Budget 2025: ଗତ ବର୍ଷ ତୁଳନାରେ କ୍ରୀଡ଼ା ବଜେଟ୍‌ରେ ୩୫୨ କୋଟି ଟଙ୍କା ବୃଦ୍ଧି, ଖେଲୋ ଇଣ୍ଡିଆକୁ ମିଳିଲା ଏତିକି ରାଶି

Published By : Prameya-News7 Bureau | February 01, 2025 IST

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଶନିବାର ୨୦୨୫-୨୬ ପାଇଁ ସାଧାରଣ ବଜେଟ୍ ଉପସ୍ଥାପନ କରିଛନ୍ତି। ଏଥିରେ କ୍ରୀଡ଼ା ପାଇଁ ୩୭୯୪.୩୦ କୋଟି ଟଙ୍କା ବ୍ୟୟ ମଞ୍ଜୁର କରାଯାଇଛି। ଯାହା ଗତ ବର୍ଷ ତୁଳନାରେ ୩୫୨ କୋଟି ଟଙ୍କା ଅଧିକ ରହିଛି। କ୍ରୀଡ଼ା ବଜେଟ୍‌ରେ ସରକାରଙ୍କ ପ୍ରମୁଖ ଯୋଜନା ଖେଲୋ ଇଣ୍ଡିଆକୁ ବେଶ ଫାଇଦା ମିଳିଛି। ତୃଣମୂଳସ୍ତରରେ କ୍ରୀଡ଼ାକୁ ପ୍ରୋତ୍ସାହନ ଦେଉଥିବା ଏହି କାର୍ଯ୍ୟକ୍ରମ ପାଇଁ କେନ୍ଦ୍ରୀୟ ବଜେଟ୍‌ରେ ସବୁଠୁ ଅଧିକ ଅର୍ଥରାଶି ଆବଣ୍ଟିତ କରାଯାଇଛି।

ଆସନ୍ତା ବର୍ଷ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଓ ଏସୀୟ କ୍ରୀଡ଼ାର ଆୟୋଜନ କରାଯିବ। ତେଣୁ କ୍ରୀଡ଼ା ମନ୍ତ୍ରଣାଳୟର ବଜେଟ୍‌ରେ ଗତ ବର୍ଷ ତୁଳନାରେ ୩୫୨ କୋଟି ଟଙ୍କା ବୃଦ୍ଧି କରାଯାଇଛି। ଏଥର କ୍ରୀଡ଼ା ବଜେଟ୍‌ ୩୭୯୪.୩୦ କୋଟି ଟଙ୍କାର ରହିଛି, ଯାହା ଗତ ବର୍ଷ ୩,୪୪୨.୩୨ କୋଟି ଟଙ୍କା ରହିଥିଲା। କ୍ରୀଡ଼ା ମନ୍ତ୍ରଣାଳୟ ପାଇଁ ୨୦୨୩ରେ ବଜେଟ୍‌ରେ ୩,୩୯୬.୯୬ କୋଟି ଟଙ୍କାର ବ୍ୟବସ୍ଥା ରହିଥିଲା।

Also read: ବଜେଟ୍‌ରେ ଚାଷୀଙ୍କ ପାଇଁ ବଡ ଘୋଷଣା,ଆରମ୍ଭ ହେବ ପ୍ରଧାନମନ୍ତ୍ରୀ ଧନଧାନ୍ୟ ଯୋଜନା

କ୍ରୀଡ଼ା ମନ୍ତ୍ରଣାଳୟ ଏଥର ବଜେଟ୍‌ରେ ଖେଲୋ ଇଣ୍ଡିଆ ପାଇଁ ୧୦୦୦ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି। ଗତ ବର୍ଷ ୨୦୨୪-୨୫ରେ ଖେଲୋ ଇଣ୍ଡିଆ ପାଇଁ ୯୦୦ କୋଟି ଟଙ୍କା ଆବଣ୍ଟିତ କରାଯାଇଥିଲା। ସରକାର ଗତ କିଛି ବର୍ଷ ହେବ ଖେଲୋ ଇଣ୍ଡିଆରେ ଅଧିକ ଅର୍ଥ ନିବେଶ କରୁଛନ୍ତି ଯଦ୍ଵାରା ସମଗ୍ର ଦେଶର କୋଣ ଅନୁକୋଣରୁ ପ୍ରତିଭାଙ୍କ ଚିହ୍ନଟ କରାଯାଇ ସେମାନଙ୍କ କ୍ୟାରିୟର ଗଢା ଯାଇ ପାରିବ। ୨୦୨୩-୨୪ ବଜେଟରେ ପାଖାପାଖି ୪୦୦ କୋଟିରୁ ଅଧିକ ବଢାଯାଇ ଖେଲୋ ଇଣ୍ଡିଆ ପାଇଁ ୧୦୦୦ କୋଟି ବ୍ୟୟବରାଦ କରାଯାଇଥିଲା। କିନ୍ତୁ ପରେ ଏହାକୁ ସଂଶୋଧିତ କରାଯାଇ ୮୮୦ ଟଙ୍କା କରାଯାଇଥିଲା।

ଖେଲୋ ଇଣ୍ଡିଆ ୨୦୧୮ର ଆରମ୍ଭ ହେବା ପରେ ସରକାର ଏଥିରେ ଆହୁରି କ୍ରୀଡ଼ା କାର୍ଯ୍ୟକ୍ରମକୁ ଯୋଡ଼ିବା ଜାରି ରଖିଛନ୍ତି। ମନ୍ତ୍ରଣାଳୟ ସେହି ବର୍ଷ ଖେଲୋ ଇଣ୍ଡିଆ ଶୀତକାଳୀନ କ୍ରୀଡ଼ା ଓ ୨୦୨୩ରେ ଖେଲୋ ଇଣ୍ଡିଆ ପାରା କ୍ରୀଡ଼ା ଆରମ୍ଭ କରିବା ସହିତ ୨୦୨୦ରେ ଖେଲୋ ଇଣ୍ଡିଆ ବିଶ୍ଵ ବିଦ୍ୟାଳୟ ଆରମ୍ଭ କରିଥିଲେ। ସମଗ୍ର ଦେଶରେ ଶତାଧିକ ଖେଲୋ ଇଣ୍ଡିଆ ରାଜ୍ୟ ଉତ୍କୃଷ୍ଟତା କେନ୍ଦ୍ର ସ୍ଥାପନ କରାଯାଇଛି। ଏହାର ଉଦ୍ଦେଶ୍ୟ ପ୍ରତିଭାଶାଳୀ ଉଦୀୟମାନ ଖେଳାଳିଙ୍କୁ ଆନୁସଙ୍ଗିକ ସୁବିଧା ପ୍ରଦାନ କରିବା। ଖେଲୋ ଇଣ୍ଡିଆର ଅନେକ ଆଥଲେଟ୍ ଅଲିମ୍ପିକ୍ସ ଦଳରେ ମଧ୍ୟ ସାମିଲ ହୋଇଛନ୍ତି। ଧିନିଧି ଦେସିଙ୍ଘୁ ଏହାର ସବୁଠୁ ବଡ଼ ଉଦାହରଣ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.