନ୍ତି ରୋହିତ୍ । ବାରବାଟୀରେ ଦୁର୍ଦ୍ଦଶ ଶତକୀୟ ଇନିଂସ ଖେଳି ସମାଲୋଚକଙ୍କୁ ସାମର୍ଥ୍ୟର ପ୍ରମାଣ ଦେଇଛନ୍ତି । ତେବେ ଆଗକୁ ଆଇସିସି ଚାମ୍ପିଅନ୍ସ ଟ୍ରଫି ରହିଥିବାରୁ ରୋହିତଙ୍କ କମ୍ ବ୍ୟାକ୍ ବିରୋଧୀ ବୋଲରଙ୍କ ପାଇଁ ସତର୍କ ଘଣ୍ଟି ସଦୃଶ ହୋଇଛି । ଟିମ୍ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ତାଙ୍କୁ ପ୍ରଶଂସା କରିବା ସହିତ ଏହି ଶତକ ଦଳର ଆତ୍ମବିଶ୍ବାସ ବଢ଼ାଇବ ବୋଲି କହିଛନ୍ତି ।