ଅରବିନ୍ଦ କେଜରିଓ୍ବାଲଙ୍କ ଘରେ ସ୍ବାତୀ ମାଲିଓ୍ବାଲଙ୍କ ସହ ଦୁର୍ବ୍ୟବହାର, ଥାନାରେ ମାମଲା

Published By : Prameya-News7 Bureau | May 13, 2024 IST

ନୂଆଦିଲ୍ଲୀ: ଆମ୍‌ ଆଦମୀ ପାର୍ଟୀ ରାଜ୍ୟସଭା ସାଂସଦ ସ୍ବାତୀ ମାଲିଓ୍ବାଲଙ୍କ ଗୁରୁତର ଅଭିଯୋଗ। ସୋମବାର, ସିଭିଲ ଲାଇନ୍ସ ଥାନାରେ ଗୁରୁତର ଅଭିଯୋଗ ଆଣିଛନ୍ତି ସ୍ବାତୀ। ସେ ଅଭିଯୋଗ କରିଛନ୍ତି ଯେ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ଘରେ ତାଙ୍କ ସହ ଦୁର୍ବ୍ୟବହାର ହୋଇଛି। ଏହି ମାମଲାରେ ସେ କେଜରିଓ୍ବାଲଙ୍କ ବ୍ୟକ୍ତିଗତ କର୍ମଚାରୀଙ୍କ ଉପରେ ଅଭିଯୋଗ ଆଣିଥିବା ନେଇ ଜାତୀୟ ଗଣମାଧ୍ୟମ ଚର୍ଚ୍ଚା ଜାରି ରହିଛି।

ଅବଶ୍ୟ ଜଣେ ପୋଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଏନେଇ କୌଣସି ଲିଖିତ ଅଭିଯୋଗ ହୋଇନାହିଁ। ଅଧିକାରୀ କହିଛନ୍ତି ମାଲିଓ୍ବାଲ ପିସିଆରକୁ ସକାଳ ପ୍ରାୟ ୧୦ଟାରେ କଲ୍‌ ମଧ୍ୟ କରିଥିଲେ। ତେବେ ମାମଲାରେ ସିଭିଲ ଲାଇନ ଥାନାର ଏକ ଟିମ୍‌ ମୁଖ୍ୟମନ୍ତ୍ରୀଙ୍କ ଘରେ ଯାଞ୍ଚ ପାଇଁ ପହଞ୍ଚିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଦିଲ୍ଲୀ ପୋଲିସ, ସ୍ବାତି ମାଲିଓ୍ବାଲ, ଆପ କିମ୍ବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ତରଫରୁ କୌଣସି ବୟାନ ଜାରି ହୋଇନାହିଁ।ସେପଟେ ଏହି ଘଟଣାକୁ ନେଇ ବିଜେପି, ସୋସିଆଲ ମିଡିଆରେ ଅରବିନ୍ଦ କେଜରିଓ୍ବାଲଙ୍କୁ ଟାର୍ଗେଟ କରିଛି। 

ଆହୁରି ପଢ଼ନ୍ତୁ: ମୁଁ ୨୧ ଦିନ ପାଇଁ ବାହାରକୁ ଆସିଛି, ଜୁନ୨ରେ ମୋତେ ଫେରିବାକୁ ପଡିବ, ଏହା ପରେ ପାର୍ଟିକୁ ଆପଣମାନେ ସମ୍ଭାଳିବେ: କେଜରିୱାଲ

ଉଲ୍ଲେଖଯୋଗ୍ୟ, ମାଲିଓ୍ବାଲ ଆପ୍‌ର ଜଣେ ଆଗ ଧାଡ଼ିର ନେତ୍ରୀ। ଚଳିତ ବର୍ଷ ତାଙ୍କୁ ଦଳ ରାଜ୍ୟସଭାକୁ ମଧ୍ୟ ପଠାଇଛି। ଏହା ପୂର୍ବରୁ ସେ ଦିଲ୍ଲୀ ମହିଳା ଆୟୋଗଙ୍କ ଅଧ୍ୟକ୍ଷ ମଧ୍ୟ ରହିଥିଲେ । ଆଉ ମହିଳାଙ୍କ ବିରୋଧରେ ହେଉଥିବା ଅପରାଧ ଉପରେ ବେଶ୍‌ ସକ୍ରିୟତାର ସହ କାମ କରିଥାନ୍ତି। ସ୍ବାତୀ ଆପ୍‌ର ସଂସ୍ଥାପକ ସଦସ୍ୟଙ୍କ ମଧ୍ୟରେ ରହିଛନ୍ତି। ସେ ଆନ୍ନା ଆନ୍ଦୋଳନ ସମୟରୁ ହିଁ ଅରବିନ୍ଦ କେଜରିଓ୍ବାଲଙ୍କ ପାଖ ଲୋକଙ୍କ ମଧ୍ୟରେ ରହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.