ନୂଆଦିଲ୍ଲୀ: ସୌର ମଣ୍ଡଳର ବାହାରେ ଜୀବନସତ୍ତା । ପୃଥିବୀ ପରି ଆଉ ଏକ ନୀଳଗ୍ରହ । ଜୀବନ ସନ୍ଧାନ କଲେ ବୈଜ୍ଞାନିକ । ମିଳିଲା ଏଲିୟନ୍ ପ୍ଲାନେଟ୍ । ବର୍ଷ ବର୍ଷ ଧରି ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଉଙ୍କିମାରୁଛି । କ’ଣ ପୃଥିବୀ ପରି ଅନ୍ୟ କେଉଁ ଗ୍ରହରେ ଜୀବନ ସମ୍ଭବ ? ବ୍ରହ୍ମାଣ୍ଡରେ ଆମେ କ’ଣ ଏକୁଟିଆ । ଏଭଳି କିଛି ପ୍ରଶ୍ନ ଉପରୁ ଏବେ ପରଦା ହଟିବ । ବୈଜ୍ଞାନିକମାନେ ସୌରଜଗତ ବାହାରେ ଜୀବନ ସତ୍ତା ଖୋଜି ବାହାର କରିଛନ୍ତି । ଏହାକୁ ଏଲିୟନ ମାନଙ୍କ ଗ୍ରହ ବୋଲି କୁହାଯାଉଛି । ପୃଥିବୀ ଠାରୁ ୧୨୪ ଆଲୋକ ବର୍ଷ ବା ୯.୫ ଟ୍ରିଲିୟନ କିଲୋମିଟର ଦୂରତାରେ ରହିଛି । K2-18b ନାମକ ଗ୍ରହରେ ଜୀବନ ସତ୍ତା ଥିବା ନେଇ ଅନୁମାନ କରାଯାଉଛି ।
କେମ୍ବ୍ରିଜ ବିଶ୍ବବିଦ୍ୟାଳୟର ଇନଷ୍ଟିଚ୍ୟୁଟ ଅଫ୍ ଆଷ୍ଟ୍ରୋନମିର ଭାରତୀୟ ବଂଶୋବ୍ଦବ ବୈଜ୍ଞାନିକ ନିକ୍କୁ ମଧୁସୂଦନ ଚାଞ୍ଚଲ୍ୟକର ତଥ୍ୟ ରଖିଛନ୍ତି । ସେ ଜେମ୍ସ ଓ୍ବେବ ସ୍ପେଶ ଟେଲିସ୍କୋପ ଜରିଆରେ ଗବେଷଣ କରି K2-18b ଗ୍ରହ ପର୍ଯ୍ୟନ୍ତ ପହଞ୍ଚିଛନ୍ତି । ଏହି ଏଲିୟନର ସୌର ମଣ୍ଡଳରେ ଏପରି କିଛି ଗ୍ୟାସ୍ ଚିହ୍ନଟ ହୋଇଛି, ଯାହା ଦ୍ବାରା କେବଳ ନୀଳଗ୍ରହ ଜୀବନ ପ୍ରକ୍ରିୟା ସମ୍ଭବ ହୋଇପାରୁଛି । ତେଣୁ ପୃଥିବୀ ପରି ସେଠାରେ ମଧ୍ୟ ଜୀବନ ସମ୍ଭବ ବୋଲି ଅନୁମାନ କରୁଛନ୍ତି ବୈଜ୍ଞାନିକ ।
ଗ୍ରହରେ ୨ଟି ଗ୍ୟାସ ରହିଛି:
K2-18 b ନାମକ ସେହି ଗ୍ରହରେ ୨ଟି ଗ୍ୟାସ ଡାଇମିଥାଇଲ ସଲଫାଇଡ ବା DMS ଓ ଡାଇମିଥାଇଲ ଡାଇସଲଫାଇଡ DMDS ଥିବା ପ୍ରମାଣ ମିଳିଛି । ଏହି ଦୁଇ ଗ୍ୟାସ୍ ପୃଥିବୀରେ ଜୀବତ ପ୍ରାଣୀ ବା ପ୍ରାଥମିକ ଭାବେ ଯାହାକୁ ଫାଇଟୋପ୍ଲାଙ୍କଟନ ବା ଏଲଗି, ବ୍ୟାକ୍ଟେରିଆ ଦ୍ବାରା ଉତ୍ପନ୍ନ ହୋଇଥାଏ । ଏହା ଅନ୍ତିମ ସଙ୍କେତ ନହେଲେ ବି K2-18 b ଗ୍ରହରେ ଜୀବତ ପ୍ରାଣୀ ଥିବା ଦାବିକୁ ଏଡାଇ ଦିଆଯାଇପାରିବ । ହେଲେ ପ୍ରଫେସର ନିକ୍କୁ ମଧୁସୂଦନ କହିଛନ୍ତି, ଆସନ୍ତା କିଛି ବର୍ଷ ମଧ୍ୟରେ ଏଲିୟନ ପାଖରେ ପହଞ୍ଚିପାରେ ମଣିଷ ।
ପୃଥିବୀ ଠାରୁ ବହୁତ ବଡ଼:
K2-18 b ଗ୍ରହଟି ପୃଥିବୀଠାରୁ ୮.୬ ଗୁଣ ବଡ । ଏହାର ବ୍ୟାସ ପୃଥିବୀଠାରୁ ୨.୬ ଗୁଣ ଅଧିକ । ଏହି ଗ୍ରହ ଏମିତି ଏକ ଜାଗାରେ ଘୁରୁଛି ଯେଉଁଠି ଜଳ ମିଳିବାର ସମ୍ଭାବନା ରହିଛି । ପୃଥିବୀ ଠାରୁ ଏହାର ଦୂରତା ୧୨୪ ଆଲୋକ ବର୍ଷ ଅର୍ଥାତ ୯.୫ ଟ୍ରିଲିୟନ କିଲୋମିଟର ।୧୯୯୦ ମସିହା ପରଠାରୁ ସୌରଜଗତ ବାହାରେ ୫ହଜାର ୮ଶହ ଗ୍ରହ ଆବିଷ୍କାର ହେଲାଣି । ପୃଥିବୀ ପରି ଏଠାରେ ମଧ୍ୟ DMS ଓ DMDS ଗ୍ୟାସର ଉପସ୍ଥିତି ଥିବାରୁ ସେଠାରେ ଜୀବସତ୍ତା ଥାଇପାରନ୍ତି ବୋଲି କୁହାଯାଇଛି ।
ମହାସାଗର ଥିବାର ସଙ୍କେତ:
K2-18 b ଗ୍ରହର ବାୟୁମଣ୍ଡଳରେ ଆମୋନିଆର ଅନୁପସ୍ଥିତି ବୈଜ୍ଞାନିକ ମାନଙ୍କ ଧ୍ୟାନ ଆକର୍ଷଣ କରିଛି । ବୈଜ୍ଞାନିକମାନେ ଅନୁମାନ କରୁଛନ୍ତି, ଏଲିୟନଙ୍କ ଗ୍ରହରେ ବିଶାଳ ମହାସାଗର ରହିଥାଇପାରେ, ଯିଏ ଆମୋନିଆକୁ ଶୋଷି ନେଉଛି । ଆମେନିଆ ନିଳିବା ସାଧାରଣତଃ ଜୀବନସତ୍ତର ମହତ୍ବପୂର୍ଣ୍ଣ ସଙ୍କେତ । ଏହି ଗ୍ୟାସ୍ ଖୁବ କମ୍ ପରିମାଣରେ ରହିଥିବାରୁ ସମୁଦ୍ର ଭଳି ଇକୋ-ସିଷ୍ଟମ ଥିବାର ସମ୍ଭାବନା ବଢ଼ିଯାଉଛି । ଏମିତି ମଧ୍ୟ ହୋଇପାରେ K2-18 b ଗ୍ରହରେ ଲାଭାର ମହାସାଗର ଥାଇପାରେ, ଯାହା ଜୈବିକ ପ୍ରକ୍ରିୟାର ପ୍ରତିକୁଳ ।
K2-18 b ବାୟୁମଣ୍ଡଳରେ ବୈଜ୍ଞାନିକ ମାନେ ଏପର୍ଯ୍ୟନ୍ତ ତିନି-ସିଗ୍ମା ସ୍ତର ଥିବା ନେଇ ସ୍ପଷ୍ଟ କରିଛନ୍ତି । ସିଗ୍ମା ବୈଜ୍ଞାନିକଙ୍କ ଗବେଷଣାରୁ ମାପିବାର ମାନଦଣ୍ଡ । ସାଧାରଣତଃ କୌଣସି ଆବିଷ୍କାର ସ୍ପଷ୍ଟତା ପାଇଁ ପାଞ୍ଚ- ସିଗ୍ମାର ଆବଶ୍ୟକତା ହୋଇଥାଏ । ତିନି-ସିଗ୍ମା ସ୍ତରର ସଙ୍କେତ ମିଳିବା ଅର୍ଥ ହେଉଛି ଏହି ଦିଗରେ ଏକ ବଡ଼ ପଦକ୍ଷେପ । ହେଲେ ବୈଜ୍ଞାନିକ ଏହାର ଅନ୍ତିମ ପର୍ଯ୍ୟାୟରେ ଏପର୍ଯ୍ୟନ୍ତ ପହଞ୍ଚିନାହାନ୍ତି । ଏଥିପାଇଁ ଆହୁରି ଗବେଷଣାର ଆବଶ୍ୟକତା ରହିଛି । ...