ହାଇଦ୍ରାବାଦ: ଆଇପିଏଲ ୨୦୨୫ ମହାସମର । ହାଇଦ୍ରାବାଦରେ ମ୍ୟାଆଁ ମ୍ୟାଜିକ୍ । ସିରାଜ୍ଙ୍କ ସୁଇଙ୍ଗରେ ଘାଇଲା ସନ୍ ରାଇଜର୍ସ ହାଇଦ୍ରାବାଦ । ଘାତକ ବୋଲିଂରେ ମାଟି କାମୁଡ଼ିଲେ ଏସଆରଏଚ୍ ବ୍ୟାଟର । ୪ ଓଭରରେ ୧୭ ରନ୍ ଦେଇ ୪ ଓ୍ବିକେଟ୍ ଅକ୍ତିଆର କରିଛନ୍ତି ମହମ୍ମଦ ସିରାଜ୍ । ଫଳରେ ପ୍ୟାଟ୍ କମିନ୍ସଙ୍କ ଅରେଞ୍ଜ ଆର୍ମି ମାତ୍ର ୧୫୨ରେ ଆଣ୍ଠେଇ ପଡ଼ିଛି । ଦଳ ନିର୍ଦ୍ଧାରତ କୋଡିଏ ଓଭରରେ ୮ ଓ୍ବିକେଟ୍ ହରାଇ ୧୫୨ ରନ୍ କରିଥିଲା ବେଳେ ଗୁଜରାଟ ଟାଇଟନ୍ସ ସାମ୍ନାରେ ୧୫୩ ରନ୍ର ବିଜୟ ଲକ୍ଷ୍ୟ ରହିଛି ।
ଆଇପିଏଲରେ ରବିବାର ୧୯ତମ ମ୍ୟାଚ୍ ଖେଳାଯାଇଛି । ରାଜୀବ ଗାନ୍ଧି ଇଣ୍ଟରନ୍ୟାସନାଲ ଷ୍ଟାଡିୟମ, ହାଇଦ୍ରାବାଦରେ ମୁହାଁମୁହିଁ ହୋଇଛନ୍ତି, ଗୁଜରାଟ୍ ଟାଇଟାନ୍ସ ଓ ସନ୍ ରାଇଜର୍ସ ହାଇଦ୍ରାବାଦ । ଶୁବମନ ଗିଲଙ୍କ ଗୁଜରାଟ ଟିମ୍ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା । ଫଳରେ ପ୍ରଥମେ ବ୍ୟାଟିଂ କରିଥିଲା ଏସଆରଏଚ୍ । ଅଭିଷେକ୍ ଶର୍ମା ଓ ଟ୍ରାବିସ୍ ହେଡ୍ ଓପନିଂ ପାଇଁ ପଡ଼ିଆକୁ ଓହ୍ଲାଇଥିଲେ । ହେଲେ ମହମ୍ମଦ ସିରାଜ୍ ପ୍ରଥମ ଓଭରରେ ହେଡ୍ଙ୍କୁ ଆଉଟ୍ କରି ହାଇଦ୍ରାବାଦକୁ ପ୍ରାରମ୍ଭିକ ଝଟକା ଦେଇଥିଲେ । ସେହିପରି ପଞ୍ଚମ ଓଭରରେ ସିରାଜଙ୍କ ଶିକାର ହୋଇଥିଲେ ଅଭିଷେକ୍ ଶର୍ମା । ଏହାପରେ ଅଷ୍ଟମ ଓଭରରେ ଇଶାନ କିଷାନ ଆଉଟ୍ ଡଗଆଉଟ୍ ଫେରିଥିଲେ । ଫଳରେ ବ୍ୟାକଫୁଟକୁ ଚାଲି ଯାଇଥିଲା ଏସଆରଏଚ୍ । ନିତିଶ ରେଡ୍ଡି ଓ କ୍ଲାସେନ ଦଳକୁ ମୁସ୍କିଲ୍ ପରିସ୍ଥିତିରୁ ଉଦ୍ଧାର କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ । ଏହାପରେ ଗୋଟିଏ ପରେ ଗୋଟିଏ ବ୍ୟାଟର ଗୁଜରାଟ୍ ବୋଲରଙ୍କ ଶିକାର ହୋଇଥିଲେ । ଫଳରେ କୋଡ଼ିଏ ଓଭରରେ ଘରୋଇ ଦଳ ମାତ୍ର ୧୫୨ ରନ୍ କରିବାରେ ସକ୍ଷମ ହୋଇଛି । ଗୁଜରାଟ୍ ଟାଇଟନ୍ସ ସାମ୍ନାରେ ୧୫୩ ରନ୍ରେ ଟାର୍ଗେଟ୍ ରହିଛି ।
ଟାଇଟନ୍ସ ପକ୍ଷରୁ ମହମ୍ମଦ ସିରାଜ୍ ସର୍ବାଧିକ ୪ଟି ଓ୍ବିକେଟ୍ ନେଇଛନ୍ତି । ପ୍ରସିଦ୍ କ୍ରୀଷ୍ଣା ଓ ସାଇ କିଶୋର ଦୁଇଟି ଲେଖାଏଁ ଓ୍ବକେଟ୍ ନେଇଛନ୍ତି । ହାଇଦ୍ରାବାଦ ପକ୍ଷରୁ ନିତିଶ ରେଡ୍ଡି ସର୍ବାଧିକ ୩୧ ରନ୍ କରିଥିବା ବେଳେ ହେନରିକ୍ କ୍ଲାସେନ ୨୭ ରନ୍ କରିଛନ୍ତି ।