ଭୁବନେଶ୍ୱର: ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ବଜେଟ୍ ଉପସ୍ଥାପନ କରିଛନ୍ତି । ରାଜ୍ୟରେ ବିଜେପି ସରକାର ଆସିବା ପରେ ଏହା ହେଉଛି ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ । ଚଳିତ ଥର ରାଜ୍ୟ ବଜେଟର ଆକାର ୨ ଲକ୍ଷ ୯୦ ହଜାର କୋଟି ଟଙ୍କା ରହିଛି ।
ମୁଖ୍ୟମନ୍ତ୍ରୀ ମାଝୀ ବଜେଟ୍ ଉପସ୍ଥାପନ କରି କହିଛନ୍ତି, 'ଆମ ସରକାର ସମୃଦ୍ଧ ଓଡ଼ିଶା ୨୦୩୬ର ଯାତ୍ରା ଆରମ୍ଭ କରିଛନ୍ତି । ଯେଉଁ ସମୟରେ ଆମେ ୫୦୦ ବିଲିୟନ ଆମେରିକୀୟ ଡଲାରର ଅର୍ଥନୀତି ହେବା ନେଇ ଆଶା ରଖିଛୁ । ବିକଶିତ ଓଡ଼ିଶା ପାଇଁ ଆମର ଦୃଷ୍ଟିକୋଣ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପୂର୍ବୋଦୟ ରଣନୀତି ଉପରେ ଆଧାରିତ । ଆମେ ଓଡ଼ିଶାକୁ ବିକଶିତ ଭାରତ ୨୦୪୭ ଅଭିବୃଦ୍ଧି ପାଇଁ ଏକ ଇଞ୍ଜିନ ଭାବେ ପରିକଳ୍ପନା କରିଛୁ । ଆମେ ୨୦୪୭ ସୁଦ୍ଧା ୧.୫ ଟ୍ରିଲିୟନ ଅର୍ଥନୀତି ହେବାକୁ ଆଶା ରଖିଛୁ । ସରକାର ଏହି ଦୃଷ୍ଟିକୋଣକୁ ବାସ୍ତବରେ ପରିଣତ କରିବା ପାଇଁ ଏକ ସମାଗ୍ରିକ ରଣନୀତି ପ୍ରସ୍ତୁତ କରିଛନ୍ତି ।'
ମୁଖ୍ୟମନ୍ତ୍ରୀ କହିଛନ୍ତି, 'ଓଡ଼ିଶାର ବିକାଶ ସହ ସହରୀକରଣ ଯୋଜନା କରିବୁ, ଯାହା ଅଭିବୃଦ୍ଧିର ଇଞ୍ଜିନ ଭାବେ କାମ କରିବ । କୃଷି ଆୟ ବୃଦ୍ଧି ପାଇଁ ସର୍ବାଧିକ ଚାଷ ଜମିରେ ଜଳସେଚନ ପାଇଁ ଗୁରୁତ୍ୱ ଦିଆଯିବ । ଭାରତ ସରକାରଙ୍କ ସହାୟତାରେ ରାଜ୍ୟରେ ସଡ଼କ, ବିମାନ ବନ୍ଦର, ରେଳପଥର ବିଶ୍ୱସ୍ତରୀୟ ଭିତ୍ତିଭୂମି ନିର୍ମାଣ କରାଯିବ । ସୁଦୀର୍ଘ ଉପକୂଳ ପାଇଁ ଏକ ସୁଯୋଗ । ଏହି ସୁଯୋଗର ଉପଯୋଗ ଦ୍ୱାରା ଏକ ସ୍ୱତନ୍ତ୍ର ଅର୍ଥନୈତିକ ଜୋନ୍ ପ୍ରତିଷ୍ଠା କରି ଆମେ ବନ୍ଦର ଭିତ୍ତିକ ବିକାଶ ଉପରେ ଗୁରୁତ୍ୱ ଦେବୁ । ୧୬ ଲକ୍ଷ ୭୩ ହଜାର କୋଟିର ପୁଞ୍ଜି ଆସିବା ଲକ୍ଷ୍ୟ ରହିଛି ।'