ତୃତୀୟ ଦିନରେ ଖୋଳତାଡ଼ : କ୍ରାଇମ୍‌ ସ୍ପଟ୍‌କୁ ଯାଇପାରେ କ୍ରାଇମବ୍ରାଞ୍ଚ ଟିମ୍, ଗୋପାଳ ଦାସଙ୍କ ବିଷୟରେ ପଚାରି ବୁଝିବା ସୂଚନା

Published By : Prameya-News7 Bureau | March 20, 2025 IST

ଝାରସୁଗୁଡ଼ା ୨୦।୩: ପୂର୍ବତନ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ଼ ମାମଲାରେ କ୍ରାଇମବ୍ରାଞ୍ଚ ଟିମ୍ ତୃତୀୟ ଦିନରେ ତଦନ୍ତ ଜାରି ରଖିଛି । ମଙ୍ଗଳବାର ଠାରୁ ଝାରସୁଗୁଡ଼ାରେ ପହଞ୍ଚିଛନ୍ତି ଦୁଇ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍ । ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ କରି ନବଙ୍କ ପରିବାର ସଦସ୍ୟ, ବିମାନବନ୍ଦର କର୍ତ୍ତୃପକ୍ଷ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବୟାନ ରେକର୍ଡ କରିଛି । 

ଗୁରୁବାର ତୃତୀୟ ଦିନରେ ନବ ଦାସଙ୍କୁ ଗୁଳି କରାଯାଇଥିବା ସ୍ଥାନ ବ୍ରଜରାଜନଗରର ଗାନ୍ଧିଛକ ଯାଇ ସେଠାରେ ତଦନ୍ତ କରିବ ବୋଲି ସୂଚନା ମିଳିଛି । ଏହାସହ ଅଭିଯୁକ୍ତ ଗୋପାଳ ଦାସଙ୍କ ବିଷୟରେ ବୁଝିବାକୁ ଗାନ୍ଧିଛକ ଫାଣ୍ଡିକୁ ମଧ୍ୟ କ୍ରାଇମ୍‌ବ୍ରାଞ୍ଚ ଟିମ୍ ଯିବ ବୋଲି ସୂଚନା ରହିଛି ।

ସେପଟେ ନବ ଦାସଙ୍କ ମୃତ୍ୟୁ ସମ୍ପର୍କରେ ଉଚିତ ତଦନ୍ତ କରାଯାଇ ପ୍ରକୃତ ଦୋଷୀକୁ ଆଇନ ଅନୁଯାୟୀ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭରସା ଦେଇଛନ୍ତି । ବୁଧବାର ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ନବ ଦାସଙ୍କ ପରିବାର ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ । ସ୍ୱର୍ଗତ ଦାସଙ୍କ ପତ୍ନୀ ମୀନତି ଦାସ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ତାଙ୍କ ସ୍ୱାମୀଙ୍କ ମୃତ୍ୟୁର ତଦନ୍ତ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଆଲୋଚନା ସମୟରେ ତାଙ୍କ ଝିଅ ତଥା ପୂର୍ବତନ ବିଧାୟିକା ଦୀପାଳି ଦାସ ଓ ପୁଅ ବିଶାଲ ଦାସ ମଧ୍ୟ ଉପସ୍ଥିତ ଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଯେଉଁଭଳି ଭାବେ ଏହି ଘଟଣା ଘଟିଲା ତାହା ଅତ୍ୟନ୍ତ ଦୁଃଖଦ ଓ ନିନ୍ଦନୀୟ । ଏହି ଘଟଣାରେ ସରକାର ସବୁ ଦିଗକୁ ପୁଣି ଥରେ ତନ୍ନ ତନ୍ନ କରି ପରୀକ୍ଷା କରିବେ ଏବଂ ପ୍ରକୃତ ଦୋଷୀକୁ ଖୋଜି ବାହାର କରିବେ । ଆଇନର ମର୍ଯ୍ୟାଦା ମଧ୍ୟରେ ଦୋଷୀ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଭରସା ଦେଇଥିଲେ ।

ମୀନତି ଦାସଙ୍କୁ ତଦନ୍ତକାରୀ ସଂସ୍ଥାକୁ ସହଯୋଗ କରିବାକୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସେ ଯେକୌଣସି ସମୟରେ ତାଙ୍କୁ ବ୍ୟକ୍ତିଗତ ଭାବେ ଏ ସମ୍ପର୍କରେ ଅବଗତ କରାଇପାରିବେ । ସେ ନିଜେ ଓ ତାଙ୍କ ସରକାର ନ୍ୟାୟ ସପକ୍ଷରେ ଅଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ବ୍ୟକ୍ତିଗତ ଭାବେ ଭେଟି ଏହି ଆଲୋଚନା କରିଥିବାରୁ ଏବଂ ନ୍ୟାୟ ମିଳିବାର ଭରସା ଦେଇଥିବାରୁ ମିନତୀ ଦାସ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ ।

You Can Read:

ନାରୀ ନିର୍ଯାତନା ପ୍ରସଙ୍ଗରେ ହ୍ୱିସିଲ୍ ବଜାଇ ପ୍ରତିବାଦ, ପ୍ଲାକାର୍ଡ ଧରି କଂଗ୍ରେସର ପ୍ରତିବାଦ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.