ଚେନ୍ନାଇ: ଆଇପିଏଲ୍ରୁ କେବେ ସନ୍ନ୍ୟାସ ନେବେ ମହେନ୍ଦ୍ର ସିଂ ଧୋନୀ। ଏହାକୁ ନେଇ ପୁଣି ଥରେ କଳ୍ପନା ଜଳ୍ପନା ଆରମ୍ଭ ହୋଇ ଯାଇଛି। ଆଉ ଚେନ୍ନାଇ ସୁପର କିଙ୍ଗ୍ସର ପୂର୍ବତନ ଅଧିନାୟକ ଏମଏସ ଧୋନୀ ଏକ ପୋଡକାଷ୍ଟରେ ନିଜର ସନ୍ନ୍ୟାସକୁ ନେଇ ଚାଲିଥିବା ଗୁଜବକୁ ସଂପୂର୍ଣ୍ଣ ଭାବେ ଖଣ୍ଡନ କରିଛନ୍ତି। ଧୋନୀଙ୍କ ବାପା ପାନ ସିଂ ଓ ମାଆ ଦେବିକା ଦେବୀ ଶନିବାର ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚ୍ରେ ଷ୍ଟାଡିୟମରେ ଉପସ୍ଥିତ ଥିଲେ। ଏହା ଦେଖି ଅନେକଙ୍କୁ ଲାଗିଲା ଯେ, ଚେପକରେ ଧୋନୀଙ୍କ ଏହା ହେଉଛି ଶେଷ ମ୍ୟାଚ୍। ଧୋନୀ ୨୦୦୮ରେ ଆଇପିଏଲ୍ର ପ୍ରଥମ ସିଜିନରୁ ହିଁ ଚେନ୍ନାଇ ସହ ଅଛନ୍ତି। ଦୀର୍ଘ ୧୭ ବର୍ଷ ପରେ ପ୍ରଥମ ଥର ତାଙ୍କ ବାପା ମାଆ ଆଇପିଏଲ୍ ମ୍ୟାଚ୍ ଦେଖିବାକୁ ପହଞ୍ଚିଥିଲେ।
ଏହି ସମୟରେ ଧୋନୀଙ୍କ ପତ୍ନୀ ସାକ୍ଷୀ ଓ ଝିଅ ଜିଭା ମଧ୍ୟ ଉପସ୍ଥିତ ଥିଲେ। କିନ୍ତୁ ଉଭୟ ସର୍ବଦା ଚେନ୍ନାଇରେ ଆଇପିଏଲ୍ ମ୍ୟାଚ୍ ଦେଖିବାକୁ ଆସିଥାନ୍ତି। ରାଜ ଶାମାନୀଙ୍କ ସହ ଏକ ପୋଡକାଷ୍ଟରେ ଧୋନୀ ସନ୍ନ୍ୟାସ ଗୁଜବ ଉପରେ ନିଜର ପକ୍ଷ ରଖିଛନ୍ତି। ଏହି ସମୟରେ ସେ ସଙ୍କେତ ଦେଇଛନ୍ତି ଯେ, ଏହି ସିଜିନରେ ସେ ଅବସର ନେଉ ନାହାନ୍ତି।
ଧୋନୀ ପୋଡକାଷ୍ଟରେ କହିଛନ୍ତି, ଏବେ ତ ଅବସର ନେବିନି, ମୁଁ ଏବେ ବି ଆଇପିଏଲ୍ ଖେଳୁଛି। ମୁଁ ଏହାକୁ ବହୁତ ସରଳ ଭାବେ ରଖିଛି। ମୁଁ ଆଇପିଏଲ୍କୁ ପ୍ରତି ଥର ଗୋଟିଏ ବର୍ଷ ହିସାବରେ ନେଇଥାଏ। ମୁଁ ଏବେ ୪୩ ବର୍ଷ ଏବଂ ଆଇପିଏଲ୍ ୨୦୨୫ ସରିଲା ବେଳକୁ ମୋର ବୟସ ୪୪ ହୋଇଯାଇଥିବ। ଏଥିପାଇଁ ମୋ ପାଖରେ ଏହି ନିର୍ଣ୍ଣୟ ନେବା ପାଇଁ ପାଖାପାଖି ୧୦ ମାସର ସମୟ ରହିଛି। ମୁଁ କେବେ ଅବସର ନେବି ଏହା ମୁଁ ନୁହେଁ ମୋର ଶରୀର ନିଷ୍ପତ୍ତି ନେବ। ଏଥିପାଇଁ ଗୋଟିଏ ବର୍ଷ ବିଷୟରେ ମୁଁ ଚିନ୍ତା କରିଥାଏ।
Also read: ଦଳକୁ ଫେରିଲେ ବୁମରା, ହେଲେ RCB ବିପକ୍ଷ ମ୍ୟାଚ୍ ଖେଳି ପାରିବେ କି ?
ଦିଲ୍ଲୀ ବିପକ୍ଷରେ ମ୍ୟାଚ୍ ହାରିବା ପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଧୋନୀଙ୍କ ସନ୍ନ୍ୟାସକୁ ନେଇ ପ୍ରଶ୍ନ କରାଯାଇଥିଲା। ଏହାର ଉତ୍ତରରେ ଫ୍ଲେମିଂ କହିଛନ୍ତି, କଳ୍ପନା ଜଳ୍ପନା ଉପରେ ବିରାମ ଲଗାଇବା ମୋର କାମ ନୁହେଁ। ଏ ବିଷୟରେ ମୋ ପାଖରେ କୌଣସି ସୂଚନା ନାହିଁ। ମୁଁ ଏବେ ବି ତାଙ୍କ ସହ କାମ କରିବାର ଆନନ୍ଦ ନେଉଛି।
ସୂଚନାଯୋଗ୍ୟ, ଆଇପିଏଲ୍ ୨୦୨୫ରେ ୪୩ ବର୍ଷୀୟ ଧୋନୀଙ୍କ ଭବିଷ୍ୟତକୁ ନେଇ ବହୁତ ଆଲୋଚନା ହୋଇଛି। ରୟାଲ ଚ୍ୟାଲେଞ୍ଜର୍ସ ବିପକ୍ଷରେ ଧୋନୀଙ୍କ ୯ ନମ୍ବର କ୍ରମରେ ବ୍ୟାଟିଂ କରିବା କ୍ରିକେଟ୍ ପ୍ରେମୀଙ୍କୁ ଠିକ୍ ଲାଗି ନାହିଁ। ଚଳିତ ସଂସ୍କରଣରେ ଧୋନୀଙ୍କ ବ୍ୟାଟିଂ ଶୈଳୀ ସଭିଙ୍କୁ ନିରାଶ କରିଛି।