ରାଜସ୍ଥାନରେ ଗ୍ରୀଷ୍ମର ପ୍ରକୋପ, ଆରମ୍ଭରୁ ୪୪ ଡିଗ୍ରି ସେଲସିୟସ୍ ଡେଇଁଲା ତାପମାତ୍ରା

Published By : Prameya-News7 Bureau | April 14, 2025 IST

ଜୟପୁର ୧୪।୪: ରାଜସ୍ଥାନରେ ଗ୍ରୀଷ୍ମ ପ୍ରକୋପ ବଢିବା ଆରମ୍ଭ କରିଛି। ଆକାଶରୁ ସୂର୍ଯ୍ୟ ନିଆଁ ବର୍ଷା କରୁଥିବା ବେଳେ ଭୂ-ଭାଗରେ ଲୁ ବହିବା ଜନଜୀବନକୁ ଅସ୍ତବ୍ୟସ୍ତ କରିଛି। ସକାଳେ ସୂର୍ଯ୍ୟୋଦୟ ସହିତ ଗରମ ବଢିବା ଆରମ୍ଭ ହୋଇଯାଉଛି। ଏଣୁ ଲୋକେ ଘରୁ ପଦାକୁ ବାହାରିବା ଏବେ ମୁସ୍କିଲ ହୋଇପଡିଛି। ଫଳରେ ମଧ୍ୟାହ୍ନ ବେଳକୁ ସଡ଼କ ସୁନସାନ ହୋଇ ଯାଉଛି। ଏଥିରେ ପାଣିପାଗ ବିଜ୍ଞାନ ବିଭାଗ ଆଗାମୀ କିଛି ଦିନ ଏପରି ଗ୍ରୀଷ୍ମ ପ୍ରବାହ ନେଇ ସତର୍କତା ଜାରି କରିବା ଲୋକଙ୍କୁ ଆତଙ୍କିତ କରିଛି। 

ପାଣିପାଗ ବିଜ୍ଞାନ କେନ୍ଦ୍ର ଜୟପୁରଙ୍କ ଅନୁସାରେ ଗତ ୨୪ ଘଣ୍ଟାରେ ରାଜ୍ୟର ପଶ୍ଚିମ ଭାଗରେ ଭୀଷଣ ଗ୍ରୀଷ୍ମ ଅନୁଭୂତ ହୋଇଛି। ବାଡମେରରେ ସର୍ବାଧିକ ତାପମାତ୍ରା ୪୪ ଡିଗ୍ରି ସେଲସିୟସ୍ ରେକର୍ଡ କରାଯାଇଥିବା ବେଳେ ସ୍ୱଭାବିକରୁ ୫ ଡିଗ୍ରି ଅଧିକ ବୋଲି କୁହାଯାଇଛି। ଏହା ଚେତାବନୀ ଯେ ଆଗାମୀ ଦିନରେ ଆହୁରି ଅଧିକ ଗରମ ହୋଇପାରେ। ରାଜ୍ୟର ଅନେକ ଅଞ୍ଚଳରେ ଏବେ ଖରା ଟାଣ ହୋଇଥିବା ବେଳେ ଦି ପହର ବେଳକୁ ଲୁ ବହିବା ଆରମ୍ଭ ହୋଇ ଯାଉଛି। 

ପାଣିପାଗ ବିଜ୍ଞାନ ବିଭାଗ ପୂର୍ବାନୁମାନ ଅନୁସାରେ ଆଗାମୀ ୪-୫ଦିନ ପାଗ ମୁଖ୍ୟତଃ ସୁଖିଲା ରହିବ ଓ ତାପମାତ୍ରାରେ ଆହୁରି ୪ରୁ ୫ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ହେବ। ଖାସ କରି ପଶ୍ଚିମ ରାଜସ୍ଥାନର ସୀମାବର୍ତ୍ତି ବାଡମେର, ଜୈସାଲମେର, ଶ୍ରୀଗଙ୍ଗାନଗର ଓ ବିକାନିରରେ ୧୫ରୁ ୧୭ ଏପ୍ରିଲ ମଧ୍ୟରେ ଅଧିକତମ ତାପମାତ୍ରା ୪୫ରୁ ୪୬ ଡିଗ୍ରି ସେଲସିୟସକୁ ପହଞ୍ଚିପାରେ। ଏହି ସବୁ ଜିଲ୍ଲାରେ ହିଟୱେଭର ପରିସ୍ଥିତି ଉପୁଜିପାରେ। ଏହି ସମୟରେ କିଛି ସ୍ଥାନରେ ଭୀଷଣ ହିଟ ୱେଭ ସାଙ୍ଗକୁ ରାତିର ତାପମାତ୍ରା ମଧ୍ୟ ବଢିପାରେ। 

ଗ୍ରୀଷ୍ମ ପ୍ରବାହରୁ ପୂର୍ବ ରାଜସ୍ଥାନ ବାଦଯିବନି। ପାଣିପାଗ ବିଭାଗ ଅନୁସାରେ ଶେଖାବଟୀ କ୍ଷେତ୍ର (ଶିକର, ଝୁନଝୁନ ଓ ଚୁରୁ), ଜୟପୁର ଓ ଭରତପୁର ସଂଭାଗର ଅନେକ ଅଞ୍ଚଳ ୧୫ରୁ ୧୮ ଏପ୍ରିଲ ମଧ୍ୟରେ ଅଧିକତମ ତାପମାତ୍ରା ୪୨ରୁ ୪୪ ଡିଗ୍ରି ସେଲସିୟସକୁ ପହଞ୍ଚି ପାରେ। ଏହି ସବୁ ଅଞ୍ଚଳରେ ମଧ୍ୟ କେଉଁଠି କେଉଁଠି ହିଟୱେଭ ଚାଲିପାରେ। ଏଣୁ ଗ୍ରୀଷ୍ମ କାଳରେ ଚାଷୀଙ୍କୁ ବିଶେଷ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି। ଅଧିକ ତାପମାତ୍ରା ଓ ଶୁଷ୍କ ପାଗ ଫସଲକୁ ପ୍ରଭାବିତ କରିପାରେ। ପଶୁ ପାଳକଙ୍କୁ ମଧ୍ୟ ସେମାନଙ୍କ ଗୃହପାଳିତ ପଶୁଙ୍କୁ ଛାଇରେ ରଖିବା ଓ ଥଣ୍ଡା ପିଇବା ପାଣି ଦେବାକୁ ପରାମର୍ଶ ଦିଆଯାଇଛି।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.