ଆପେଆପେ ମିଳିଲା ଜମି, ଗଢା ହୋଇଗଲା ମନ୍ଦିର; ଅନନ୍ୟ ଏଠାକାର ଦିଅଁ, ଭିନ୍ନ ପରମ୍ପରା

Published By : Prameya-News7 Bureau | June 27, 2024 IST

ଭୁବନେଶ୍ୱର: ଆଗ ରଥଯାତ୍ରା, ପରେ ଦେଉଳ । ଭିନ୍ନ ଭିନ୍ନ ଯାଗାରୁ ରଥଯାତ୍ରା ଓ ବାହୁଡ଼ା । ଆପେଆପେ ମିଳିଲା ଜମି, ଗଢି ହୋଇଗଲା ମନ୍ଦିର । ରଥଯାତ୍ରାରେ ଛେରାପହଁରା କରନ୍ତି ମୁଖ୍ୟମନ୍ତ୍ରୀ । ୧୯୯୭ ମସିହାରେ ଗୋଆରେ ରହୁଥିବା ଓଡ଼ିଆମାନେ ଏକାଠି ହୋଇ All Goa Odisha Association  ଗଢିଲେ । ବିଭିନ୍ନ ସାଂସ୍କୃତିକ କର୍ଯ୍ୟକ୍ରମ ଓ ସତସଙ୍ଗ ଅନୁଷ୍ଠିତ ହେଉଥିଲା ।  ଏହି ଚିନ୍ତାଧାରା ପଛରେ ଏକ ବଡ ଉଦ୍ଦେଶ୍ୟ ନିହିତ ଥିଲା । ତାହା ହେଲା ଏଠାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର ନିର୍ମାଣ କରିବା  ।  ଓଡ଼ିଆର ଆରାଧ୍ୟ ଠାକୁର ସିଏ । ତାଙ୍କ ପାଇଁ ସମସ୍ତଙ୍କ ହୃଦୟରେ ବ୍ୟାକୁଳତା ଥିଲା । ଏ ନେଇ ୨୦୦୮ ଅକ୍ଟୋବର ମାସରେ ପଞ୍ଜିକୃତ ହେଲା ‘Shreejaganath Temple charitable trust ,Goa’ । ଏହା ପରଠାରୁ ଆରମ୍ଭ ହୋଇଥିଲା ସ୍ୱପ୍ନକୁ ସାକାର କରିବାର ପରିକଳ୍ପନା । ଖୋଜା ଚାଲିଥିଲା ଯାଗା,ଠାକୁରଙ୍କ ମନ୍ଦିର ନିର୍ମାଣ ଲାଗି । ୨୦୦୯ରେ ଏକ ଅଦ୍ଭୁତ କଥା ମୁଣ୍ଡକୁ ଆସିଲା ଆୟୋଜକଙ୍କର । ମନ୍ଦିର ଗଢିବାକୁ ବହୁ ଟଙ୍କା ଦରକାର ? ଏତେ ଟଙ୍କା କେଉଁଠୁ ଆସିବ ? ପ୍ରଥମେ ଭକ୍ତଙ୍କୁ ଏକାଠି କରିବାକୁ ପଡିବ । ତେଣୁ ସେମାନେ ଆୟୋଜନ କଲେ ଏକ ରଥଯାତ୍ରା ।  ସେଠାର ଇସକନ କର୍ତ୍ତୃପକ୍ଷଙ୍କ ସହ କଥା ହେଲେ । ସ୍ଥିର ହେଲା ସେମାନେ ପ୍ରଭୁଙ୍କ ମୂର୍ତ୍ତି ଦେବେ । ରଥଯାତ୍ରା ହେବ । ଏହି ବର୍ଷ ମିରାମାର ସର୍କଲରୁ ଫେରିପଏଣ୍ଟ ପର୍ଯ୍ୟନ୍ତ ରଥଯାତ୍ରା କରାଗଲା । ବହୁ ଭକ୍ତଙ୍କ ସମଗମ ମଧ୍ୟ ହେଲା । ଏହିପରି ପ୍ରତିବର୍ଷ ରଥଯାତ୍ରା ଚାଲିଥିବା ଭିତରେ ଠାକୁରଙ୍କ ମନ୍ଦିର ନିର୍ମାଣ ଲାଗି ଜମି ଖୋଜା ଚାଲିଥିଲା । ଆକାଉଣ୍ଟରେ ଥିଲା ମାତ୍ର ୧୭ ହଜାର ଟଙ୍କା ।  ଏଠାର ଜଣେ ପ୍ରମୁଖ ଉଦ୍ୟୋକ୍ତା ସୁକାନ୍ତ ମିଶ୍ର ପ୍ରଭୁଙ୍କ ଠାରେ ନିବେଦନ କରିଥିଲେ- ‘ ଠାକୁରେ ! ତୁମେ ତୁମକୁ ଗଢ ।  ତୁମେ ଯାଗାଦିଅ, ମନ୍ଦିର ଗଢ । ପୂଜା ଦାୟିତ୍ୱ କେବଳ ଆମର । ‘ ସମସ୍ତଙ୍କୁ ଚକିତ କରି ଜଣେ ଭକ୍ତ ବାନ୍ଦୋଡ଼ାଠାରେ ଜମି ଦେବାକୁ ନିଜର ଆଗ୍ରହ ପ୍ରକାଶ କଲେ’ । ଏହାଥିଲା ଏକ ପାହାଡିଆ ଅଞ୍ଚଳ । ପାଖକୁ ଲାଗି ଆଉ ଅଳ୍ପ କିଛି ଯାଗା କିଣାଗଲା । ଏଥର ଆରମ୍ଭ ହେଲା ମନ୍ଦିର ନିର୍ମାଣ ଅଭିଯାନ  । ‘ପୋଣ୍ଡା’ଠାରେ ଏକ ସଭାର ଆୟୋଜନ ହେଲା । ସମସ୍ତେ ବସି ସ୍ଥିର କଲେ ଏଠାର ସବୁ ଓଡିଆଙ୍କୁ କୁହାଯିବ , କିଛିକିଛି ଅର୍ଥ ସହଯୋଗ କରିବାକୁ । କିନ୍ତୁ କାହାକୁ ବାଧ୍ୟ କରାଯିବ ନାହିଁ । ଏହା ପରେ ସ୍ୱେଚ୍ଛାକୃତ ସାହାଯ୍ୟର ପରିମାଣ ବଢିଲା । ତିନି ମାସ ଭିତରେ ମନ୍ଦିର ବି ଗଢା ହୋଇଗଲା । ୨୦୧୭ ମସିହା  ନଭେମ୍ବର ମାସରେ ଏଠାରେ ଠାକୁରଙ୍କ ପ୍ରତିଷ୍ଠା ହେଲା । ପରେ ଯାତ୍ରୀଙ୍କ ସୁବିଧା ଲାଗି ସୋଲାର ଲାଇଟ ବ୍ୟବସ୍ଥା ହେଲା । ପାଣି ବ୍ୟବସ୍ଥା ମଧ୍ୟ କରାଗଲା । ନେପାଳର ଗଣ୍ଡୁକି ନଦୀରୁ ଶାଳଗ୍ରାମ ଅଣାଯାଇ ବିଗ୍ରହ ସ୍ଥାପନ ଓ ବିଧିବଦ୍ଧ ପୂଜା ବ୍ୟବସ୍ଥା ହେଲା ।  ପୂର୍ବପରି ରଥଯାତ୍ରା ଅବ୍ୟାହତ ରହିଲା । କିନ୍ତୁ ଏହା ଥିଲା ଅନ୍ୟ ସ୍ଥାନଗୁଡିକର ରଥଯାତ୍ରାଠାରୁ ଭିନ୍ନ । ଏଠାରେ ଠାକୁରଙ୍କୁ ବାନ୍ଦୋଡ଼ାରୁ ଯେ କୈ।ଣସି ଗାଡିରେ ମୀରାମାରକୁ ଅଣାଯାଇ ସେଠାରୁ ପହଣ୍ଡି ହୋଇଥାଏ । ବାନ୍ଦୋଡାରେ ରାସ୍ତା ପ୍ରଶସ୍ତ ନଥିବାରୁ ଆୟୋଜକଙ୍କ ପକ୍ଷରୁ ଏପରି ବ୍ୟବସ୍ଥା କରାଯାଏ । ମୀରାମାରଠାରେ ଠାକୁରଙ୍କୁ ପହଣ୍ଡି କରି ରଥରେ ବସାଯାଇ ରଥଟଣା ଆରମ୍ଭ ହୁଏ । ତେବେ ବାନ୍ଦୋଡ଼ାଠାରେ ଠାକୁରଙ୍କ ରହଣି ପାଇଁ ବ୍ୟବସ୍ଥା ହୋଇଥିବାରୁ ଠାକୁର ସେଠାରୁ ସେହି ଗୋଟିଏ ଦିନରେ ପୁଣି ବାନ୍ଦୋଡାକୁ ଫେରିଆସନ୍ତି । ପ୍ରତିବର୍ଷ ରଥଯାତ୍ରାକୁ ଏଠାରେ ପ୍ରାୟ ତିନି ହଜାର ଲୋକଙ୍କ ସମାଗମ ହୋଇଥାଏ ।  ପୁଣି ବାହୁଡା ଦିନ ପୋଣ୍ଡାରୁ ବାନ୍ଦୋଡାକୁ ବାହୁଡ଼ାଯାତ୍ରା ଅନୁଷ୍ଠିତ ହୁଏ । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା , ଏଠାରେ ଅନୁଷ୍ଠିତ ରଥଯାତ୍ରାରେ ଛେରାପହଁରା କରନ୍ତି ଗୋଆର ମୁଖ୍ୟମନ୍ତ୍ରୀ । ଯିଏ ଯେଉଁ ଦଳର ଯେତେବେଳେ କ୍ଷମତାରେ ଥାଆନ୍ତୁ , ସେଇ ମୁଖ୍ୟମନ୍ତ୍ରୀ ହିଁ ଏହି କାର୍ଯ୍ୟ ତୁଲାଇବେ । କେବଳ ଗୋଟିଏ ବର୍ଷ ମନୋହର ପାରିକରଙ୍କ ଅସୁସ୍ଥତା କାରଣରୁ ବିଧାନସଭା ବାଚସ୍ପତି ପ୍ରମୋଦ ସାୱନ୍ତ ଏହି ଦାୟିତ୍ୱ ତୁଲାଇଥିଲେ । ପରେ ସେ ବି ମୁଖ୍ୟମନ୍ତ୍ରୀ ହେଲେ । 

ଏକ ଅନତି ଉଚ୍ଚ ଦେଉଳରେ ଠାକୁର ଅବସ୍ଥାନ କରୁଛନ୍ତି । ଗର୍ଭଗୃହରେ ସପ୍ତଧା ବିଗ୍ରହ ପୂଜା ପାଉଛନ୍ତି । ଠାକୁରଙ୍କ ନିତ୍ୟ ନିତିକାନ୍ତି ସହ ଦ୍ୱିପ୍ରହରରେ ପ୍ରସାଦ ବାହାରୁଛି । ପ୍ରତି ରବିବାର ଦିନ ବିନା ଦେୟରେ ପ୍ରାୟ ଦେଢଶହରୁ ଅଧିକ ଲୋକ ପ୍ରସାଦ ସେବନ କରିବାର ବ୍ୟବସ୍ଥା ରହିଛି । ଏଠାରେ ସ୍ନାନ, ରଥ ଓ ବାହୁଡ଼ାଯାତ୍ରା ସମେତ ବର୍ଷ ତମାମ ତିଥି ଅନୁସାରେ ବିଭିନ୍ନ ଉତ୍ସବ ଅନୁଷ୍ଠିତ ହୋଇଆସୁଛି  । ପୁଣି ପ୍ରତ୍ୟେକ ମାସ ସଂକ୍ରାନ୍ତିରେ ଏଠାରେ ହୋମଯଜ୍ଞ କରାଯିବାର ବିଧି ରହିଛି ।  

ଗୋଆ ଜଗନ୍ନାଥ ମନ୍ଦିର ଏଠାର ହଜାର ହଜାର ଭକ୍ତଙ୍କ ଆବେଗର ପ୍ରାଣକେନ୍ଦ୍ର ।  ଅନନ୍ୟ ଏଠାର ଦିଅଁ , ଭିନ୍ନ ଏଠାର ପରମ୍ପରା ।  ପଭୁଙ୍କୁ ପାଖରେ ପାଇବାର ଇଛାରୁ ଏଠାରେ ତାଙ୍କର ଆବିର୍ଭାବ । ଆଉ ଭକ୍ତ ସମର୍ପିତ ପ୍ରଭୁଙ୍କ ଠାରେ । 


  • Ratha Yatra 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.