ନୂଆଦିଲ୍ଲୀ ୨୫/୧୨: ମୁଣ୍ଡରେ ସାଣ୍ଟା ଟୋପି । ହାତରେ ଖ୍ରୀଷ୍ଟମାସ ଟ୍ରି । ମହାକାଶରେ ନିଆରା ଅନ୍ଦାଜରେ ଖ୍ରୀଷ୍ଟମାସ ସେଲିବ୍ରେସନ କରିଛନ୍ତି ଅନ୍ତରାଷ୍ଟ୍ରୀୟ ଅନ୍ତରୀକ୍ଷ ଷ୍ଟେସନରେ ଫସିଥିବା ସୁନୀତା ୱିଲିୟମ୍ସ ଓ ବୁଚ୍ ବିଲମୋର । ସାଣ୍ଟା ବେଶରେ ୨ ମହାକାଶଚାରୀଙ୍କ ଫଟୋ ସାମ୍ନାକୁ ଆସିଛି । ଫଟୋରେ ଉଭୟେ ବେଶ ଖୁସି ଥିବାବେଳ ପୁରା ପାର୍ଟି ମୁଡରେ ଥିବା ନଜର ଆସିଛନ୍ତି । ମହାକାଶରୁ ଆସିଥିବା ଏ ଫଟୋକୁ ନେଇ ମିଶ୍ର ପ୍ରତିକ୍ରିୟା ଆସିଛି । ଅନେକ ୟୁଜର୍ସ ସୁନୀତା ୱିଲିୟମ୍ସଙ୍କ ମହାକାଶରେ ଖ୍ରୀଷ୍ଟମାସ ପାଳନକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।
ସୁନୀତା ଓ ବୁଚ୍ ମାତ୍ର ୮ ଦିନ ପାଇଁ ମହାକାଶକୁ ଯାଇଥିଲେ । ତେବେ ଯାନ୍ତ୍ରିକ ତ୍ରୁଟି ଓ ଅନ୍ୟାନ୍ୟ ଅସୁବିଧା ଯୋଗୁ ଉଭୟ ମହାକାଶରୁ ଆସିପାରିନାହାନ୍ତି । ୨୦୨୫ରେ ମଧ୍ୟ ତାଙ୍କ ଫେରିବା କାର୍ଯ୍ୟକ୍ରାମ କ୍ୟାନସଲ ହୋଇଯାଇଛି । ଏମିତି ସ୍ଥିତିରେ ଉଭୟ ସେଠାରେ କେମିତି ଖ୍ରୀଷ୍ଟମାସ ସେଲିବ୍ରେସନ କରୁଛନ୍ତି ବୋଲି ପ୍ରଶ୍ନ ଉଠିଛି । ଜଣେ ୟୁଜର ପଚାରିଛନ୍ତି ସେମାନେ କଣ ମହାକାଶରେ ଖ୍ରୀଷ୍ଟମାସ ସେଲିବ୍ରେସନ କରିବାକୁ ଯାଇଥିଲେ କି ? ଆଉ ଜଣେ ୟୁଜର୍ସ ପଚାରିଛନ୍ତି ସୁନୀତା ୱିଲିୟମ୍ସ କଣ ସାଣ୍ଟା ଟୋପି ଓ ଖ୍ରୀଷ୍ଟମାସ ଟ୍ରି ସାଙ୍ଗରେ ନେଇ ଯାଇଥିଲେ ନା ମହାକାଶରେ ଏହାକୁ ତିଆରି କରିଛନ୍ତି ।
ସେପଟେ ସମସ୍ତ ଅଭିଯୋଗକୁ ଖଣ୍ଡନ କରିବା ସଫେଇ ଦେଇ ନାସା କହିଛି ନଭେମ୍ବର ଶେଷ ଆଡକୁ ସ୍ପେସଏକ୍ସ ଜରିଆରେ ମହାକାଶକୁ କିଛି ସାମଗ୍ରୀ ପଠାଯାଇଥିଲା । ଏଥିରେ ଖ୍ରୀଷ୍ଟମାସ ପାଇଁ ସାଜସଜ୍ଜା ସାମଗ୍ରୀ ସହ କିଛି ବିଶେଷ ଉପହାର ଓ ସ୍ବାଦିଷ୍ଟ ଖାଦ୍ୟ ପଠାଯାଇଥିଲା । ପ୍ରତିବର୍ଷ ISSକୁ ତାଜା ରାସନ ଓ ଆବଶ୍ୟକୀୟ ସାମଗ୍ରୀ ପଠାଯାଇଥାଏ । ଏଥିସହ ପର୍ବପର୍ବାଣୀ ପାଇଁ ବିଶେଷ ଜିନିଷ ପଠାଯାଏ ବୋଲି ନାସା କହିଛି ।
ତଥ୍ୟ କହୁଛି ସୁନୀତା ୱିଲିୟମ୍ସ ଓ ବୁଚ୍ ୱିଲମୋର ଆସନ୍ତାବର୍ଷ ଫେବ୍ରୁଆରୀରେ ପୃଥିବୀକୁ ଫେରିବାର ଥିଲା । କିନ୍ତୁ କିଛି କାରଣ ପାଇଁ ଏହାକୁ ବାତିଲ କରାଯାଇଛି । ଏବେ ଆସନ୍ତା ବର୍ଷ ମାର୍ଚ୍ଚ ଶେଷ ସୁଦ୍ଧା ସ୍ପେସ ଏକ୍ସର କ୍ରୁ ଡ୍ରାଗନ କ୍ୟାପସୁଲ ଜରିଆରେ ଫେରିବା ବୋଲି ଆଶା କରାଯାଉଛି ।