ନୟାଗଡ଼: ସରପଞ୍ଚଙ୍କ ସ୍ବାମୀ ଏବଂ ସମିତି ସଭ୍ୟଙ୍କ ମଧ୍ୟରେ ହଣାକଟା । ଗୁରୁତର ହେଲେ ଉଭୟ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଇଟାମାଟି ଥାନା ଶରଧାପୁରରେ ।ଗାଁରେ ସରପଞ୍ଚଙ୍କ ସ୍ବାମୀ ଏବଂ ସମିତି ସଭ୍ୟଙ୍କ ରାଜନୈତିକ ଶତ୍ରୁତା କାରଣରୁ ହଣାକଟା ହୋଇଥିବା ନେଇ ଅଭିଯୋଗ ହୋଇଛି। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ସ୍ଥାନାନ୍ତର। ଗୁରୁତର ହେଲେ ସରପଞ୍ଚଙ୍କ ସ୍ବାମୀ ସନ୍ତୋଷ ମୁଦୁଲି ଏବଂ ସମିତିସଭ୍ୟ ସୁଜିତ୍ ପ୍ରଧାନ।
ସୂଚନା ଅନୁଯାୟୀ, ଇଟାମାଟି ଥାନା ଶରଧାପୁର ଗ୍ରାମର ସରପଞ୍ଚଙ୍କ ସ୍ବାମୀ ସନ୍ତୋଷ ଘର ନିକଟରେ ଛିଡ଼ା ହୋଇଥିବାବେଳେ ସୁଜିତ୍ ଓ ତାଙ୍କ ସମର୍ଥକମାନେ ହଠାତ୍ ଆସି ସନ୍ତୋଷଙ୍କ ଖଣ୍ଡା ଏବଂ ଠେଙ୍ଗାରେ ଆକ୍ରମଣ କରିଥିବା ସନ୍ତୋଷଙ୍କ ସମର୍ଥକମାନେ କହିଛନ୍ତି।
ଖଣ୍ଡା ଆକ୍ରମଣ ଯୋଗୁଁ ସନ୍ତୋଷଙ୍କ ମୁଣ୍ଡ ଓ ବେକରେ ଗଭୀର ଆଘାତ ଲାଗିଥିବା ସମର୍ଥକମାନେ ଅଭିଯୋଗ କରିଛନ୍ତି। ଘଟଣାକୁ ନେଇ ନୟାଗଡ଼ ସରପଞ୍ଚ ସଂଘ ଅସନ୍ତୋଷ ପ୍ରକାଶ କରିବା ସହ ପୁଲିସ ଏହା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିଲେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛି।
ଅନ୍ୟପକ୍ଷରେ, ସୁଜିତ୍ ଭୁବନେଶ୍ୱରରୁ ଫେରି ଗାଁ ଦାଣ୍ଡରେ ଛିଡା ହୋଇଥିବା ବେଳେ ସନ୍ତୋଷଙ୍କ ସମର୍ଥକ ମାନେ ସୁଜିତଙ୍କୁ ଆକ୍ରମଣ କରିଥିବା ସନ୍ତୋଷଙ୍କ ସମର୍ଥକ ମାନେ କହିଛନ୍ତି। ଘଟଣାକୁ ନେଇ ଗାଁରେ ଉତ୍ତେଜନା ଲାଗି ରହିଥିବା ବେଳେ ଇଟାମାଟି ଥାନା ପୋଲିସ ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।