ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ବୁଧବାର ଲୋକସେବା ଭବନରେ ବସିଥିବା କ୍ୟାବିନେଟ୍ ବୈଠକରେ ୧୦ ପ୍ରସ୍ତାବକୁ ଅନୁମୋଦନ ମିଳିଛି । ସେମିକଣ୍ଡକ୍ଟର ଉତ୍ପାଦନ କାରଖାନା ପ୍ରତିଷ୍ଠା ନିମନ୍ତେ RIR ପାୱାର ଇଲେକ୍ଟ୍ରୋନିକ୍ସ ଲିମିଟେଡ୍ ପାଇଁ ସ୍ୱତନ୍ତ୍ର ପ୍ରୋତ୍ସାହନ ପ୍ୟାକେଜକୁ ଅନୁମୋଦନ ମିଳିଛି । ସେହିପରି ବିକଶିତ ଗାଁ, ବିକଶିତ ଓଡ଼ିଶା ପ୍ରସ୍ତାବକୁ ୫ ବର୍ଷ ଯାଏ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନିଆଯାଇଛି ।
ରାଜ୍ୟ କ୍ୟାବିନେଟ୍ରେ ବିକଶିତ ଗାଁ, ବିକଶିତ ଓଡ଼ିଶା ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ସାମ୍ୱାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଗାଁର ବିକାଶ ହେଲେ ଦେଶର ବିକାଶ ହୋଇପାରିବ । ଏଥିପାଇଁ ନୂଆ ସରକାରର ପ୍ରଥମ ବଜେଟ୍ରେ ୧ ହଜାର କୋଟି ଟଙ୍କା ବ୍ୟୟବରାଦ ହୋଇଥିଲା । ଏହି ଯୋଜନା ୫ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ ଏବଂ ଏହାର ଅବଧି ସରକାରଙ୍କ ଦ୍ୱାରା ବୃଦ୍ଧି କରାଯାଇପାରେ । ଏହି ଯୋଜନା ପାଇଁ ୫ ହଜାର କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
ରାଜ୍ୟ କ୍ୟାବିନେଟର ଇଲେକ୍ଟ୍ରୋନିକ୍ସ ଓ ସୁଚନା ପ୍ରଯୁକ୍ତି ବିଦ୍ୟା ବିଭାଗର ଗୋଟିଏ ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଓଡ଼ିଶାରେ ସିଲିକନ୍ କାର୍ବାଇଡ୍ ସେମିକଣ୍ଡକ୍ଟର ଉତ୍ପାଦନ କାରଖାନା ପ୍ରତିଷ୍ଠା ନିମନ୍ତେ RIR ପାୱାର ଇଲେକ୍ଟ୍ରୋନିକ୍ସ ଲିମିଟେଡ୍ ପାଇଁ ସ୍ୱତନ୍ତ୍ର ପ୍ରୋତ୍ସାହନ ପ୍ୟାକେଜକୁ ଅନୁମୋଦନ ମିଳିଛି । ଏଥିରେ ମୋଟ ୬୧୮ କୋଟି ଟଙ୍କାର ନିବେଶ କରାଯିବ ଏବଂ ପ୍ରକଳ୍ପକୁ ଦୁଇଟି ପର୍ଯ୍ୟାୟରେ କାର୍ଯ୍ୟକାରୀ କରାଯିବ । ଏହା ଭାରତର ପ୍ରଥମ କମ୍ପାଉଣ୍ଡ ସେମିକଣ୍ଡକ୍ଟର ଫ୍ୟାବ ହେବ । ଏହି ପ୍ରକଳ୍ପ ଦ୍ୱାରା ଓଡ଼ିଶାର ଔଦ୍ୟୋଗିକ ଅଭିବୃଦ୍ଧି, ସ୍ଥାନୀୟ ଯୋଗାଣ ଶୃଙ୍ଖଳାର ବିକାଶ ଏବଂ ଦକ୍ଷତା ସୁଯୋଗକୁ ତ୍ୱନାନ୍ୱିତ କରି ଭାରକର ସେମିକଣ୍ଡକ୍ଟର ଇକୋସିଷ୍ଟମରେ ଓଡ଼ିଶାକୁ ଏକ ଅଗ୍ରଣୀ ସ୍ଥାନରେ ପହଞ୍ଚାଇବା ପାଇଁ ପ୍ରସ୍ତୁତି ବୋଲି କୁହାଯାଇଛି । ଏହାଦ୍ୱାରା ୭୫୦ ନୂଆ ନିଯୁକ୍ତି ସୃଷ୍ଟି ହେବ ।