ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାରେ ପାକିସ୍ତାନ କ୍ରିକେଟର ଶାହିଦ ଆଫ୍ରିଦି ଭାରତୀୟ ସେନା ଉପରେ ଉଦ୍ଭଟ ବୟାନ ଦେବା ପରେ କ୍ରୀଡ଼ା ଜଗତରୁ ତାଙ୍କୁ ଚାରିଆଡ଼ୁ ସମାଲୋଚନା କରାଯାଉଛି। ଖୋଦ୍ ନିଜ ଦେଶର ଖେଳାଳିମାନେ ଆଫ୍ରିଦିଙ୍କୁ ସମାଲୋଚନା କରୁଛନ୍ତି। ପାକିସ୍ତାନ ସ୍ପିନର ଦାନିଶ କାନେରିଆ ଆଫ୍ରିଦିଙ୍କ ଏଭଳି ବୟାନକୁ ନେଇ ତାଙ୍କୁ ଉଗ୍ରବାଦୀ ମାନସିକତା ସହିତ ତୁଳନା କରିଥିଲେ। ଆଉ ଏବେ ଭାରତୀୟ କ୍ରିକେଟ ଗବ୍ବର ଶିଖର ଧୱନ ମଧ୍ୟ ଆଫ୍ରିଦିକୁ କଡ଼ା ସମାଲୋଚନା କରିଛନ୍ତି।
ପଢନ୍ତୁ- ଭାରତର ପହଲଗାମ ପ୍ରତିଶୋଧ ଭୟରେ ଥରିଲା ପାକିସ୍ତାନ: ପାକ୍ ମନ୍ତ୍ରୀ କହିଲେ ଯୁଦ୍ଧ ଏବେ ଆସନ୍ନ, ଆମେ ପ୍ରସ୍ତୁତ
ଧୱନ ସୋସିଆଲ୍ ମିଡିଆ ସାଇଟ୍ ଏକ୍ସରେ ପୋଷ୍ଟ କରି ଆଫ୍ରିଦିଙ୍କୁ ଟ୍ୟାଗ୍ କରି ଲେଖିଛନ୍ତି ଯେ ଆମେ ଭାରତୀୟ ସେନାକୁ ନେଇ ବହୁତ ଗର୍ବିତ। ଅନ୍ୟକୁ କହିବା ପୂର୍ବରୁ ନିଜ ଦେଶର ଉନ୍ନତୀରେ ନିଜ ଦିମାଗ ଲଗାଅ ବୋଲି ଶିଖର ଲେଖିଛନ୍ତି। ଆଫ୍ରିଦି ପାକିସ୍ତାନୀ ଟିଭି ଚ୍ୟାନେଲ ସମା ଟିଭିରେ ଏଭଳି ବିବାଦୀୟ ବୟାନ ଦେଇଥିଲେ। ଭାରତୀୟ ସେନା ସୁରକ୍ଷା ଦେଇପାରିଲାନି ବୋଲି କହି କମେଣ୍ଟ କରିବା ସହିତ ଭାରତୀୟ ମିଡିଆଗୁଡ଼ିକର ଖବର ପରିବେଷଣକୁ ସେ ଦାୟୀ କରିଥିଲେ। ଏଥିସହିତ ଆତଙ୍କବାଦୀ ଘଟଣା ସହିତ ପାକିସ୍ତାନ ସମ୍ପୃକ୍ତି ଥିବା ନେଇ ଭାରତ ପ୍ରମାଣ ଦେଉ ବୋଲି ଆଫ୍ରିଦି କହିଥିଲେ। ଯାହାକୁ ନେଇ ଶିଖର ସମାଲୋଚନା କରିଛନ୍ତି।
ଶିଖର ଧୱନ ଆଫ୍ରିଦିଙ୍କୁ ଟ୍ୱିଟ୍ କରି ଲେଖିଛନ୍ତି “କାରଗିଲରେ ବି ହରାଇଥିଲୁ। ପୂର୍ବରୁ ଏତେ ତଳକୁ ଖସି ଯାଇଛ ଯେ ଆଉ କେତେ ତଳକୁ ଖସିବ। ଅଯଥାରେ କମେଣ୍ଟ ପାସ୍ କରିବା ଠାରୁ ଭଲ ନିଜ ଦେଶର ଉନ୍ନତୀରେ ଦିମାଗ ଖଟାଅ ଶାହିଦ ଆଫ୍ରିଦି। ଆମେ ଆମ ଭାରତୀୟ ସେନାକୁ ନେଇ ବହୁତ ଗର୍ବିତ। ଭାରତ ମାତିକି ଜୟ ! ଜୟ ହିନ୍ଦ !”
ଏହା ପୂର୍ବରୁ ଖୋଦ୍ ପାକିସ୍ତାନୀ ସ୍ପିନର ଦାନିଶ କାନେରିଆ ଆଫ୍ରିଦିଙ୍କ ଏଭଳି ବୟାନ ନେଇ କଟୁ ସମାଲୋଚନା କରିଥିଲେ। ସେ ସୋସିଆଲ୍ ମିଡିଆ ସାଇଟ୍ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି “ ଆଫ୍ରିଦି ସବୁବେଳେ ଉଗ୍ରବାଦୀ ମାନସିକତା ସହିତ ନିଜକୁ ସାମିଲ ରଖିଛନ୍ତି। ମୋ ମତରେ, ତାଙ୍କୁ ଭାରତୀୟ ଟେଲିଭିଜନରେ କିମ୍ବା ଭାରତରେ କୌଣସି ମଞ୍ଚ ପାଇଁ ସୁଯୋଗ ଦିଆଯିବା ଉଚିତ୍ ନୁହେଁ। ସେ ମୋତେ ଇସଲାମ ଧର୍ମ ଗ୍ରହଣ କରିବାକୁ ପ୍ରବର୍ତ୍ତାଇବାକୁ ଚେଷ୍ଟା କରିଥିଲେ ଏବଂ ମୋ ସହିତ ଖାଇବାକୁ ବ ମନା କରି ଦେଇଥିଲେ। ମୋତେ ଖୁବ୍ ଅପମାନ ଲାଗିଥିଲା।”
ଏପ୍ରିଲ ୨୨ ତାରିଖରେ ଜାମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଘଟଣାରେ ୨୬ ଜଣଙ୍କର ମୃତ୍ୟୁ ହୋଇଥିଲା। ଆତଙ୍କବାଦୀମାନେ ଧର୍ମ ପଚାରିକି ହିନ୍ଦୁ ବୋଲି ଜାଣିବା ପରେ ଲୋକଙ୍କୁ ହତ୍ୟା କରିଥିଲେ। ମୃତକଙ୍କ ମଧ୍ୟରେ ଅଧିକାଂଶ ପର୍ଯ୍ୟଟକ ଥିଲେ। ଏହାପରେ ସାରା ବିଶ୍ୱରୁ ପାକିସ୍ତାନକୁ ସମାଲୋଚନା କରାଯାଉଛି। ବର୍ତ୍ତମାନ ଭାରତ ପାକିସ୍ତାନ ମୁହାଁମୁହିଁ ପରିସ୍ଥିତିରେ ରହିଛନ୍ତି। କେଉଁ ମୁହୂର୍ତ୍ତରେ ବି ଯୁଦ୍ଧ ହୋଇପାରେ।