ଆଗାମୀ ୫ ଦିନ ପର୍ଯ୍ୟନ୍ତ ଉତ୍ତର-ପଶ୍ଚିମ ଓ ପୂର୍ବୋତ୍ତର ଭାରତରେ ଭୀଷଣ ବର୍ଷା ଆଶଙ୍କା: IMD

Published By : Prameya-News7 Bureau | June 29, 2024 IST

ନୂଆଦିଲ୍ଲୀ ୨୯।୬:   ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ (ଆଇଏମଡି) ଆଗାମୀ ୪ରୁ ୫ ଦିନ ପର୍ଯ୍ୟନ୍ତ ଉତ୍ତର-ପଶ୍ଚିମ ଓ ପୂର୍ବୋତ୍ତର ଭାରତରେ ଭୀଷଣରୁ ଅତି ଭୀଷଣ ବର୍ଷା ପୂର୍ବାନୁମାନ କରିଛନ୍ତି। ପାଣିପାଗ ବିଭାଗ କହିଛନ୍ତି ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇଛି, ଯାହା ଉତ୍ତରଓଡିଶା ଓ ପଶ୍ଚିମବଙ୍ଗ ଉପକୂଳକୁ ଲାଗି ରହିଛି। ଏହାର ପ୍ରଭାବରେ ପୂର୍ବୋତ୍ତର ରାଜସ୍ଥାନ, ବିହାର, ପୂର୍ବ ଉତ୍ତରପ୍ରଦେଶ ଏବଂ ଉତ୍ତର-ପଶ୍ଚିମ ପର୍ଯ୍ୟନ୍ତ ନିମ୍ନ ଟ୍ରପୋସ୍ପିୟରରେ ଏକ ସାଇକ୍ଲୋନିକ ସର୍କଲ ସୃଷ୍ଟି ହୋଇଛି। 

ଏହା ପ୍ରଭାବରେ ଜୁନ ୩୦ ତାରିଖରୁ ବିହାରରେ ଭୀଷଣ ବର୍ଷା ଆଶଙ୍କା କରାଯାଉଥିବା ବେଳେ ଉତ୍ତରପ୍ରଦେଶର ଉତ୍ତର-ପଶ୍ଚିମ ଭାଗରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହି ସିଷ୍ଟମ ଯୋଗୁ ୨୯ ଜୁନରୁ ଜୁଲାଇ ୩ ତାରିଖ ପର୍ଯ୍ୟନ୍ତ ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼, ଦିଲ୍ଲୀ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଓ ରାଜସ୍ଥାନର କେତେକ ଅଞ୍ଚଳରେ ବର୍ଷା ଆଶଙ୍କା କରାଯାଉଛି। ଏହା ଛଡା ଛତିଶଗଡ, ପଶ୍ଚିମବଙ୍ଗ ଗଙ୍ଗାର ସମତଳ ଅଞ୍ଚଳ, ଝାଡଖଣ୍ଡ ଏବଂ ଓଡିଶାରେ ୨୯ ଓ ୩୦ ଜୁନରେ ଭୀଷଣ ବର୍ଷା ଅନୁମାନ କରାଯାଉଛି। 

ଆଇଏମଡି ୨୯ ଜୁନରୁ ୧ ଜୁଲାଇ ମଧ୍ୟରେ ସୌରାଷ୍ଟ୍ର, କଚ୍ଛ, କେରଳ, ତାମିଲନାଡୁ ତଥା ଉପକୂଳବର୍ତ୍ତି ଦକ୍ଷିଣ କର୍ଣ୍ଣାଟକର କିଛି ସ୍ଥାନରେ ଭୀଷଣ ବର୍ଷାର ପୂର୍ବାନୁମାନ କରିଛନ୍ତି। ଆଇଏମଡି ଏହା ମଧ୍ୟ କହିଛନ୍ତି ଯେ ଶନିବାର ଦକ୍ଷିଣ-ପଶ୍ଚିମ ମୌସୁମୀ ପୂର୍ବ ଉତ୍ତର ପ୍ରଦେଶର ବାକି ଭାଗ ଓ ପଶ୍ଚିମ ଉତ୍ତରପ୍ରଦେଶର କିଛି ଅଞ୍ଚଳକୁ ପ୍ରବେଶ କରିଛି। ଏଣୁ ଆଗାମୀ ଦୁଇରୁ ୩ ଦିନରେ ମୌସୁମୀ ପଶ୍ଚିମ ରାଜସ୍ଥାନ, ହରିୟାଣା, ଚଣ୍ଡିଗଡ଼ ପଞ୍ଜାବର ଅଧିକାଂଶ ଅଞ୍ଚଳ ଓ ପଶ୍ଚିମ ଉତ୍ତରପ୍ରଦେଶ, ହିମାଚଳ ପ୍ରଦେଶ ଓ ଜମ୍ମୁର ଶେଷ ଭାବକୁ ପହଞ୍ଚିବା ପାଇଁ ପାଗ ଅନୁକୂଳ ରହିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.