ଅଦାଲତି ଛାଟ ପରେ ପଶିଲା ଚେତା, କାର୍ଯ୍ୟକ୍ଷମ ହେଲା ଶିଶୁ ଭବନର ନୂଆ ବିଲଡିଂ

Published By : Prameya-News7 Bureau | February 16, 2025 IST

କଟକ ୧୬।୦୨ :  ପ୍ରାୟ ୨ ବର୍ଷର ଅନିଶ୍ଚିତତା ହଟିଛି । କାର୍ଯ୍ୟକ୍ଷମ ହୋଇଛି କଟକ ଶିଶୁ ଭବନର G7 ବିଲଡିଂ। ଅବଶ୍ୟ କେବଳ ତଳ ମହଲା ଚଳ ଚଞ୍ଚଳ ହୋଇଉଠିଛି । କାରଣ ଏଠାରେ ଖୋଲିଲା ନୂଆ ଆଉଟ ଡୋର୍‌ ଜେନେରାଲ ମେଡ଼ିସିନ, ସର୍ଜରୀ ଏହିପରି ୩ ଟି ବିଭାଗର ଡାକ୍ତର ଏହି ନୂଆ ଆଉଟ ଡୋରରେ ରୋଗୀ ଦେଖୁଛନ୍ତି । ଯାହା ଆଗକୁ ଆହୁରି ବ୍ୟାପ୍ତ ହେବ । ନୂଆ ଆଉଟ ଡୋରରେ ଶହେ ଜଣ ବସିପାରିଲା ଭଳି ବ୍ୟବସ୍ଥା ରହିଛି । ପୁରା ଗ୍ରାଉଣ୍ଡ ଫ୍ଲୋରରେ ସେଣ୍ଟ୍ରାଲ ଏସିର ବ୍ୟବସ୍ଥା ହୋଇଛି। ଧାଡିରେ ରହି ନମ୍ବର କରାଇବାରେ ସେଭଳି ଅସୁବିଧା ନାହିଁ। ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ଥିବାରୁ ଶିଶୁ ଭବନକୁ ଆସିଥିବା ଲୋକଙ୍କ ଭିତରେ ଖୁସି ବାରି ହେଉଥିଲା। । 

କଟକ ଶିଶୁ ଭବନକୁ ୮ ଶହ ଶଯ୍ୟା ବିଶିଷ୍ଟ କରିବା ଲାଗି ନବୀନ ପଟ୍ଟନାୟକ ସରକାର ସମୟରେ ଏକ ବଳିଷ୍ଠ ପଦକ୍ଷେପ ନିଆଯାଇଥିଲା। G7 ବିଲଡିଂ ନାମରେ ପରିଚିତ ଏହି ବୃହତ ଅଟ୍ଟାଳିକା ଭିତରେ ରହିଛି । ୧ ଶହ ଆଇସିୟୁ, ଅତ୍ୟାଧୁନିକ ଓଟି, ଏବଂ ସମସ୍ତ ମହଲରେ ସେଣ୍ଟ୍ରାଲ ACର ସୁବିଧା ରହିଛି। ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ନେଇ ଗତ ୨ ବର୍ଷ କାଳ ଅଟକି ରହିଥିଲା । କିନ୍ତୁ ହାଇକୋର୍ଟଙ୍କ ହସ୍ତକ୍ଷେପ ପରେ ସବୁ ବିଭାଗ ତତ୍ପରତା ଦେଖାଇଲେ ଏବଂ ଗତ ୧ ମାସ ଭିତରେ ପ୍ରାୟ ସମସ୍ତ ଅନୁସଙ୍ଗିକ କାର୍ଯ୍ୟ ଶେଷ ହୋଇଛି । 

ଫେବୃୟାରୀ ୧୫ ସୁଦ୍ଧା ନୂଆ ବିଲଡିଂ କାର୍ଯ୍ୟକ୍ଷମ କରାଇବା ଲାଗି ନିକଟରେ ହାଇକୋର୍ଟଙ୍କ ସ୍ପଷ୍ଟ ନିର୍ଦେଶ ଦେଇଥିଲେ । ଯାହାକୁ କାର୍ଯ୍ୟକାରୀ କରିବାକୁ ଯାଇ ଶିଶୁ ଭବନ କର୍ତ୍ତୃପକ୍ଷ କେବଳ ଗ୍ରାଉଣ୍ଡ ଫ୍ଲୋରରେ ନୂଆ ଆଉଟ ଡୋର ଖୋଲିଛନ୍ତି,  ଏବଂ ୫ମ ମହଲାକୁ ସୁପାରିଣ୍ଟେଣ୍ଡେଣ୍ଟ ଅଫିସ ସ୍ଥାନାନ୍ତର ହୋଇଛି। କିନ୍ତୁ ଅବଶିଷ୍ଟ ମହଲା ଗୁଡିକର କାର୍ଯ୍ୟକାରିତା ଲାଗି ଏବେ ସୁଦ୍ଧା କିଛି ନିର୍ଦ୍ଧିଷ୍ଟ ନିଷ୍ପତ୍ତି ହୋଇନାହିଁ। ତେବେ ଏବେବି ଶିଶୁ ଭବନ ପୁରୁଣା କୋଠାରେ ଚାଲିଛି ରୋଗୀ ସେବା। କିନ୍ତୁ ନୂଆ ବିଲଡିଂଟି ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେଲାପରେ ରାଜ୍ୟ ସ୍ୱାସ୍ଥ୍ୟ ସେବା ମାନଚିତ୍ରରେ ଆଉ ଏକ ନୂଆ ଫର୍ଦ୍ଦ ଯୋଡି ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.