ଦେବସ୍ନାନ ପୂର୍ଣ୍ଣିମା ପାଇଁ ଟ୍ରାଫିକ୍‌ ବ୍ୟବସ୍ଥା କଡ଼ାକଡ଼ି, ଭିଡ଼ ନିୟନ୍ତ୍ରଣ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା

Published By : Prameya-News7 Bureau | June 21, 2024 IST

ପୁରୀ: ଦେବସ୍ନାନ ପୂର୍ଣ୍ଣିମାରେ ହେବାକୁ ଥିବା ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଭିଡ଼ ନିୟନ୍ତ୍ରଣ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଶ୍ରଦ୍ଧାଳୁମାନେ ସିଂହଦ୍ୱାର ଦେଇ ପ୍ରବେଶ କରିବେ ଓ ପଶ୍ଚିମ, ଉତ୍ତର ଏବଂ ଦକ୍ଷିଣ ଦ୍ୱାର ଦେଇ ପ୍ରସ୍ଥାନ କରିବେ ।

ସେହିଭଳି ବଡ଼ଦାଣ୍ଡ ପାର୍ଶ୍ୱରୁ ଏବଂ ବିଭିନ୍ନ ଗଳିରୁ ଆସୁଥିବା ଭକ୍ତମାନେ ମାର୍କେଟ ଛକରୁ ଆରମ୍ଭ ହେଉଥିବା ବ୍ୟାରିକେଡ୍ ଦେଇ ପ୍ରବେଶ କରିବେ। ଭକ୍ତମାନେ ବଡଦାଣ୍ଡସ୍ଥିତ ବ୍ୟାରିକେଡ ଭିତର ଦେଇ ଶ୍ରୀକୃଷ୍ଣ ସିନେମା ହଲ୍ ପର୍ଯ୍ୟନ୍ତ ଶ୍ରୀମନ୍ଦିର ଦିଗରେ ଆସିବେ ଏବଂ SJRCଠାରେ ପହଞ୍ଚିବେ। ଏହାପରେ ସେଠାରୁ SJRC ଡୋର୍ ଫ୍ରେମ୍ ମେଟାଲ୍ ଡିଟେକ୍ଟର ଯାଞ୍ଚ କରାଇ ଦୋଳବେଦୀ କୋଣଠାରେ ଥିବା ଷ୍ଟିଲ୍ ବ୍ୟାରିକେଡକୁ ପ୍ରବେଶ କରିବେ।

ଉତ୍ତର ଦ୍ୱାରରୁ ପ୍ରସ୍ଥାନ କରୁଥିବା ଭକ୍ତମାନେ ବଡଦାଣ୍ଡ ଦେଇ ନିଜ ସୁବିଧା ଅନୁସାରେ ଦୁଇଟି ମାର୍ଗ ଦେଇ ଯାଇପାରିବେ। ସତ୍ୟନାରାୟଣ ମନ୍ଦିର ଦେଇ ବଡଦାଣ୍ଡକୁ ଅନ୍ୟାନ୍ୟ ଗଳି ଦେଇ ଯାଇପାରିବେ । ଭିଡ଼ ପରିସ୍ଥିତିକୁ ଲକ୍ଷ୍ୟ କରି ଭକ୍ତମାନେ ଦୋଳବେଦୀ କୋଣ ଦେଇ ଉତ୍ତର ଦ୍ୱାରଠାରୁ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ନିକଟରେ ବଡଦାଣ୍ଡକୁ ଯାଇପାରିବେ ।

ଟିକେଟଧାରୀ ଭକ୍ତମାନେ ପହଣ୍ଡି ଦର୍ଶନ ନିମନ୍ତେ ପ୍ରାତଃ ସମୟରେ ଧାଡିରେ ଦକ୍ଷିଣ ଦ୍ୱାରରେ ଥିବା ବ୍ୟାରିକେଡ୍ ଦେଇ ପ୍ରବେଶ କରିବେ । ପହଣ୍ଡି ଶେଷ ହେବା ପରେ ଦକ୍ଷିଣ ଦ୍ୱାର ଦେଇ ପ୍ରବେଶ ବନ୍ଦ ହୋଇଯିବ ।

ସେପଟେ ପୋଲିସ ପ୍ରଶାସନ ପକ୍ଷରୁ ଆଇନ୍ ଶୃଙ୍ଖଳା, ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ ଓ ପାର୍କିଂ ବ୍ୟବସ୍ଥା  କରାଯାଇଛି। ପୋଲିସ ପକ୍ଷରୁ ମଧ୍ୟ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ହୋଇଛି । ୪ ଜଣ ଏସପି ରାଙ୍କ କମାଡାଣ୍ଟ, ୧୨ ଅତିରିକ୍ତ ଏସପି, ୨୨ ଜଣ ଡିଏସପି, ୬୦ ଜଣ ଇନ୍ସପେକ୍ଟର, ୨୯୦ ସବ୍ ଇନ୍ସପେକ୍ଟରଙ୍କ ସହ ୬୮ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ। ଶ୍ରୀମନ୍ଦିର ସହ ଗୁରୁତ୍ବପୂର୍ଣ୍ଣ ସ୍ଥାନ ଉପରେ ନଜର ରଖିବ ସିସିଟିଭି।ମାର୍କେଟ ଛକ ଠାରୁ ଅସ୍ଥାୟୀ ବ୍ୟାରିକେଡ଼ ବ୍ୟବସ୍ଥା ସହ ରୌଦ୍ରତାପରୁ ରକ୍ଷା ପାଇଁ ସାମିଆନା ବ୍ୟବସ୍ଥା ମଧ୍ୟ କରାଯାଇଛି। ପାରମାଣିକ ଟିକେଟ ଧାରୀଙ୍କ ପାଇଁ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କରାଯାଇଥିବା କହିଛନ୍ତି ଏସପି ପିନାକ ମିଶ୍ର।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.