‘ମିଲଟନ୍‌’ ପାଇଁ ଫ୍ଲୋରିଡାରେ କୋକୁଆ ଭୟ: ଘରୁ ବାହାରି ଚାଲିଯିବାକୁ ପ୍ରଶାସନର ପରାମର୍ଶ

Published By : Prameya-News7 Bureau | October 08, 2024 IST

ନୂଆଦିଲ୍ଲୀ: ଆମେରିକାର ଫ୍ଲୋରିଡାରେ ‘ମିଲଟନ୍‌’ ଭୟ।  ଘର କାନ୍ଥରେ ଲେଖାଯାଇଛି Go Away Milton।   ଏହାର ଅର୍ଥ ହେଲା ହେ ମିଲଟନ୍‌ ଏଠି ଆସେନା। ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି ଘର କାନ୍ଥରେ ଲେଖାଥିବା ଏ ପୋଷ୍ଟର। ଏହି ପୋଷ୍ଟରକୁ ଦେଖିଲେ ରାଜକୁମାର ରାଓଙ୍କ ଚଳଚ୍ଚିତ୍ର ସ୍ତ୍ରୀ କଥା ମନେପଡେ। ଯେଉଁଥିରେ ଲୋକମାନେ ଭୂତମାନଙ୍କୁ ରକ୍ଷା କରିବା ପାଇଁ କାନ୍ଥରେ ଏପରି ବାର୍ତ୍ତା ଲେଖନ୍ତି। ସେମିତି କୋକୁଆ ଭୟ ସୃଷ୍ଟି ମିଲଟନ୍‌। କିଏ ଏହି ମିଲଟନ୍‌ ? ଲୋକଙ୍କ ମନରେ ଏ ନାଁକୁ ନେଇ ଏତେ ଭୟ କାହିଁକି?  

ଆମେରିକାର ଫ୍ଲୋରିଡାକୁ ମାଡ଼ିଆସୁଛି ବଡ଼ ବିପଦ। ଯାହାର ନାଁ ମିଲଟନ୍‌। ଏକ ଭୟଙ୍କର ଘୂର୍ଣ୍ଣିଝଡ଼। ହରିକେନ୍‌ ମିଲଟନ୍‌ କରାଳ ରୂପ ଧରି ସ୍ଥଳଭାଗକୁ ମାଡ଼ିଆସୁଛି। ଧ୍ୱସଂଳୀଳା ରଚିବ ଏହି ଘୂର୍ଣ୍ଣିଝଡ଼। ୧୯୯୯ ମହାବାତ୍ୟା ଠାରୁ ବି ହେବ ଅଧିକ ଭୟଙ୍କର। ଫ୍ଲୋରିଡାର ଗଲ୍ଫ୍ କୋଷ୍ଟରେ ଘଣ୍ଟା ପ୍ରତି ୨୫୦ କିଲୋମିଟର ବେଗରେ ବହୁଛି ପବନ। 

ହରିକେନ୍‌ ମିଲଟନ୍‌ ଘଣ୍ଟା ପ୍ରତି ୯ କିଲୋମିଟର ବେଗରେ ସ୍ଥଳଭାଗ ଆଡ଼କୁ ମୁହାଁଉଛି ବୋଲି ହରିକେନ୍‌ କେନ୍ଦ୍ରରୁ ସୂଚନା ମିଳିଛି। ମିଲଟନ୍‌ ହରିକେନ୍‌ ତାମ୍ପା ଉପକୂଳରେ ଲ୍ୟାଣ୍ଡଫଲ୍‌ କରିବାକୁ ଥିବା ବେଳେ ମେକ୍ସିକୋ ଆଡ଼କୁ ମୁହାଁଇବ । ପରେ ଶକ୍ତି କମ୍‌ ହୋଇଯିବା ସହ ମିଲଟନ୍‌ ଅଟଲାଣ୍ଟିକ ମହାସାଗରରେ ପ୍ରବେଶ କରିବ । ମିଲଟନ୍‌ ପ୍ରଭାବରେ ଫ୍ଲୋରିଡାରେ ବନ୍ୟା ପରିସ୍ଥିତି ଦେଖିବାକୁ ମିଳିପାରେ । 

ସେପଟେ ହରିକେନ୍‌ର ଭୟାବହତାକୁ ଦେଖି ସ୍ଥାନୀୟ ପ୍ରଶାସନ ଜୋରଦାର ପ୍ରସ୍ତୁତି ଚଳାଇଛି । ଏହା ପୂର୍ବରୁ ହରିକେନ୍‌ ହେଲେନ ପ୍ରଭାବରେ ଫ୍ଲୋରିଡାରେ ପ୍ରାୟ ୨୩୦ ଲୋକଙ୍କ ଜୀବନ ଯାଇଥିଲା। ବ୍ୟାପକ କ୍ଷତି ଘଟାଇଥିଲା। ଆଉ ଏକ ଘୂର୍ଣ୍ଣିଝଡ଼କୁ  କିଭଳି ମୁକାବିଲା କରିହେବ ଏବଂ କ୍ଷୟକ୍ଷତିକୁ ରୋକିହେବ ତାଉପରେ ଜୋର ଦିଆଯାଉଛି ବୋଲି ଫ୍ଲୋରିଡାର ଗଭର୍ଣ୍ଣର ରୋନ୍‌ ଡିସାଣ୍ଟିସ୍‌ କହିଛନ୍ତି। 

ମିଲଟନକୁ  ପୂର୍ବରୁ କାଟାଗୋରୀ-୫ରେ ଅନ୍ତର୍ଭୁକ୍ତ କରାଯାଇଥିଲା।  ବର୍ତ୍ତମାନ ଏହାକୁ କାଟାଗୋରୀ-୪ ରଖାଯାଇଛି। କିନ୍ତୁ ଏହା ଫ୍ଲୋରିଡା ପାଇଁ ଏକ ଗୁରୁତର ବିପଦ ସାଜିବ। ସ୍ଥାନୀୟ ପାଣିପାଗ ବିଭାଗ ଚେତାବନୀ ଦେଇଛି ଯେ ମିଲଟନ୍ ପ୍ରଭାବରେ  ୮ରୁ ୧୨ ଫୁଟ ସମୁଦ୍ର ପାଣି ମାଡ଼ିଆସିବ। ଏହଥିପାଇଁ ଫ୍ଲୋରିଡାର ଗଲ୍ଫ୍ କୋଷ୍ଟରେ ହାଇ ଆଲର୍ଟ ଜାରି କରାଯାଇଛି।

ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି ଯେ, 1921 ପରଠାରୁ ଏହା ବଡ଼ ଘୂର୍ଣ୍ଣିଝଡ଼ ହେବ। ବୁଧବାର ସକାଳେ ମିଲଟନ୍ ସ୍ଥଳଭାଗ ଛୁଇଁପାରେ। ରାଷ୍ଟ୍ରପତି ଜୋ ବାଇଡେନ ଫ୍ଲୋରିଡା ପାଇଁ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି।  ସହାୟତା ପାଇଁ ସେଠାରେ ୭ ହଜାର ରେସ୍କ୍ୟୁ ଟିମ୍‌ ନିୟୋଜିତ ହୋଇଛନ୍ତି।

ତାମ୍ପା ମେୟର ଜେନ କାଷ୍ଟର ଚେତାବନୀ ଦେଇ କହିଛନ୍ତି- ଯଦି ଆମେ ପ୍ରକୃତି ମାଆ ବିରୋଧୀ ହେବା, ତେବେ ଆମେ ହାରିଯିବା। ଜଳବାୟୁ ଦ୍ରୁତ ଗତିରେ ବଦଳୁଛି ଏବଂ ଅବସ୍ଥା ବିଗିଡି ଯାଉଛି, ପୃଥିବୀ ଏବେ ପ୍ରତିଶୋଧ ନେବ। ହେଲେନ ଓ ମିଲଟନ୍ ହିଁ ଜ୍ୱଳନ୍ତ ଉଦାହରଣ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.