ନୂଆଦିଲ୍ଲୀ 20/03 : ମହାକାଶର ପରୀ ଏବେ ପୃଥିବୀର ରାଣୀ। ସ୍ୱାଗତ ଓ ଖୁସିରେ ସବୁଠି ତାଙ୍କରି ନାଁ। ଆଉ ସେ ନାଁଟି ସୁନୀତା ୱିଲିୟମ୍ସ । ୯ ମାସ ମହାକାଶରେ ବିତାଇବା ପରେ ତାଙ୍କ ଫେରିବା ପର୍ଯ୍ୟନ୍ତ ସବୁକିଛି, ବିଶ୍ୱାସ ବାହାରେ ଥିଲା। ଏବେ କିନ୍ତୁ ବାସ୍ତବ। ସବୁଠୁ ବଡ଼ ସତ ହେଲା ସୁନୀତା ନିଜେ ବିସ୍ମୟ। ଥରେ ନୁହେଁ ତିନି ତିନି ଥର ସଫଳ ମହାକାଶ ଯାତ୍ରା , ଅବସ୍ଥାନ ଓ ପତ୍ୟାବର୍ତ୍ତନ ସବୁ କିଛି ରେକର୍ଡ । ସରଳରେ ସୁନୀତାଙ୍କୁ ମହାକାଶର ପରୀରୁ ରେକର୍ଡ ରାଣୀ ବି କୁହାଯାଇପାରେ। ଦୀର୍ଘ ସମୟ ଧରି ସ୍ପେସ୍ ୱାକ୍ , ମହାକାଶରେ ମାରାଥନ୍ ଆଦିରେ ଦୁନିଆର ପ୍ରଥମ ମହାକାଶଚାରୀ ସୁନୀତା। କିନ୍ତୁ ଏତେ ସଫଳତାର ଅଧିକାରୀ ସୁନୀତା ଙ୍କ ବିଷୟରେ ଅନେକ ଅକୁହା ଓ ଆଶ୍ଚର୍ଯ୍ୟ କଥା । ଭାରତୀୟ ବଂଶୋଦ୍ଭବ ଆମେରିକୀୟ ଆଷ୍ଟ୍ରୋନଣ୍ଟ୍ ସୁନୀତା କିନ୍ତୁ ସ୍ୱପ୍ନ ଦେଖିଥିଲେ ପ୍ରାଣୀ ଚିକିତ୍ସକ ହେବାକୁ । କିନ୍ତୁ ଉଡ଼ିଲେ ମହାକାଶରେ। ଏପରି କିପରି ହେଲା । ସୁନୀତାଙ୍କ କାହାଣୀ ନିଶ୍ଚୟ ମନ ଛୁଇଁବ।
ସୁନୀତା ୱିଲିୟମ୍ସ, ୧୯୬୫ ମସିହାରେ ଆମେରିକାର ଓହିୟୋରେ ଜନ୍ମ । ପିତା ଦୀପକ ପାଣ୍ଡ୍ୟା ହେଉଛନ୍ତି ଗୁଜୁରାଟ ଅହମ୍ମଦାବାଦର ମୂଳ ବାସୀନ୍ଦା। କିନ୍ତୁ ସୁନୀତାଙ୍କ ମା’ ଉରସୁଲାଇନ୍ ବୋନି ପାଣ୍ଡ୍ୟା ଆମେରିକାରେ ବଡ ହୋଇଥିଲେ। ସେ ସ୍ଲୋଭେନ୍ ଆମେରିକାନ୍। ଆମେରୀକାରେ ହିଁ ଦୀପକ ଏବଂ ବୋନୀଙ୍କ ସାକ୍ଷାତ ଓ ବିବାହ। ସେମାନଙ୍କର ଝିଅ ସୁନୀତା ୱିଲିଅମ୍ସ ସୁନୀତା 1983 ରେ ମାସାଚୁସେଟ୍ସ ସ୍ଥିତ ନିଡହମ୍ ହାଇସ୍କୁଲରୁ ଅଧ୍ୟୟନ ସମାପ୍ତ କରିଥିଲେ। ୧୯୮୭ ରେ ଆମେରିକୀୟ ନାଭାଲ୍ ଏକାଡେମୀରୁ ପଦାର୍ଥ ବିଜ୍ଞାନରେ ହାସଲ କରିଥିଲେ କରସ୍ନାତକ ଡିଗ୍ରୀ । କିନ୍ତୁ ବଡ଼କଥା ହେଉଛି ପିଲାଦିନରୁ ସୁନୀତା ପଶୁପକ୍ଷୀଙ୍କୁ ବହୁତ ଭଲ ପାଉଥିଲେ। ସେଥିପାଇଁ ସେ ପ୍ରାଣୀ ଚିକିତ୍ସକ ହେବାକୁ ନିଷ୍ପତ୍ତି ନେଇଥିଲେ। ଏପରିକି ଏଥିପାଇଁ ଆବେଦନ ମଧ୍ୟ କରିଥିଲେ । କିନ୍ତୁ ନିଜ ପସନ୍ଦର କଲେଜ ନ ମିଳିବାରୁ ସେ ପ୍ରାଣୀ ଚିକିତ୍ସା ବିଜ୍ଞାନରେ ନାମ ଲେଖାଇ ପାରିନଥିଲେ। ଆଉ ତାପରେ ତାଙ୍କ ଜୀବନର ମୋଡ଼ ବଦଳି ଯାଇଥିଲା।
ନାଭାଲ୍ ଏକାଡେମୀରେ ତାଲିମ ସମାପ୍ତ କରିବା ପରେ ପାଇଲଟ୍ ହୋଇଯାଇଥିଲେ ସୁନୀତା। ଅନେକ ପ୍ରକାରର ବିମାନ ଉଡ଼ାଇବାର ଦକ୍ଷତା ହାସଲ କଲେ । ସେହି ସମୟରେ, ଦିନେ ସେ ଜନସନ ସ୍ପେସ୍ ସେଣ୍ଟରକୁ ଯିବାର ସୁଯୋଗ ପାଇଲେ, ଯାହା ତାଙ୍କ ଜୀବନକୁ ଏକ ଭିନ୍ନ ରାସ୍ତା ଦେଇଥିଲା । ସେଠାରେ ସେ ମହାକାଶଚାରୀ ଜନ୍ ୟଙ୍ଗଙ୍କୁ ଭେଟିଲେ, ଯିଏ ଚନ୍ଦ୍ରକୁ ଯିବାରେ ଥିଲେ ନବମ ବ୍ୟକ୍ତି। ସୁନୀତା ତାଙ୍କ ଦ୍ୱାରା ଖୁବ୍ ପ୍ରଭାବିତ ହୋଇଥିଲେ । ଆଉ ତାପରେ ସେ ଜଣେ ମହାକାଶଚାରୀ ହେବାକୁ ନିଷ୍ପତ୍ତି ନେଇଥିଲେ।
ଜନ୍ ୟଙ୍ଗଙ୍କୁ ଭେଟିବା ପରେ ସୁନୀତା ୱିଲିୟମ୍ସ ଜଣେ ମହାକାଶଚାରୀ ହେବା ପାଇଁ ନାସାକୁ ଆବେଦନ କରିଥିଲେ, କିନ୍ତୁ ତାଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରାଯାଇଥିଲା। ଏହା ପରେ, ୧୯୯୫ ମସିହାରେ, ସେ ଫ୍ଲୋରିଡା ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରୁ ଇଞ୍ଜିନିୟରିଂ ମ୍ୟାନେଜମେଣ୍ଟରେ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ । ଏବଂ ପୁନର୍ବାର ନାସାରେ ଆବେଦନ କଲେ। ଏଥର ସେ ସଫଳ ହେଲେ ଏବଂ ମନୋନୀତ ହେଲେ, କିନ୍ତୁ ମହାକାଶକୁ ଯିବାକୁ ତାଙ୍କୁ ବହୁତ ସମୟ ଅପେକ୍ଷା କରିବାକୁ ପଡିଥିଲା।
ସେ ସମୟରେ ସୁନୀତା ଗଲ୍ଫ ଯୁଦ୍ଧରେ ଅଂଶଗ୍ରହଣ କରିଥିଲେ। ଇରାକରେ ନୋ-ଫ୍ଲାଏ ଜୋନ୍ ଲାଗୁ କରିବାରେ ସାହାଯ୍ୟ କରିଥିଲେ। ମିଆମିରେ ହରିକେନ୍ ଏଣ୍ଡ୍ୟୁରୁ ରିଲିଫ୍ ମିଶନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ତାଙ୍କର ଉଡ଼ିବାର କ୍ଷମତା ଏବଂ କଠିନ ପରିସ୍ଥିତିରେ କାମ କରିବାର ଦକ୍ଷତା ନାସାର ଧ୍ୟାନ ଆକର୍ଷଣ କରିଥିଲା । ତା’ପରେ ଜୁନ୍ ୧୯୯୮ରେ ନାସା ସୁନୀତାଙ୍କୁ ମହାକାଶ ଯାତ୍ରା ଲାଗି ଚୟନ କଲା । ୨୦୦୬ରେ, ସେ ମହାକାଶକୁ ଯିବାର ସୁଯୋଗ ପାଇଲେ । ଏହା ସହିତ ସୁନୀତା ଜଣେ ଭାରତୀୟ ବଂଶୋଦ୍ଭବ ଭାବରେ ମହାକାଶଚାରୀ ହେବାରେ ହେଲେ ପ୍ରଥମ ମହିଳା ।
ନାସାରେ ଜଣେ ମହାକାଶଚାରୀ ହେବା ସହଜ ନୁହେଁ। ସୁନୀତାଙ୍କୁ ବାଛିବା ପଛରେ ଅନେକ କାରଣ ଥିଲା । ସର୍ବପ୍ରଥମେ, ନୌସେନାରେ ପାଇଲଟ୍ ଥିବାବେଳେ ସୁନୀତା ଅନେକ ଗୁରୁତ୍ୱପୂର୍ଣ୍ଣ ମିଶନରେ ସଫଳତା ହାସଲ କରିଥିଲେ । ତାଙ୍କର ମାଷ୍ଟର ଡିଗ୍ରୀ ଏବଂ ବୈଷୟିକ ଦକ୍ଷତା ତାଙ୍କୁ ନାସା ପାଇଁ ଉପଯୁକ୍ତ ପ୍ରାର୍ଥୀ କରିଥିଲା । ସ୍ପେସ୍ ମିଶନ୍ ପାଇଁ ଶାରୀରିକ ଏବଂ ମାନସିକ ଦୃଢତା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ଯେଉଁଥିରେ ସୁନୀତା ଥିଲେ ଉତ୍କୃଷ୍ଟ । ନାସାରେ ଚୟନ ପରେ, ସେ ରୋବୋଟିକ୍ସ ଶାଖାରେ କାର୍ଯ୍ୟ କରିଥିଲେ । ରୋବୋଟିକ୍ ଶାଖା ଏବଂ ISS ର ସ୍ୱତନ୍ତ୍ର ଉଦ୍ଦେଶ୍ୟ ଡିକ୍ସଟେରସ୍ ମନିପ୍ୟୁଲେଟର ଉପରେ ତାଙ୍କର ଥିଲା ଗବେଷଣା । ସେ ନାସାର NEEMO2 ମିଶନରେ ଅଂଶଗ୍ରହଣ କରି, ନଅ ଦିନ ଧରି ଅଣ୍ଡରୱାର୍ଡ଼ ଆକ୍ୱାରିୟସ୍ ହବିଟେଟ୍ ରେ ରହି ଗବେଷଣା କରିଥିଲେ । ଏହା କଠିନ ପରିସ୍ଥିତିରେ ଅନୁକୂଳ ଦକ୍ଷତାର ପ୍ରମାଣ ଥିଲା ତାଙ୍କ ପାଇଁ।
ସୁନୀତା ୱିଲିୟମ୍ସ ଏପର୍ଯ୍ୟନ୍ତ 9ଥର ସ୍ପେସ୍ ୱାକ୍ କରିଛନ୍ତି ଏବଂ ସମୁଦାୟ ୬୨ ଘଣ୍ଟା ୬ ମିନିଟ୍ ପାଇଁ ମହାକାଶରେ ଚାଲିବାର ରେକର୍ଡ ସୃଷ୍ଟି କରିଛନ୍ତି । ISSରେ ୨୮୬ ଦିନ ବିତାଇବା ପରେ, ସେ ଏକ ତୃତୀୟ ମିଶନରେ ସର୍ବାଧିକ ସମୟ ଅତିବାହିତ କରୁଥିବା ତୃତୀୟ ମହିଳା । ତାଙ୍କ ପୂର୍ବରୁ ଗୋଟିଏ ଥର ମହାକାଶ ଅଭିଯାନରେ ଖ୍ରୀଷ୍ଟିନା କୋଚ ୩୨୮ ଦିନ ଏବଂ ପେଗି ହ୍ୱିଟସନ ୨୮୯ ଦିନ ଅତିବାହିତ କରିଛନ୍ତି। ଆଇଏସଏସରେ ଦୀର୍ଘତମ ରହିବାର ରେକର୍ଡ ଫ୍ରାଙ୍କ ରୁବିଓ ଙ୍କ ନାମରେ ରହିଛି । ସେ ୩୭୧ ଦିନ ମହାକାଶରେ ରହିଥିଲେ। ତେବେ ପେଗି ହ୍ୱିଟସନ ବିଭିନ୍ନ ଅଭିଯାନରେ ମୋଟ୍ ୬୭୫ ଦିନ ମହାକାଶରେ ରହି ଦୀର୍ଘତମ ରେକର୍ଡ କରିଛନ୍ତି। ସୁନୀତା ସଫଳତମ, ସକସେସ୍ ଫୁଲ୍। ଏହି ଭାରତୀୟ ଆମେରିକୀୟ ମହାକାଶଚାରୀଙ୍କ ଲାଗି ଗୁଜୁରାଟର ତାଙ୍କ ପୈତୃକ ଗାଁ ଗୁଜୁରାଟର ମେହସାଣା ଜିଲ୍ଲା ଅନ୍ତର୍ଗତ ଝୁଲାସନ୍ ରେ ଯେତିକି ଆନନ୍ଦ, ପ୍ରତ୍ୟେକ ଭାରତୀୟଙ୍କ ମନରେ ସେତିକି ଗର୍ବ। ସୁନୀତାଙ୍କ ସଫଳ ପ୍ରତ୍ୟାବର୍ତ୍ତନ ଲାଗି ଭାରତରେ ପୂଜାର୍ଚ୍ଚନା ପରେ ଖୁସିର ମାହୋଲ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଠାରୁ ଆରମ୍ଭ କରି ବହୁ ବିଶିଷ୍ଟ ବ୍ୟକ୍ତି ଅନେକ ବୈଜ୍ଞାନିକ ଜଣାଇଛନ୍ତି ବଧାଇ।
Also Read- ସାଂଘାତିକ ରୋଗରେ ପଡିପାରନ୍ତି ଆଷ୍ଟ୍ରୋନଟ, ପ୍ରଭାବିତ ହେବ ଅଣ୍ଟା ପଛଭାଗ ଓ ଜଙ୍ଘର ହାଡ଼