ନୂଆଦିଲ୍ଲୀ: ୱାକଫ୍ ସଂଶୋଧନ ଆଇନ ଉପରେ ସୁପ୍ରିମକୋର୍ଟରେ ଗୁରୁବାର ଲଗାତାର ଦ୍ୱିତୀୟ ଦିନରେ ଶୁଣାଣି ହୋଇଛି । ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଜବାବ ଦାଖଲ କରିବା ପାଇଁ ଏକ ସପ୍ତାହ ସମୟ ଦେଇଛନ୍ତି । ସେହିପରି ନୂଆ ନିଯୁକ୍ତି ଉପରେ ପରବର୍ତ୍ତୀ ଶୁଣାଣି ଯାଏ ରୋକ ଲଗାଇଛନ୍ତି । ତେବେ ଏହି ସମୟରେ ସର୍ବୋଚ୍ଚ ଅଦାଲତ ୱାକଫ୍ ଆକ୍ଟ ବିରୋଧରେ ଦାଖଲ ପ୍ରାୟ ୧୦୦ ଆବେଦନକୁ ନେଇ ଆପତ୍ତି ମଧ୍ୟ ଉଠାଇଥିଲେ ।
ସିଜେଆଇଙ୍କ ଅଧ୍ୟକ୍ଷତାରେ ମାମଲା ଶୁଣାଣି କରୁଥିବା ଖଣ୍ଡପୀଠ କହିଥିଲେ ଯେ ଆମେ ଏତେସବୁ ଆବେଦନ ଉପରେ ଶୁଣାଣି କରିପାରିବୁ ନାହିଁ । ଖଣ୍ଡପୀଠ କହିଥିଲେ ଯେ ଅତି ବେଶୀରେ ୫ଟି ଆବେଦନ ଉପରେ ବିଚାର କରାଯିବ । କୋର୍ଟ ପ୍ରଶ୍ନ କରିଥିଲେ ଯେ ଏତେସବୁ ଆବେଦନର ଆବଶ୍ୟକତା କଣ ରହିଛି । ଏହି ମାମଲାରେ ୫ଟି ଆବେଦନ ହିଁ ଯଥେଷ୍ଟ ଥିଲା, ଯାହା ଉପରେ ସହଜରେ ବିଚାର କରାଯାଇପାରିବ । ଗୋଟିଏ ମାମଲାରେ ହିଁ ୧୦୦ କିମ୍ୱା ୧୨୦ ଆବେଦନ ଉପରେ ଶୁଣାଣିର କୌଣସି ଯଥାର୍ଥ ନାହିଁ ।
ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ମେ ୭ ତାରିଖ ଧାର୍ଯ୍ୟ କରିଛନ୍ତି । କୋର୍ଟ ଏହା ସ୍ପଷ୍ଟ କରିଛନ୍ତି ଯେ ପରବର୍ତ୍ତୀ ଶୁଣାଣି ଯାଏ କେନ୍ଦ୍ରୀୟ ୱାକଫ ପରିଷଦ ଓ ବୋର୍ଡରେ କୌଣସି ନୂତନ ନିଯୁକ୍ତି ହେବ ନାହିଁ । କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହତା ସର୍ବୋଚ୍ଚ ନ୍ୟାୟାଳୟରେ ଏକ ସପ୍ତାହ ସମୟ ଦେବା ପାଇଁ ଅନୁରୋଧ କରିଥିଲେ । ଏହାପରେ କୋର୍ଟ ତାଙ୍କୁ ସମୟ ଦେଇଛନ୍ତି ।
Also Read: ୱକଫ ଆଇନ ଉପରେ ଜବାବ ରଖିବାକୁ କେନ୍ଦ୍ରକୁ ମିଳିଲା ୭ ଦିନ ସମୟ, ବର୍ତ୍ତମାନ ପାଇଁ ନିଯୁକ୍ତି ଉପରେ ଲାଗିଲା ରୋକ