୨୦୨୪ରେ ଦୁନିଆର ୧୦ ବଡ଼ ପ୍ରାକୃତିକ ବିପର୍ଯ୍ୟୟ, ପ୍ରତ୍ୟେକ ବିପର୍ଯ୍ୟୟ ଦେଇଛି ୩୪ ହଜାର କୋଟିର କ୍ଷତି

Published By : Prameya-News7 Bureau | December 30, 2024 IST

ନୂଆଦିଲ୍ଲୀ: ୨୦୨୪ରେ ଦୁନିଆର ୧୦ ବଡ଼ ବିନାଶକାରୀ ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟରୁ ପ୍ରତ୍ୟେକ ୩୪,୧୭୨ କୋଟି ଟଙ୍କାରୁ ଅଧିକ କ୍ଷତି କରିଛନ୍ତି । ଇନ୍ୟୁରାନ୍ସ ଡାଟା ଆଧାରରେ ଏହି ଅନୁମାନ କରାଯାଇଛି । ଆର୍ଥିକ ଆଧାରରେ ହୋଇଥିବା କ୍ଷତି ଏହି ଡାଟାକୁ ଖ୍ରୀଷ୍ଟିୟାନ ଏଡ୍ ପକ୍ଷରୁ ଜାରି କରାଯାଇଛି । କାଉଣ୍ଟିଂ ଦ କଷ୍ଟ ୨୦୨୪: ଦ ଇୟର ଅଫ୍ କ୍ଲାଇମେଟ୍ ବ୍ରେକଡାଉନରେ ଦୁନିଆର ସବୁଠୁ କ୍ଷତିକାରକ ପ୍ରାକୃତିକ ବିପର୍ଯ୍ୟୟର ଆକଳନ କରାଯାଇଛି । ବିଶ୍ୱର ଗରିବ ଦେଶଗୁଡ଼ିକରେ ବି ଏଭଳି ପ୍ରାକୃତିକ ବିପର୍ଯ୍ୟୟ ଘଟିଛି, କିନ୍ତୁ ସେଠାକାର ଡାଟା ଉପଲବ୍ଧ ହୋଇପାରି ନାହିଁ ।

ସବୁଠୁ ବଡ଼ ପ୍ରାକୃତିକ ବିପର୍ଯ୍ୟୟ ତାଲିକାର ଉପରେ ଆମେରିକାରେ ମାଡ଼ ହୋଇଥିବା ବାତ୍ୟା ‘ମିଲ୍ଟନ’ ରହିଛି । ‘ମିଲ୍ଟନ’ ଯୋଗୁଁ ୫,୧୨,୫୮୫ କୋଟି ଟଙ୍କାରୁ ଅଧିକ କ୍ଷତି ହୋଇଛି । ଏହି ବାତ୍ୟାରେ ୨୫ ଜଣଙ୍କ ମୃତ୍ୟୁ ହୋଇଥିଲା । ଦ୍ୱିତୀୟ ସ୍ଥାନରେ ରହିଛି ବାତ୍ୟା 'ହେଲେନ' । ଏହି ବାତ୍ୟା ଆମେରିକା, କ୍ୟୁବା ଏବଂ ମେକ୍ସିକୋରେ ବ୍ୟାପକ କ୍ଷୟକ୍ଷତି କରିଥିଲା । ଏହାସହ ୨୩୨ ଜଣଙ୍କ ଜୀବନ ନେଇଥିଲା । ହେଲେନ ଯୋଗୁଁ ପ୍ରାୟ ୪,୬୯,୮୭୦ କୋଟି ଟଙ୍କା କ୍ଷତି ହୋଇଛି । ୨୦୨୪ରେ ସାମୁଦ୍ରିକ ଝଡ଼ ପରେ ବି ଆମେରିକାର ଅନେକ ଘୂର୍ଣ୍ଣ ଝଡ଼ର ପ୍ରଭାବ ଦେଖିବାକୁ ମିଳିଥିଲା । 

ଚୀନ ଆସିଥିବା ପ୍ରଳୟଙ୍କାରୀ ବନ୍ୟାରେ ୩୧୫ ଜଣଙ୍କ ଜୀବନ ନେଇଛି । ବନ୍ୟାରେ ପ୍ରାୟ ୧,୩୩,୨୭୨ କୋଟି ଟଙ୍କାର ଆର୍ଥିକ କ୍ଷତି ହୋଇଛି । ସେହିପରି ବାତ୍ୟା ୟାଗୀ ଦକ୍ଷିଣପଶ୍ଚିମ ଏସିଆରେ ୮୦୦ ଲୋକଙ୍କ ଜୀବନ ନେଇଛି । ୟାଗୀ ଯୋଗୁଁ ୧,୦୭,୬୪୩ କୋଟି କ୍ଷତି ହୋଇଛି । ସେପ୍ଟେମ୍ୱର ୨ରେ ଫିଲିପିନ୍ସରେ ୟାଗୀ ଲ୍ୟାଣ୍ଡଫଲ୍ କରିଥିଲା । ଏହାର ପ୍ରଭାବ ମ୍ୟାଁମାର, ଭିଏତ୍‌ନାମ ଏବଂ ଲାଓସରେ ତାଣ୍ଡବ ରଚିଥିଲା ।

୨୦୨୪ ଶୀର୍ଷ ୧୦ ବିନାଶକାରୀ ବିପର୍ଯ୍ୟୟ ମଧ୍ୟରୁ ତିନି ୟୁରୋପରେ ହୋଇଛି । ଏଥିରୁ ସେଣ୍ଟ୍ରାଲ୍ ୟୁରୋପରେ ବାତ୍ୟା 'ବୋରିସ', ସ୍ପେନ୍ ଏବଂ ଜର୍ମାନୀରେ ବନ୍ୟା ସାମିଲ ରହିଛି । ଏହି ତିନି ପ୍ରକୃତିକ ବିପର୍ଯ୍ୟୟ ଯୋଗୁଁ ୟୁରୋପ  ୧୮୧୪୯୩ କୋଟି ଟଙ୍କାର ଆର୍ଥିକ କ୍ଷତି ସହିଛି । ଏହି ତିନି ଘଟଣାରେ ୨୫୮ ଜଣଙ୍କ ଜୀବନ ଯାଇଛି । ଏଥିରେ ଅକ୍ଟୋବରରେ ସ୍ପେନରେ ବନ୍ୟା ୨୨୬ ଜଣଙ୍କ ଜୀବନ ନେଇଛି । ବ୍ରାଜିଲର ରିୟୋ ଗ୍ରାଣ୍ଡ ଡୋ ସୁଲରେ ହୋଇଥିବା ବନ୍ୟା ୧୮୩ ଜଣଙ୍କ ମୃତ୍ୟୁର କାରଣ ପାଲଟିଥିଲା । ଏହାସହ ୪୨୭୧୫ କୋଟି ଟଙ୍କାର ଆର୍ଥିକ କ୍ଷତି ହୋଇଛି ।

ଇନ୍ୟୁରାନ୍ସ ଡାଟା ଉପଲବ୍ଧ ନଥିବା ଯୋଗୁଁ ଗରିବ ଦେଶରେ ଘଟିଥିବା ପ୍ରାକୃତିକ ବିପର୍ଯ୍ୟୟର ଆର୍ଥିକ ବିଶ୍ଲେଷଣ ହୋଇପାରି ନାହିଁ । ଏହି ଘଟଣାଗୁଡିକ ମଧ୍ୟରେ ମାୟୋଟେ ଦ୍ୱୀପପୁଞ୍ଜରେ ତାଣ୍ଡବ ରଚିଥିବା ବାତ୍ୟା ଚିଡୋ, କଲୋମ୍ୱିଆର ଭୟଙ୍କର ମରୁଡ଼ି, ବାଂଲାଦେଶ ଏବଂ ଗାଜାରେ ୩୩ ମିଲିୟନ ଲୋକଙ୍କୁ ପ୍ରଭାବିତ କରିଥିବା ହିଟ୍ ୱେଭ୍ ସାମିଲ ରହିଛି । ଏହାସହ ପଶ୍ଚିମ ଆଫ୍ରିକାରେ ବନ୍ୟା ନାଇଜେରିଆ, ଚାଡ ଏବଂ ନାଇଜରରେ ୬.୬ ନିୟୁତରୁ ଅଧିକ ଲୋକଙ୍କୁ ପ୍ରଭାବିତ କରିଥିଲା । ଦକ୍ଷିଣ ଆଫ୍ରିକାରେ ମରୁଡ଼ି ଜାମ୍ୱିଆ, ମାଲାଭୀ, ନାମିବ୍ୟା ଏବଂ ଜିମ୍ୱାୱେର ୧୪ ନିୟୁତ ଲୋକଙ୍କୁ ପ୍ରଭାବିତ କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.