ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବଡ ବର୍ଷା, ୧୪ ଜିଲ୍ଲାକୁ ଆଲର୍ଟ

Published By : Prameya-News7 Bureau | June 27, 2024 IST

ଭୁବନେଶ୍ଵର: ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବଡ ବର୍ଷା। ଉପାନ୍ତରୁ ଉପକୂଳ ସବୁଠି ପ୍ରବଳ ବର୍ଷିବ। ଉତ୍ତର-ପଶ୍ଚିମ ତତ୍ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଏହାସହ ରାଜ୍ୟରେ ଏବେ ମୌସୁମୀ ନିମ୍ନଚାପରେଖା ସକ୍ରିୟ ରହିଛି। ଆଜି ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ରେକର୍ଡ ହୋଇଥିବା ବେଳେ ଆସନ୍ତା କାଲି ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୩ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ସେହିଭଳି ପ୍ରବଳ ବର୍ଷା ନେଇ ୧୧ଟି ଜିଲ୍ଲାକୁ ସତର୍କ କରାଇଛି ପାଣିପାଗ କେନ୍ଦ୍ର। ପ୍ରବଳ ରୁ ଅତି ପ୍ରବଳ ବର୍ଷା ନେଇ ସତର୍କତା ଜାରି କରାଯାଇଥିବା ଜିଲ୍ଲାଗୁଡିକରେ ଆକସ୍ମିକ ବନ୍ୟା ପରିସ୍ଥିତି ସହ ଦୃଶ୍ୟମାନ ଦୂରତା କମିବ। 

Also read: ହୋଟେଲରେ ରହୁଥିବା ଲୋକଙ୍କ ଡାଟା ଦିଅ, ନହେଲେ ହେବ ଆକ୍ସନ- ଭୁବନେଶ୍ୱର ଡିସିପି

୫ ଦିନ ଯାଏଁ ଘାଣ୍ଟିବ ଘୂର୍ଣ୍ଣିବଳୟ। ଉପାନ୍ତରୁ ଉପକୂଳ ପ୍ରବଳ ବର୍ଷା। କାଲି ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଜଗତସିଂହପୁର, କେନ୍ଦ୍ରାପଡା ଏବଂ ଭଦ୍ରକକୁ ସତର୍କତା। ସୃଷ୍ଟି ହେବ ଆକସ୍ମିକ ବନ୍ୟା। କମିବ ଦୃଶ୍ୟମାନ ଦୂରତା। ଉପୁଜିବ ଟ୍ରାଫିକ୍ ସମସ୍ୟା। ପାହାଡିଆ ଅଞ୍ଚଳରେ ଧସିବ ମାଟି ଅତଡା। ସତର୍କ କରାଇଲା ପାଣିପାଗ କେନ୍ଦ୍ର। ଉତ୍ତର ପଶ୍ଚିମ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ସାରା ରାଜ୍ୟରେ ଲାଗି ରହିଛି ବର୍ଷା। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ଆସନ୍ତା କାଲି ପ୍ରବଳ ବର୍ଷା ନେଇ ବାଲେଶ୍ବର, ମୟୁରଭଞ୍ଜ, କେନ୍ଦୁଝର, ପୁରୀ, ଖୋର୍ଦ୍ଧା, କଟକ, ଯାଜପୁର, ଝାରସୁଗୁଡା, ସମ୍ବଲପୁର, ବରଗଡ ଏବ ସୁନ୍ଦରଗଡକୁ ସତର୍କତା ଜାରି କରାଯାଇଛି। ଏହି ସବୁ ଜିଲ୍ଲାରେ ୭୦ ରୁ ୨ଶହ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହେବ। 

ସେହିଭଳି ୨୯ ଏବଂ ୩୦ ତାରିଖରେ ଆଭ୍ୟନ୍ତରୀଣ ଓଡ଼ିଶାର  ସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଆକଳ କରାଯାଇଛି। ପ୍ରଭାବରେ କଚା ଘର ଏବଂ କଚ୍ଚା ରାସ୍ତା ପ୍ରଭାବିତ ହୋଇପାରେ। ସେପଟେ ଘୂର୍ଣ୍ଣିବଳୟ ପ୍ରଭାବରେ ମୌସୁମୀ ନିମ୍ନ ଚାପରେଖା ସକ୍ରିୟ ହୋଇଛି। ଫଳରେ ରାଜ୍ୟରେ ଉପୁଜିଥିବା ନିଅଁଣ୍ଟିଆ ସ୍ଥିତି ଧିରେ ଧିରେ ଭରଣ ହେଉଛି। ଗତ କାଲି ରାଜ୍ୟରେ ୪୨ ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଥିବା ବେଳେ ଗୋଟିଏ ଦିନରେ ୩ ପ୍ରତିଶତ ଭରଣ ହୋଇ ୩୯ ପ୍ରତିଶତରେ ପହଞ୍ଚିଛି। ୪ଟି ଜିଲ୍ଲା ବାଲେଶ୍ବର, ମୟୁରଭଞ୍ଜ, କେନ୍ଦୁଝର ଏବଂ ପୁରୀରେ ନିଅଁଣ୍ଟିଆ ଉତ୍କଟ ସ୍ଥିତି ରହିଛି। ୨୦ଟି ଜିଲ୍ଲାରେ ୨୦ ରୁ ୫୯ ପ୍ରତିଶତ କମ୍ ବର୍ଷା ରେକର୍ଡ ହୋଇଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର କହିଛି। 

ଗତ କାଲି ଘଣ୍ଟାଏ ବର୍ଷାରେ ରାଜଧାନୀ ଭୁବନେଶ୍ବରର ଅବସ୍ଥା ବେହାଲ ହୋଇଥିବା ବେଳେ କଟକରେ ବି ସ୍ଥିତି ଅସମ୍ଭାଳ ହୋଇଥିଲା। ତେବେ ଆଗାମୀ ୫ ଦିନରେ ହେବାକୁ ଥିବା ପ୍ରବଳ ବର୍ଷା ପ୍ରଭାବରେ ବି ଅନୁରୂପ ସ୍ଥିତି ଉପୁଜିପାରେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.