ନୂଆଦିଲ୍ଲୀ ୨୮।୨: ଭାରତୀୟ ମହାକାଶ ଗବେଷଣା ସଙ୍ଗଠନ (ଇସ୍ରୋ) ମାର୍ଚ୍ଚ ୧୫ ତାରିଖରୁ ପୁଣି ଥରେ ‘ସ୍ପେଡେକ୍ସ’ ମିସନରେ ପରୀକ୍ଷା ନିରୀକ୍ଷା ଆରମ୍ଭ କରିବ। ଦିଲ୍ଲୀରେ ଜାତୀୟ ବିଜ୍ଞାନ ଦିବସ ସମାରୋହ ଅବସରରେ ଇସ୍ରୋ ଅଧ୍ୟକ୍ଷ ଭି.ନାରାୟଣନ ଶୁକ୍ରବାର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଏହି ପ୍ରୟୋଗରେ ଦୁଇ ଉପଗ୍ରହ ଚେସର ଓ ଟାର୍ଗେଟ୍ କୁ ଅଲଗା କରିବା ଓ ପୁଣି ସଂଯୁକ୍ତ କରିବାକୁ ଉଦ୍ୟମ କରାଯିବ, ଯାହାଦ୍ୱ୍ରାରା ଭବିଷ୍ୟତର ପ୍ରକଳ୍ପ ନିମନ୍ତେ ପ୍ରଯୁକ୍ତିଗତ ନିପୁଣତା ହାସଲ କରାଯାଇ ପାରିବ।
ଇସ୍ରୋ ଗତବର୍ଷ ଡିସେମ୍ବର ୩୦ ତାରିଖରେ ‘ସ୍ପେଡେକ୍ସ’ ମିସନ ଆରମ୍ଭ କରିଥିଲା। ସେତେବେଳେ ଇସ୍ରୋ ମହାକାଶରେ ଦୁଇ ଉପଗ୍ରହକୁ ପରସ୍ପର ସହ ଯୋଡିବା (ଡକିଂ) ପରୀକ୍ଷା ପ୍ରଦର୍ଶିତ କରିବା ପାଇଁ ଦୁଇ ଉପଗ୍ରହ ଏସଡିଏକ୍ସ-୦୧ ଓ ଏସଡିଏକ୍ସ-୦୨କୁ କକ୍ଷପଥରେ ସ୍ଥାପିତ କରିଥିଲା। ଅନେକ ଉଦ୍ୟମ ପରେ ଇସ୍ରୋ ୧୬ ଜାନୁୟାରୀ ୨୦୨୫ରେ ଦୁଇ ଉପଗ୍ରହ ଡକିଂରେ ସଫଳତା ହାସଲ କରିଥିଲା। ଭି. ନାରାୟଣନ କହିଛନ୍ତି ଯେ ଏବେ ଦୁଇ ଉପଗ୍ରହ ଅଣ୍ଡାକାର କକ୍ଷରେ ଅଛନ୍ତି। ଏଣୁ ଆମକୁ ବିଭିନ୍ନ ପରୀକ୍ଷା ନିମନ୍ତେ ପ୍ରତି ୨ମାସରେ ଗୋଟିଏ ଥର ୧୦ରୁ ୧୫ ଦିନ ସମୟ ମିଳୁଛି।
ସେ କହିଛନ୍ତି ଯେ ‘ସ୍ପେଡେକ୍ସ’ ଉପଗ୍ରହଙ୍କ ଉପରେ ପରୀକ୍ଷଣ ଅବସର ଆମକୁ ପୁଣି ଥରେ ମାର୍ଚ୍ଚ ୧୫ ତାରିଖରେ ମିଳିବ। ଏବେ ଆମେ ଉପଗ୍ରହଙ୍କୁ ପୃଥକ କରିବାକୁ ଓ ସେମାନଙ୍କୁ ପୁଣି ଡକ୍ କରିବା ପାଇଁ ଆମେ ‘ସିମୁଲେସନ’ ପ୍ରୟୋଗ କରୁଛୁ। ଏଥି ପାଇଁ ଆମେ ଏକ ଯୋଜନା ପ୍ରସ୍ତୁତ କରିଛୁ ଓ ମାର୍ଚ୍ଚ ୧୫ ତାରିଖରୁ ବାସ୍ତବିକ ପ୍ରୟୋଗ ଆରମ୍ଭ କରିବୁ। ସେ କହିଛନ୍ତି ଯେ ଆମେ ଅନେକଗୁଡିଏ ପରୀକ୍ଷଣ କରିବାକୁ ଚାହୁଁଛୁ। ଆମ ପାଖରେ ତୃତୀୟ ସ୍ଲଟ ନିମନ୍ତେ ମଧ୍ୟ ପ୍ରୟୋଗ ଯୋଜନା ରହିଛି, ଯାହା ଦୁଇ ମାସ ପରେ ଉପଲବ୍ଧ ହେବ।
ନାରାୟଣନ କହିଛନ୍ତି ଯେ ‘ସ୍ପେଡେକ୍ସ’ ଯୋଜନା ଭବିଷ୍ୟତର ଅନେକ ମହାକାଶ ପ୍ରକଳ୍ପ ନିମନ୍ତେ ଗୁରୁତ୍ୱପୂର୍ଣ୍ଣ, ଯେପରି ଚନ୍ଦ୍ରଯାନ -୪ ଓ ଭାରତର ମହାକାଶ କେନ୍ଦ୍ର ସ୍ଥାପନା ବୋଲି ସେ କହିଛନ୍ତି। ଏଥିରେ ଡକିଂ ପ୍ରଯୁକ୍ତିର ଉପଯୋଗ ହେବ।