ନୂଆଦିଲ୍ଲୀ ୦୯।୦୪: ବଲିଉଡରେ ଅଭିନୟ କରିବା ଅନେକଙ୍କର ସ୍ୱପ୍ନ। କିଛି ଲୋକଙ୍କୁ ସହଜରେ ବଡ଼ ବ୍ରେକ୍ ମିଳିଯାଏ ତ ଅନେକଙ୍କ ପାଇଁ ଇଣ୍ଡଷ୍ଟ୍ରି ପାଲଟିଯାଏ ବଡ ଚ୍ୟାଲେଞ୍ଜ । ଏମିତିକି ଗୋଟିଏ ଭୁଲ ନିଷ୍ପତ୍ତି ନଷ୍ଟ କରିଦିଏ କ୍ୟାରିଅର । ବଲିଉଡରେ ଏପରି ଅନେକ କଳାକାର ଅଛନ୍ତି ଯିଏକି ଉଚ୍ଚଶିକ୍ଷିତ । କିନ୍ତୁ ଅଭିନୟ ନିଶା ତାଙ୍କୁ କରିଥିଲା ପାଗଳ । ସେମାନେ ପାଠ ଛାଡି ହୋଇଛନ୍ତି ଅଭିନେତା କିମ୍ବା ଅଭିନେତ୍ରୀ । ଏପରି ଜଣେ ଅଭିନେତ୍ରୀ ହେଉଛନ୍ତି ମୋନିକା ବେଦୀ । ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟର ଛାତ୍ରୀ, କିନ୍ତୁ ଅଭିନୟରେ ଥିଲା ଇଚ୍ଛା । ଅଭିନେତ୍ରୀ ହେବାର ସ୍ବପ୍ନ ତାଙ୍କୁ ବଲିଉଡ୍କୁ ଟାଣି ଆଣିଥିଲା ।
ଏଥିରେ ସେ ସଫଳତା ପାଇଥିଲେ ସତ କିନ୍ତୁ ବିବାଦ ତାଙ୍କୁ ପଛକୁ ଟାଣି ନେଇଥିଲା । ଆଉ ଜେଲ୍ର କାଳ କୋଠରୀ ତାଙ୍କ ପାଇଁ ହୋଇଥିଲା ଶେଷ ରାସ୍ତା । ସେ ୫ ବର୍ଷ ଯାଏଁ ଜେଲ୍ରେ ରହିବାକୁ ପଡିଥିଲା । ମୋନିକା ୧୮ ଜାନୁଆରୀ ୧୯୭୫ରେ ପଞ୍ଜାବର ହୋସିଆରପୁରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ଜଣେ ଡାକ୍ତର ଥିଲେ ଏବଂ ତାଙ୍କ ମାଆ ଜଣେ ଗୃହିଣୀ । ୧୯୭୯ରେ ତାଙ୍କ ପରିବାର ନରୱେ ଚାଲି ଯାଇଥିଲେ । ସେଠାରେ ସେ ସ୍କୁଲ ଶିକ୍ଷା ଶେଷ କରି ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରେ ଇଲିସ୍ ଲିଟରେଚରରେ ପାଠ ପଢିଥିଲେ ।
ମୋନିକାଙ୍କର ଅଭିନୟରେ ବିଶେଷ ଆଗ୍ରହ ନଥିଲା । କିନ୍ତୁ ସେ ନାଚିବାକୁ କରୁଥିଲେ ଅଧିକ ପସନ୍ଦ । ସେ ଶାସ୍ତ୍ରୀୟ ନୃତ୍ୟ ତାଲିମ ନେବା ପାଇଁ ମୁମ୍ବାଇ ଆସିଥିଲେ ଏବଂ ପ୍ରସିଦ୍ଧ ନୃତ୍ୟ ଶିକ୍ଷକ ଗୋପୀ ଗୁରୁଙ୍କଠାରୁ ଶିଖିବା ଆରମ୍ଭ କରିଥିଲେ । ତାଙ୍କର ଏକ ସେସନ୍ ସମୟରେ ବରିଷ୍ଠ ଅଭିନେତା ଏବଂ ଚଳଚ୍ଚିତ୍ର ନିର୍ମାତା ମନୋଜ କୁମାର ତାଙ୍କର ପ୍ରତିଭାକୁ ଦେଖିଥିଲେ । ସେ ତାଙ୍କ ନୃତ୍ୟରେ ପ୍ରଭାବିତ ହୋଇଥିଲେ ଆଉ ଫିଲ୍ମ କୀର୍ତ୍ତିମାନରେ ତାଙ୍କ ପୁଅ କୁନାଲ ଗୋସ୍ୱାମୀଙ୍କ ବିପକ୍ଷରେ ଅଭିନୟ କରିବାକୁ ଦେଇଥିଲେ ପ୍ରସ୍ତାବ । କିନ୍ତୁ ମୋନିକାଙ୍କ ଏହି ଫିଲ୍ମ ହୋଇପାରିନଥିଲା ।
ଏହାର ଅଳ୍ପ ସମୟ ପରେ ମୋନିକାଙ୍କୁ ଡି. ରାମା ନାଇଡୁଙ୍କ ଦ୍ୱାରା ନିର୍ମିତ ତେଲୁଗୁ ଫିଲ୍ମ ତାଜମହଲରେ ପାଇଥିଲେ ପ୍ରଥମ ବ୍ରେକ୍ । ମୋନିକାଙ୍କ ପ୍ରଥମ ଫିଲ୍ମ ହିଟ୍ ପ୍ରମାଣିତ ହୋଇଥିଲା । ଯେଉଁକାରଣରୁ ତାଙ୍କୁ ମିଳିବାକୁ ଲାଗିଲା ଅନେକ ଫିଲ୍ମ । ତାଙ୍କ ଲୋକପ୍ରିୟତା ବଲିଉଡରେ ପହଞ୍ଚିଥିଲା । ସେ ସୈଫ୍ ଅଲ୍ଲୀ ଖାନଙ୍କ ବିପକ୍ଷରେ ସୁରକ୍ଷା ଫିଲ୍ମରେ ବଲିଉଡ୍ରେ କରିଥିଲେ ଡେବ୍ୟୁ । କିନ୍ତୁ ଦୁର୍ଭାଗ୍ୟବଶତଃ ତାଙ୍କର ସବୁ ବଲିଉଡ୍ ଫିଲ୍ମ ହୋଇଥିଲା ଫ୍ଲପ୍ । ଯାହା ତାଙ୍କ କ୍ୟାରିୟରକୁ କ୍ଷତି ପହଞ୍ଚାଇଥିଲା ।
ଏହାପରେ ମୋନିକା ଅଣ୍ଡରୱାର୍ଲ୍ଡ ଅବୁ ସାଲେମଙ୍କୁ ଭେଟିଥିଲେ । ସେମାନଙ୍କର ବନ୍ଧୁତା ଖୁବ୍ ଶୀଘ୍ର ଏକ ପ୍ରେମ ସମ୍ପର୍କରେ ପରିଣତ ହେଲା। ମୋନିକା ଆବୁ ସାଲେମଙ୍କ ସହ ରହିବା ପାଇଁ ଫିଲ୍ମ ଇଣ୍ଡଷ୍ଟ୍ରିକୁ କହିଥିଲେ ଗୁଡବାଏ । ୨୦୦୨ରେ ଦୁହେଁ ପର୍ତ୍ତୁଗାଲ ଚାଲିଯାଇଥିଲେ । କିନ୍ତୁ ଦେଶରେ ଏଣ୍ଟ୍ରି ପାଇଁ ସେ ନକଲି କାଗଜପତ୍ର ବ୍ୟବହାର କରିଥିବାରୁ ସେମାନେ ଗିରଫ ହୋଇଥିଲେ । ଭାରତ ପଠାଯିବା ପୂର୍ବରୁ ସେ ପ୍ରାୟ ଅଢ଼େଇ ବର୍ଷ ପର୍ତ୍ତୁଗୀଜ୍ ଜେଲରେ ରହିଥିଲେ ।
ରିପୋର୍ଟ ଅନୁଯାୟୀ, ମୋନିକାଙ୍କୁ ସିବିଆଇ କୋର୍ଟ 5 ବର୍ଷ ଜେଲ ଦଣ୍ଡ ଦେଇଥିଲେ । ଯାହାକୁ ପରେ ଆନ୍ଧ୍ର ପ୍ରଦେଶ ହାଇକୋର୍ଟ ୩ ବର୍ଷକୁ ହ୍ରାସ କରିଥିଲେ । ୨୦୦୭ ସୁଦ୍ଧା ମୋନିକା ତାଙ୍କର ଜେଲ୍ ଦଣ୍ଡ ଶେଷ କରିଥିଲେ । ଏହାପରେ ମୋନିକା ବେଦୀ ବିଗ୍ ବସ୍ ୨ ଏବଂ ଝଲକ୍ ଦିଖଲା ଜା ଭଳି ରିଆଲିଟି ଶୋ’ରେ ଆସି ୟୁଟର୍ଣ୍ଣ କରିବାକୁ ଚେଷ୍ଟା କରିଥିଲେ। ସେ ସରସ୍ୱତୀଚନ୍ଦ୍ର ଏବଂ ବନ୍ଧନ ଭଳି ଟିଭି ଧାରାବାହିକରେ ମଧ୍ୟ କାମ କରିସାରିଛନ୍ତି ।