ବାଲେଶ୍ବର ୧୫।୭: ଫକୀରମୋହନ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଅନ୍ତିମସଂସ୍କାର ପରେ ତାଙ୍କ ବାପା ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ସମସ୍ତଙ୍କୁ ଗୋଟିଏ ଅନୁରୋଧ ଦୟାକରି ମୋ ଝିଅର ମୃତ୍ୟୁକୁ ନେଇ ଆଉ ରାଜନୀତି କରନ୍ତୁ ନାହିଁ । ଘଟଣାକୁ ନେଇ ସରକାର ସମ୍ବେଦନଶୀଳ ଅଛନ୍ତି । ସରକାର କାର୍ଯ୍ୟାନୁଷ୍ଠାନ ନେଇଛନ୍ତି, ଆହୁରି ମଧ୍ୟ କାର୍ଯ୍ୟାନୁଷ୍ଠାନ ନେବେ । ରାଷ୍ଟ୍ରପତି ମଧ୍ୟ ମୋ ସହିତ ନିଜେ ଆଲୋଚନା କରିଛନ୍ତି । ମୁଖ୍ୟମନ୍ତ୍ରୀ, ଉପ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଆଶ୍ବାସନା ଦେଇଛନ୍ତି । ଆମକୁ ଆଉ କେହି ମାନସିକ ଆଘାତ ଦିଅନ୍ତୁ ନାହିଁ । ମୁଁ ଶେଷ ପର୍ଯ୍ୟନ୍ତ ଲଢେଇ ଜାରି ରଖିବି ବୋଲି ସୌମ୍ୟାଶ୍ରୀଙ୍କ ବାପା କହିଛନ୍ତି ।
ସୂଚନାଯୋଗ୍ୟ ଯେ, ଗତ ୧୨ ତାରିଖ ଦିନ ବାଲେଶ୍ୱର ଜିଲ୍ଲା ଫକୀରମୋହନ କଲେଜ ପରିସରରେ ଘଟିଥିଲା ଛାତିଥରା ଦୃଶ୍ୟ । ଭୋଗରାଇ ଅଞ୍ଚଳର ଛାତ୍ରୀ ସୌମ୍ୟାଶ୍ରୀ ବିଶି ଇଣ୍ଟିଗ୍ରେଟେଡ଼ ବିଇଡିର ଦ୍ୱିତୀୟ ବର୍ଷରେ ପାଠ ପଢୁଥିଲେ । ହେଲେ ଏଚଓଡି ସମୀର କୁମାର ସାହୁ ତାଙ୍କୁ କିଛି ଦିନ ଧରି ମାନସିକ ନିର୍ଯାତନା ଦେଉଥିଲେ । ତାଙ୍କୁ ଫେବର ମାଗିବା ଭଳି ଛାତ୍ରୀ ଜଣକ ପୂର୍ବରୁ ଅଭିଯୋଗ ଆଣି ନ୍ୟାୟ ମାଗିଥିଲେ । ଏପରିକି ପ୍ରିନ୍ସିପାଲଙ୍କ ଠାରେ ଫେରାଦ ମଧ୍ୟ ହୋଇଥିଲେ । ତାଙ୍କୁ ଏଚ୍ଓଡ଼ି ଫେଲ୍ କରାଇ ଦେବାକୁ ଧମକ ଚମକ ଦେଇଥିଲେ ।
ପରେ ଛାତ୍ରୀ ଜଣକ ମାନସିକ ଭାରସାମ୍ୟ ହରାଇ ଶେଷଥର ପାଇଁ ନ୍ୟାୟ ମାଗିବାକୁ ଆସିଥିଲେ । ପ୍ରିନ୍ସିପାଲଙ୍କ ଚାମ୍ବରକୁ ଯିବାର ୧୦ ମିନିଟ୍ ପରେ ବାହାରକୁ ଆସି ଆଣିଥିବା ପେଟ୍ରୋଲକୁ ଦେହରେ ଢାଳି ଆତ୍ମାହୁତି ଉଦ୍ୟମ କରିଥିଲେ । ଜଳି ଜଳି ଦୌଡୁଥିବାର ଦୃଶ୍ୟ ବେଶ ହୃଦୟବିଦାରକ ଥିଲା । ତାଙ୍କୁ ବଞ୍ଚାଇବାକୁ ଯାଇ ଜଣେ ଛାତ୍ର ମଧ୍ୟ ଗୁରୁତର ହୋଇଥିଲେ । ଏହା ସିସିଟିଭିରେ କଏଦ ମଧ୍ୟ ହୋଇଥିଲା ।
ତେବେ ଗୁରୁତର ଛାତ୍ରୀ ଜଣକ ବାଲେଶ୍ୱର ହସ୍ପିଟାଲ ଯିବା ପରେ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ 'ଏମ୍ସ' ସ୍ଥାନାନ୍ତର କରାଯାଇଥିଲା । ଘଟଣା ଦିନ କାର୍ଯ୍ୟାନୁଷ୍ଠାନ ସ୍ବରୂପ ଫକୀରମୋହନ କଲେଜ ପ୍ରିନ୍ସିପାଲ ଦିଲ୍ଲୀପ କୁମାର ଘୋଷ ଓ ଏଜୁକେସନ୍ ବିଭାଗ ଏଚ୍ଓଡି ସମୀର ସାହୁଙ୍କୁ ସସ୍ପେଣ୍ଡ କରାଯାଇଥିଲା । ଏହାପରେ ନିଲମ୍ବିତ ଏଚ୍ଓଡି ସମୀର ସାହୁଙ୍କୁ ଗିରଫ କରାଯାଇଥିଲା । ଏ ଘଟଣା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଉଚ୍ଚସ୍ତରୀୟ ତଦନ୍ତ କମିଟି ଗଠନ କରାଯାଇଥିଲା । ୧୩ ତାରିଖରେ କଲେଜରେ ଉଚ୍ଚସ୍ତରୀୟ କମିଟି ତଦନ୍ତ କରିଥିଲା । ୧୪ ତାରିଖରେ ନିଲମ୍ବିତ ପ୍ରିନ୍ସିପାଲ୍ ଦିଲ୍ଲୀପ ଘୋଷଙ୍କୁ ଗିରଫ କରାଯାଇଥିଲା ।
You Can Read:
ଫକୀରମୋହନ ଛାତ୍ରୀ ମୃତ୍ୟୁକୁ ନେଇ ସାରା ରାଜ୍ୟରେ ପ୍ରତିବାଦ କରିବ ବିଜେଡି, ରାଜରାସ୍ତାକୁ ଓହ୍ଲାଇବେ ଛାତ୍ରଛାତ୍ରୀ