ସୁନ୍ଦରଗଡ଼ ୨୪।୧୧ : ହିତାଧିକାରୀଙ୍କ ପାଇଁ ଖୁସିର ଖବର । ଲିଷ୍ଟରୁ ବାଦ୍ ପଡିଥିବା ହିତାଧିକାରୀଙ୍କ ଆକାଉଣ୍ଟ ଆସିଲା ଟଙ୍କା । ସୁନ୍ଦରଗଡ଼ରୁ ଟଙ୍କା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ୨୦ ଲକ୍ଷ ମହିଳାଙ୍କ ଖାତାକୁ କ୍ରେଡିଟ୍ ହୋଇଛି ସୁଭଦ୍ରା ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା । ଏହାବ୍ୟତୀତ ବାକି ଥିବା ହିତାଧିକାରୀଙ୍କୁ ଡିସେମ୍ବରରେ ମିଳିବ । ମୋଟ ୮୦ ଲକ୍ଷ ଛୁଇଁଲା ହିତାଧିକାରୀଙ୍କ ସଂଖ୍ୟା ।
ତେବେ ଜମି ସମସ୍ୟା ଯୋଗୁଁ ଅନ୍ୟ କିଛି ହିତାଧିକାରୀ ତାଲିକାରୁ ବାଦ୍ ପଡ଼ିଛନ୍ତି। ସେମାନଙ୍କ ନାମରେ ଜମି ନାହିଁ, ହେଲେ ସେମାନେ ଧାନ ବିକ୍ରି କରିଛନ୍ତି। ବିବାଦରେ ସରଜମିନ ଯାଞ୍ଚ୍ କରାଯିବ । ସେହିପରି ଆଉ ୫ ଲକ୍ଷଙ୍କର କିଛି ଅସୁବିଧା ଥିଲା, ତାହା ସମାଧାନ ହୋଇନାହିଁ। ସେମାନଙ୍କର ଆକାଉଣ୍ଟ ସହ ଆଧାର ଲିଙ୍କରେ ସମସ୍ୟା ଅଛି। ଆଧାର, ଆକାଉଣ୍ଟ ସହ ପୁଣି ମୋବାଇଲ ନମ୍ୱର ସଂଯୋଗରେ ଅସୁବିଧା ରହିଛି। ଏହି ସବୁ ସଂଶୋଧନ ହେବା ପରେ ସେମାନେ ସାମିଲ ହୋଇପାରିବେ। ଡିସେମ୍ୱରରେ ସେମାନେ ସୁଭଦ୍ରା ଟଙ୍କା ପାଇବେ। ସୁଭଦ୍ରା ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲାଗି ସରକାରୀ ଅଧିକାରୀ ଘରକୁ ଘର ଯିବେ। ଅଙ୍ଗନବାଡି କର୍ମଚାରୀ, ମିଶନ ଶକ୍ତି ମା', ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀମାନେ ଗାଁକୁ ଯିବେ। ବାଦ ପଡ଼ିଥିବା ହିତାଧିକାରୀଙ୍କୁ ସାମିଲ କରିବା ପର୍ଯ୍ୟନ୍ତ ପ୍ରକ୍ରିୟା ଜାରି ରହିବ। ଶେଷ ହିତାଧିକାରୀଙ୍କୁ ଯୋଡ଼ିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ରହିଛି।
ସୂଚନାଯୋଗ୍ୟ ଯେ, ଗତ ସେପ୍ଟେମ୍ୱର ୧୭ ଓ ଅକ୍ଟୋବର ୯ରେ ଦୁଇଟି ପର୍ଯ୍ୟାୟରେ ୬୦ ଲକ୍ଷ ମହିଳାଙ୍କୁ ସୁଭଦ୍ରା ଟଙ୍କା ପ୍ରଦାନ କରାଯାଇଛି। ଆଜି ଆଉ ୨୦ ଲକ୍ଷଙ୍କ ଖାତାକୁ ଟଙ୍କା ଆସିଛି। ଡିସେମ୍ଵର ସୁଦ୍ଧା ହିତାଧିକାରୀଙ୍କ ସଂଖ୍ୟା କୋଟିଏ ଟପିବ। ଏହି ଯୋଜନାରେ ଅଧିକରୁ ଅଧିକ ମହିଳାଙ୍କୁ ସାମିଲ କରିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର।