କୋଲକାତା: ଇଡେନ ଗାର୍ଡେନ୍ସରେ ଖେଳା ଯାଇଥିବା ହାଇ ସ୍କୋରିଂ ମୁକାବିଲାରେ ଲକ୍ଷ୍ନୌ ସୁପର ଜାଏଣ୍ଟସ କୋଲକାତା ନାଇଟ୍ ରାଇଡର୍ସକୁ ୪ ରନରେ ହରାଇଛି। ଆଉ କୋଲକାତା ନାଇଟ୍ ରାଇଡର୍ସ ନିଜ ଘରେ ପରାଜୟର ମୁହଁ ଦେଖିଛି। ପଞ୍ଚମ ମ୍ୟାଚ୍ରୁ କେକେଆରର ଏହା ତୃତୀୟ ପରାଜୟ। ଲକ୍ଷ୍ନୌ ଦ୍ଵାରା ଧାର୍ଯ୍ୟ ୨୩୯ ରନର ବିଜୟ ଲକ୍ଷ୍ୟକୁ ପିଛା କରି କୋଲକାତା ୨୩୪ ରନରେ ପହଞ୍ଚିଥିଲେ ହେଁ, ଶେଷରେ ୪ ରନ ଦୂରରେ ରହି ଯାଇଛି। ବିଜୟ ସହ ଲକ୍ଷ୍ନୌ ୬ ପଏଣ୍ଟ ପାଇ ତାଲିକାରେ ଚତୁର୍ଥ ଉଠିଛି। ପରାଜୟ ସହ କୋଲକାତା ଷଷ୍ଠ ସ୍ଥାନକୁ ଖସି ଆସିଛି।
୨୩୯ ରନର ବିଜୟ ଲକ୍ଷ୍ୟ ପିଛା କରିବାକୁ କ୍ରିଜକୁ ଓହ୍ଲାଇଥିବା କେକେଆରକୁ ୩୭ ରନ ସ୍କୋରରେ ପ୍ରଥମ ଝଟକା ଲାଗିଥିଲା। କ୍ଵିଣ୍ଟନ ଡି କକ୍ ୧୫ ରନ କରି ଆଉଟ୍ ହୋଇଥିଲେ। ଏହା ପରେ ସୁନିଲ ନାରାୟଣ ଓ ଅଧିନାୟକ ଆଜିଙ୍କ୍ୟ ରାହାଣେ ବିସ୍ଫୋରକ ବ୍ୟାଟିଂ କରି ଦଳର ସ୍ଥିତି ମଜବୁତ କରିବା ସହ ବିଜୟ ଆଶା ଉଜ୍ଜିବୀତ ରଖିଥିଲେ। ଦୁଇ ବ୍ୟାଟର ଦ୍ଵିତୀୟ ଓ୍ଵିକେଟ୍ରେ ୫୪ ରନ ଯୋଡ଼ି ଦଳର ସ୍କୋରକୁ ୯୧ ରନରେ ପହଞ୍ଚାଇଥିଲେ। ନାରାୟଣ ୧୩ ବଲରୁ ୩୦ ରନ କରି ପାଭିଲିୟନ ଫେରିଥିଲେ।
Also read: RCB କ୍ୟାପଟେନଙ୍କ ଉପରେ ଜରିମାନା ଲଗାଇଲା ବିସିସିଆଇ, ଜାଣନ୍ତୁ କାରଣ…
ଏହା ପରେ ରାହାଣେ ଓ ଭେଙ୍କଟେଶ ଆୟର ଚମତ୍କାର ବ୍ୟାଟିଂ କରି ଆବଶ୍ୟକ ରନ ରେଟ୍ ହିସାବରେ ରନ ଯୋଡ଼ିଥିଲେ। ତୃତୀୟ ଓ୍ଵିକେଟ୍ରେ ୭୧ ରନ ଯୋଡ଼ି ଦଳର ସ୍କୋରକୁ ୧୩ ଓଭରରେ ୧୬୨ ରନରେ ପହଞ୍ଚାଇଥିଲେ। ରାହାଣେ ୩୫ ବଲରୁ ୮ ଚୌକା ଓ ୨ ଛକା ସହ ୬୧ ରନର ଅଧିନାୟକତ୍ଵ ଇନିଂସ ଖେଳିଥିଲେ। ଏହା ପରେ ଦଳ ନିୟମିତ ଓ୍ଵିକେଟ୍ ହରାଇବାରୁ ଦଳ ଉପରେ ଚାପ ବଢିବାରେ ଲାଗିଥିଲା। ରମଣଦୀପ(୧), ଅଙ୍ଗକ୍ରିଷ ରଘୁବଂଶୀ(୫) ଓ ଆନ୍ଦ୍ରେ ରସେଲ(୭) ଶସ୍ତାରେ ଆଉଟ୍ ହେବାରୁ ଦଳ ବିଜୟଠୁ ଦୂରେଇବାର ଲାଗିଥିଲା। ଶେଷ ଆଡ଼କୁ ରିଙ୍କୁ ସିଂ ୧୫ ବଲରୁ ୩୮ ରନ କରିଥିଲେ ହେଁ ଦଳକୁ ପରାଜୟରୁ ବଞ୍ଚାଇ ପାରି ନ ଥିଲେ। କୋଲକାତା ୭ ଓ୍ଵକେଟ୍ ହରାଇ ୨୩୪ ରନରେ ସୀମିତ ରହିଥିଲା।
ଟସ୍ ଜିତି ପ୍ରଥମେ ବୋଲିଂ କରିଥିଲା କେକେଆର । ଫଳରେ ପ୍ରଥମେ ବ୍ୟାଟିଂର ଫାଇଦା ଉଠାଇଥିଲା ଏଲଏସଜି । ୨୦ ଓଭରରେ ମାତ୍ର ୩ଟି ଓ୍ବିକେଟ୍ ହରାଇ କେକେଆରକୁ ୨୩୯ ରନର ବିଶାଳ ଟାର୍ଗେଟ୍ ଦେଇଛି ଦଳ । ଏହା ଆଇପିଏଲ ଇତିହାସରେ ଏଲଏସଜିର ଦ୍ୱିତୀୟ ସର୍ବାଧିକ ସ୍କୋର। ପ୍ରଥମେ ବ୍ୟାଟିଂ କରି ଲକ୍ଷ୍ନୌ ଦଳ ଏକ ଦୃଢ଼ ଆରମ୍ଭ କରିଥିଲା । ମିଚେଲ ମାର୍ଶ ମାତ୍ର ୪୮ ବଲ୍ ରୁ ୮୧ ରନ୍ ଏବଂ ଇଡେନ ମାର୍କରାମ ୨୮ ବଲ୍ ରୁ ୪୭ ରନ୍ ସଂଗ୍ରହ କରି ପ୍ରଥମ ୱିକେଟରେ ୯୯ ରନ୍ ଯୋଡ଼ିଥିଲେ । ୧୧ତମ ଓଭରରେ ମାର୍କରାମଙ୍କୁ ହର୍ଷିତ ରାଣା ବୋଲ୍ଡ କରିଥିଲେ। ଏହାପରେ ନିକୋଲାସ ପୁରନଙ୍କ ବ୍ୟାଟିଂ ବିସ୍ଫୋରଣ ଆରମ୍ଭ ହୋଇଛି । ସେ ମାର୍ସଙ୍କୁ ସାଥ୍ ଦେଇ ମାତ୍ର ୩୬ ବଲରୁ ୮୭ ରନ୍ ଅପରାଜିତ ରହିଥିଲେ । ଏଥିରେ ୭ଟି ଚୌକା ଏବଂ ୮ଟି ଛକା ରହିଛି । କୋଲକାତା ପକ୍ଷରୁ ହର୍ଷିତ୍ ରାଣା ସର୍ବାଧିକ ଦୁଇଟି ଓ୍ବିକେଟ୍ ନେଇଛନ୍ତି ।