ନୂଆଦିଲ୍ଲୀ: ଶେଖ ହସିନା ପୁଣିଥରେ ବାଂଲାଦେଶୀ ପ୍ରଧାନମନ୍ତ୍ରୀ ଭାବରେ ନିଜ ଦେଶକୁ ଫେରିବେ। ତେଣୁ ବର୍ତ୍ତମାନ ବାଂଲାଦେଶ ଉପଦେଷ୍ଟା(ମହମ୍ମଦ ୟୁନୁସ) ସାଜିଥିବା ବ୍ୟକ୍ତି ଯେଉଁଠାରୁ ଆସିଥିଲେ ସେହିଠାକୁ ଚାଲି ଯାଆନ୍ତୁ। ଏକଥା କହିଛନ୍ତି ଆମେରିକା ଆୱାମୀ ଲିଗ୍ ଉପାଧ୍ୟକ୍ଷ ଡକ୍ଟର ରବ୍ବି ଆଲାମ। କେବଳ ସେତିକି ନୁହେଁ ଶେଖ ହସିନାଙ୍କୁ ଆଶ୍ରୟ ଦେଇଥିବାରୁ ସେ ଭାରତକୁ ଧନ୍ୟବାଦ ଦେଇଛନ୍ତି। ସୂଚନା ଥାଉକି ରବ୍ବି ଆଲାମ ହସିନାଙ୍କର ଘନିଷ୍ଟ ସହଯୋଗୀ।
ଏଏନ୍ଆଇକୁ ପ୍ରତିକ୍ରିୟା ଦେଇ ଡ. ଆଲମ କହିଛନ୍ତି “ଆମେ ବାଂଲାଦେଶ ପରାମର୍ଶଦାତାଙ୍କୁ ପଦ ଛାଡିବାକୁ ଏବଂ ଯେଉଁଠାରୁ ଆସିଥିଲେ ସେଠାକୁ ଫେରିଯାଆନ୍ତୁ ବୋଲି କହିବାକୁ ଚାହୁଁଛୁ। କାରଣ ଶେଖ୍ ହସିନା ପ୍ରଧାନମନ୍ତ୍ରୀ ଭାବରେ ପୁଣିଥରେ ଫେରି ଆସୁଛନ୍ତି। ଦେଶର ଯୁବ ପିଢ଼ି ଭୁଲ କରିଛନ୍ତି, କିନ୍ତୁ ଏହା ସେମାନଙ୍କର ଦୋଷ ନୁହେଁ; ସେମାନଙ୍କୁ ବିଭ୍ରାନ୍ତ କରାଯାଇଥିଲା।”
ପଢନ୍ତୁ- ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀ ଅନୁପ୍ରବେଶ: ଘଞ୍ଚ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ସହ ମୁହାଁମୁହିଁ
ଦିର୍ଘଦିନ ଧରି ଚାଲିଥିବା ଛାତ୍ର ଆନ୍ଦୋଳନ ପ୍ରତିବାଦ ଓ ସଂଘର୍ଷ ପରେ ଶେଷରେ ଅଗଷ୍ଟ ୫ ତାରିଖରେ ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ ହାସିନା ଦେଶ ଛାଡି ଭାରତ ଚାଲି ଆସିଥିଲେ। ଏହି ସଂଘର୍ଷରେ ୬୦୦ ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ। ଫଳରେ ୭୭ ବର୍ଷୀୟା ଶେଖ ହସିନାଙ୍କୁ ଭାରତରେ ଶରଣ ନେବାକୁ ପଡ଼ିଥିଲା। ସେବେଠାରୁ ନୋବେଲ ପୁରସ୍କାର ବିଜେତା ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ଏକ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ କରାଯାଇଥିଲା। ଯାହା ଏବେ ମଧ୍ୟ ବଳବତ୍ତର ରହିଛି।
ଡ.ଆଲାମ ବର୍ତ୍ତମାନ ବାଂଲାଦେଶରେ ଦେଖାଯାଉଥିବା ଅଶାନ୍ତି ଉପରେ ଗଭୀର ଚିନ୍ତା ପ୍ରକାଶ କରିଛନ୍ତି। ଦେଶ ବର୍ତ୍ତମାନ ଆକ୍ରମଣର ଶିକାର ହେଉଛି ବୋଲି କହିବା ସହିତ ଅନ୍ତର୍ଜାତୀୟ ସମୁଦାୟକୁ ଏଥିରେ ହସ୍ତକ୍ଷେପ କରିବାକୁ ସେ ଅନୁରୋଧ କରିଛନ୍ତି।
ଏନେଇ ସେ କହିଛନ୍ତି “ବାଂଲାଦେଶ ଆକ୍ରମଣର ଶିକାର ହେଉଛି, ଏବଂ ଏହାକୁ ଅନ୍ତର୍ଜାତୀୟ ସ୍ତରରେ ଦ୍ୱାରା ସମାଧାନ କରାଯିବା ଆବଶ୍ୟକ। ଏକ ରାଜନୈତିକ ବିଦ୍ରୋହ ଠିକ୍ ଅଛି, କିନ୍ତୁ ବାଂଲାଦେଶରେ ଏପରି ହେଉନି। ଏହା ଏକ ଆତଙ୍କବାଦୀ ବିଦ୍ରୋହ। ଆମର ଅନେକ ନେତା ଭାରତରେ ଆଶ୍ରୟ ନେଇଛନ୍ତି, ଏବଂ ଏହି ସମର୍ଥନ ପାଇଁ ଆମେ ଭାରତ ସରକାରଙ୍କ ପ୍ରତି ବହୁତ କୃତଜ୍ଞ।" ଶେଖ ହସିନାଙ୍କ ପାଇଁ ଏକ ସୁରକ୍ଷିତ ଯାତ୍ରା ମାର୍ଗ ଯୋଗାଇ ଦେଇଥିବାରୁ ଆୱାମୀ ଲିଗ୍ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ପଢନ୍ତୁ- ସମ୍ଭଲ ହିଂସା ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ, ଜାମା ମସଜିଦ୍ ମୁଖ୍ୟ ଏସଆଇଟି ଦ୍ୱାରା ଗିରଫ
ପୂର୍ବରୁ, ହସିନା ମହମ୍ମଦ ୟୁନୁସଙ୍କ ନେତୃତ୍ୱାଧୀନ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କୁ ସମାଲୋଚନା କରିଥିଲେ। ଏବଂ କହିଥିଲେ ଯେ ସେ ଫେରି ଆସିବେ ଏବଂ ଜୁଲାଇ-ଅଗଷ୍ଟରେ ଛାତ୍ର ପ୍ରତିବାଦ ସମୟରେ ହତ୍ୟା ହୋଇଥିବା ଲୋକଙ୍କ ପରିବାରକୁ ଉପଯୁକ୍ତ ନ୍ୟାୟ ମିଳିବ।
ହସିନା କହିଥିଲେ "ମୁଁ ପ୍ରତ୍ୟେକ ପୀଡିତଙ୍କ ପରିବାରକୁ ସାହାଯ୍ୟ କରିବି ଏବଂ ସେମାନଙ୍କ ହତ୍ୟାକାରୀମାନଙ୍କୁ ବାଂଲାଦେଶରେ ଆଇନର ସାମ୍ନା କରିବାକୁ ସୁନିଶ୍ଚିତ କରିବି। ମୁଁ ଫେରିବି। ହୁଏତ ସେଥିପାଇଁ ଆଲ୍ଲା ମୋତେ ଜୀବିତ ରଖିଛନ୍ତି।"
ବାଂଲାଦେଶରେ ଛାତ୍ର ଆନ୍ଦୋଳନ ପରେ ହସିନାଙ୍କ ଆୱାମୀ ଲିଗର ୧୬ ବର୍ଷର ଶାସନର ପତନ ଘଟିଥିଲା। ସେ ଅଗଷ୍ଟ ୨୦୨୪ରୁ ଭାରତରେ ଶରଣ ନେଇଛନ୍ତି।