ବିନିକା ୨୦।୬: ମହାନଦୀ ଜଳ ବିବାଦ ସମସ୍ୟା ଦୀର୍ଘ ବର୍ଷ ହେଲା ଲାଗି ରହିଥିଲେ ମଧ୍ୟ ତାର ସମାଧାନ ହୋଇପାରୁନି । ସମସ୍ୟାର ସମାଧାନ ସହ ସୁରକ୍ଷା ଦିଗରେ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ ବୋଲି ମହାନଦୀ ବଞ୍ଚାଅ ଆନ୍ଦୋଳନ ଆବାହକ କହିଛନ୍ତି । ଓଡ଼ିଶାରେ ଥିବା ବଡ଼ ନନ୍ଦୀ ମହାନଦୀ ସହ ବିଭିନ୍ନ ଶାଖା ନଦୀ, ଛୋଟ ଛୋଟ ନଦୀରକୁ କିପରି ସୁରକ୍ଷା ଦେବା ସେଥିପ୍ରତି ଅଞ୍ଚଳର ସଚେତନ ନାଗରିକଙ୍କୁ ଆହ୍ବାନ ଦେଇଥିଲେ ।
ସୁବର୍ଣ୍ଣପୁର ଜିଲ୍ଲା ବିନିକା ସ୍ଥିତ ଚନ୍ଦ୍ରମା ସଭାଗୃହ ଠାରେ ବିଶିଷ୍ଟ ସମାଜସେବୀ ଗୌରୀଶ୍ୟାମ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆଲୋଚନାଚକ୍ର ଓ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନାଚକ୍ରରେ ମୁଖ୍ୟ ଅତିଥି ସୁଦର୍ଶନ ଦାସ କହିଥିଲେ, ଆମ ଜୀବନରେଖା ମହାନଦୀ ଆଜି ଗଭୀର ସଙ୍କଟରେ ଗତି କରୁଛି । ଦିନକୁ ଦିନ ନଦୀର ପ୍ରବାହ ଯେମିତି କମିଯାଉଛି ସେଭଳି ମାତ୍ରାରେ ଏହାର ଜଳ ପ୍ରଦୂଷିତ ହେବାରେ ଲାଗିଛି । ଛତିଶଗଡ ମହାନଦୀର ଉପର ମୁଣ୍ଡରେ ମହାନଦୀ ଜଳକୁ ଅଟକାଇ ଦେଇଥିବାରୁ ଏହାର ଜଳ କ୍ଷମତା କମି କମି ଯାଉଥିବାରୁ ଆଗାମୀ ଦିନରେ ଆମ ରାଜ୍ୟବାସୀଙ୍କ ପାଇଁ ଜଳ ସଙ୍କଟ ସମସ୍ୟା ସୃଷ୍ଟି କରିବ, ଏଥିରେ ସନ୍ଦେହ ନାହିଁ । ଓଡ଼ିଶା ଓ ଛତିଶଗଡ ମଧ୍ୟରେ ଚାଲିଥିବା ମହାନଦୀ ଜଳ ବିବାଦର ସମାଧାନ ନିକଟ ଭବିଷ୍ୟତରେ ହେବାର ସମ୍ଭାବନା ନାହିଁ । ତେଣୁ ବର୍ତ୍ତମାନ ଟ୍ରିପଲ୍ ଇଞ୍ଜିନ ସରକାର (ଓଡ଼ିଶା, ଛତିଶଗଡ ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ର ସରକାର) ତୁରନ୍ତ ଏ ଦିଗରେ ପଦକ୍ଷେପ ନେଇ ସମାଧାନ କରିବାକୁ ଅନୁଷ୍ଠିତ ଆଲୋଚନାଚକ୍ରରେ ଦାବି କରାଯାଇଛି ।
ସେହିପରି କଳ କାରଖାନା ଗୁଡ଼ିକର ଦୂଷିତ ଜଳ ଓ ବର୍ଜ୍ୟବସ୍ତୁ ମହାନଦୀ ପାଣିରେ ମିଶି ଅଧିକ ମାତ୍ରାରେ ପ୍ରଦୂଷିତ ହେଉଛି । ଫଳରେ ଲୋକେ ସ୍ନାନ କରିବା ସମ୍ଭବ ହେଉନାହିଁ, ଦୂଷିତ ଜଳ ଯୋଗୁଁ ଅନେକ ଜଳଚର ଜୀବ ମୃତ୍ୟୁ ମୁଖରେ ପଡ଼ୁଛନ୍ତି, ପାଣି ମଧ୍ୟ ବ୍ୟବହାର ଉପଯୋଗୀ ହେଉନାହିଁ । ତେଣୁ ଯେଉଁମାନେ ମହାନଦୀକୁ କଳକାରଖାନାରୁ ନିର୍ଗତ ଦୂଷିତ ଜଳ ଛାଡୁଛନ୍ତି ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ ବୋଲି କହିଥିଲେ l ପରେ ଦଳମତ ନିର୍ବିଶେଷରେ ଉପସ୍ଥିତ ଥିବା ସମସ୍ତ ସଚେତନ ନାଗରିକଙ୍କ ନିଷ୍ପତି କ୍ରମେ ମହାନଦୀ ବଞ୍ଚାଅ ସୁବର୍ଣ୍ଣପୁର ଶାଖା ଗଠିତ ହୋଇଥିଲା । ଆସନ୍ତା ଜୁଲାଇ ମାସରେ ମୁକ୍ତିତୀର୍ଥ ପାପକ୍ଷୟ ଠାରେ ମହାନଦୀ ବଞ୍ଚାଅ ସମ୍ମିଳନୀ କରାଯିବ ବୋଲି ଆବାହକ ସୁଦର୍ଶନ ଦାସ ଘୋଷଣା କରିଛନ୍ତି ।
You Can Read:
ଆଇଏଏସ୍ ବିଷ୍ନୁପଦ ସେଠୀଙ୍କ ପାଇଁ ବଢିଲା ଅଡୁଆ, ସିବିଆଇ ରେଡ୍ ବିରୋଧରେ ଆବେଦନ ଖାରଜ