କୁଚିଣ୍ଡା: ବିଡ଼ିଓଙ୍କ ଗାଡି ଧକ୍କାରେ ସ୍କୁଟି ଆରୋହୀ ମୃତ। ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ କୁଚିଣ୍ଡା ଥାନା ମନ୍ତ୍ରୀମୁଣ୍ଡା ଠାରେ ମଙ୍ଗଳବାର ଏହି ଘଟଣା ଘଟିଛି । କୁଚିଣ୍ଡା ବିଡ଼ିଓ ଜୟନ୍ତ ସାହୁ ନିଜ ସରକାରୀ ଗାଡ଼ି ବଲେରୋରେ କୁସୁମୀରୁ କୁଚିଣ୍ଡା ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ମୃତକ ହେଉଛନ୍ତି କୁଚିଣ୍ଡା ଥାନା କୁଣ୍ଡେସର ର ଶଙ୍କର ମୁଣ୍ଡା(୪୫)।
ସୂଚନା ଅନୁସାରେ ବିଡିଓ ଆଜି ପୂର୍ବାହ୍ଣରେ କୁନ୍ତରା ଗୋକୁଲ ପାର୍ବତୀ ରୁରାଲ କଲେଜ +୨ ପରୀକ୍ଷା କେନ୍ଦ୍ର ପରିଦର୍ଶନ କରିବାକୁ ଏକ ବଲେରୋରେ ଯାଇଥିଲେ। କଲେଜରେ ପରିଦର୍ଶନ ସାରି କୁଚିଣ୍ଡାକୁ ଫେରିବା ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ସ୍କୁଟି (ଓଡି୧୪ ଏକ୍ସ ୭୪୮୯) ସହିତ ବଲେରୋର ଧକ୍କା ହୋଇଥିଲା। ଏହି ଦୁର୍ଘଟଣା ଦିନ ପ୍ରାୟ ୧୨ ଟା ୩୦ରେ ହୋଇଥିବା କୁହାଯାଉଛି।
ଘଟଣାସ୍ଥଳରୁ ଶଙ୍କରମୁଣ୍ଡାଙ୍କୁ ଗୁରୁତର ଭାବେ ପୁଲିସ ଉଦ୍ଧାର କରି ସ୍ଥାନୀୟ ଉପଖଣ୍ଡ ଡ଼ାକ୍ତରଖାନାରେ ଭର୍ତ୍ତି କରିଥିଲା। ମାତ୍ର ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ମୃତକ ଶଙ୍କର ମୁଣ୍ଡା ପେଶାରେ ଜଣେ ଶିକ୍ଷକ ଓ ଫଟାଟାଙ୍ଗର ସ୍କୁଲରେ କାର୍ଯ୍ୟରତ ଅଛନ୍ତି। ପୋଲିସ ବଲେରୋକୁ ଜବତ କରିବା ସହ ଚାଳକଙ୍କୁ ଅଟକ ରଖି ତଦନ୍ତ ଚଳାଇଛି।