ହାଇଦ୍ରାବାଦ୍ ୦୬।୦୪ : ଆଇପିଏଲ୍ ୨୦୨୫ । ଟୁର୍ଣ୍ଣାମେଣ୍ଟର ୧୯ତମ ଲିଗ୍ ମୁକାବିଲାରେ ମୁହାଁମୁହିଁ ହେବେ ସନରାଇଜର୍ସ ହାଇଦ୍ରାବାଦ୍ ଏବଂ ଗୁଜରାଟ ଟାଇଟନ୍ସ । ହାଇଦ୍ରାବାଦରଗ୍ରାଉଣ୍ଡ୍ରେ ଖେଳାଯିବ ଏହି ମ୍ୟାଚ୍ । କ୍ରମାନ୍ୱୟରେ ୩ଟି ମ୍ୟାଚ ହାରି ସାରିଥିବା ସନରାଇଜର୍ସ ବିଜୟ ଧାରାକୁ ଫେରିବାକୁ ବଦ୍ଧ ପରିକର । ଟାଇଟନ୍ସ ମଧ୍ୟ କଡ଼ା ଟକ୍କର ଦେବାକୁ ପ୍ରସ୍ତୁତ । ଫଳରେ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିବ।
ଗତ ସିଜିନରେ ବିସ୍ଫୋରକ ବ୍ୟାଟିଂ କରି ସବୁ ଦଳଙ୍କ ନିଦ ହଜାଇ ଦେଇଥିବା ସନରାଇଜର୍ସ ଚଳିତ ସିଜନରେ ୩୦୦ ରନ୍ ଆଶାରେ ଲକ୍ଷ୍ୟ ଚ୍ୟୁତ ହୋଇଛି । ରାଜସ୍ଥାନ ରୟାଲ୍ସ ବିପକ୍ଷ ପ୍ରଥମ ମ୍ୟାଚ୍ରେ ୨୮୬ ରନ କରିବା ପରଠୁ ଦଳ ଫର୍ମ ଫେରି ପାଇବାକୁ ସଂଘର୍ଷ କରୁଛି । କ୍ରମାଗତ ୩ଟି ମ୍ୟାଚ୍ରେ ଦଳ ପରାଜିତ ହୋଇଛି । ସମ୍ପୂର୍ଣ୍ଣ ବ୍ୟାଟିଂ ବିଭାଗ ବେପରବାୟ ସଟ୍ ଖେଳିବାରେ ମସଗୁଲ୍ ଅଛନ୍ତି । ତେଣୁ ବିଜୟ ଧାରାକୁ ଫେରିବାକୁ ହେଲେ ପ୍ରଥମେ ବ୍ୟାଟିଂ ବିଭାଗର ସବୁ ତ୍ରୁଟି ସୁଧାରିବାକୁ ହେବ ।
ଟାଇଟନ୍ସ ପ୍ରଥମ ମ୍ୟାଚ୍ରେ ପଞ୍ଜାବ କିଙ୍ଗ୍ସ ଠାରୁ ପରାଜିତ ହେବା ପରେ ପରବର୍ତ୍ତୀ ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ଚିତ୍ତାକର୍ଷକ ଖେଳ ପ୍ରଦର୍ଶନ କରି ବିଜୟ ହାସଲ କରିଥିଲା । ଦଳର ବ୍ୟାଟିଂ ବିଭାଗ ସେଭଳି ଶକ୍ତିଶାଳୀ ନଥିବା ସତ୍ତେ୍ୱ ଟାଇଟନ୍ସ ସୀମିତ ଶକ୍ତିର ସଦୁପଯୋଗ କରିବାରେ ସଫଳ ହୋଇଛି । ମଧ୍ୟକ୍ରମରେ ସେରଫାନ ରଦରଫୋର୍ଡ, ଶାହରୁଖ ଖାନ, ରାହୁଲ ତେୱାତିଆଙ୍କ ଭଳି ଅନଭିଜ୍ଞ ବ୍ୟାଟର ରହିଛନ୍ତି । କେବଳ ଓପନର ଭାଗରେ ସାଇ ସୁଦର୍ଶନ ଓ ଜୋସ ବଟଲରଙ୍କ ପ୍ରଦର୍ଶନ ବଳରେ ଟାଇଟନ୍ସ ୨ଟି ମ୍ୟାଚ୍ ଜିତିଛି ।
ସନରାଇଜର୍ସ ବ୍ୟାଟର ଓ ଟାଇଟନ୍ସର ପେସ ବାହିନୀ ମଧ୍ୟରେ ଅସଲ ଲଢ଼େଇ ହେବ । ଟ୍ରେଭିସ୍ ହେଡ୍, ଅଭିଷେକ ଶର୍ମା, ଇଶାନ କିଷନ, ହେନରିକ୍ କ୍ଲାସେନଙ୍କ ଭଳି ଦୁର୍ଦ୍ଧର୍ଷ ବ୍ୟାଟରଙ୍କୁ ଅଟକାଇବା ପାଇଁ ଟାଇଟନ୍ସର ପେସ୍ ବାହିନୀ ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା ଓ ଈଶାନ୍ତ ଶର୍ମା ପ୍ରସ୍ତୁତ ରହିଛନ୍ତି । ଅଲ୍ରାଉଣ୍ଡର ଭାବେ ଗ୍ଲେନ ଫିଲିପ୍ସ ଏକାଦଶକୁ ଫେରିବାର ସମ୍ଭାବନା ରହିଛି ।
ସମ୍ଭାବ୍ୟ ଦ୍ବାଦଶ
ସନରାଇଜର୍ସ : ଟ୍ରେଭିସ୍ ହେଡ୍, ଅଭିଷେକ ଶର୍ମା, ଇଶାନ କିଷନ, ନୀତିଶ କୁମାର ରେଡ୍ଡୀ, କାମିଣ୍ଡୁ ମେଣ୍ଡିସ, ହେନରିକ୍ କ୍ଲାସେନ, ଅନିକେତ ବର୍ମା, ପ୍ୟାଟ କମିନ୍ସ (ଅଧିନାୟକ), ହର୍ଷଲ ପଟେଲ, ଜୟଦେବ ଉନାକାତ, ମହମ୍ମଦ ସାମି, ଜୀସନ ଅନସାରୀ ।
ଗୁଜରାଟ ଟାଇଟନ୍ସ : ସାଇ ସୁଦର୍ଶନ, ଶୁଭମନ ଗିଲ (ଅଧିନାୟକ), ଜୋସ ବଟଲର, ସେରଫାନ ରଦରଫୋର୍ଡ, ଶାହରୁଖ ଖାନ, ରାହୁଲ ତେୱାତିଆ, ଗ୍ଲେନ ଫିଲିପ୍ସ/ଅର୍ସଦ ଖାନ, ରସିଦ ଖାନ, ସାଇ କିଶୋର, ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା, ଈଶାନ୍ତ ଶର୍ମା ।