ଏବର୍ଷ କନ୍ଦାଇବନି ପିଆଜ, ସରକାର କିଣିଛନ୍ତି ୭୧,୦୦୦ ଟନର ବଫର ଷ୍ଟକ୍

Published By : Prameya-News7 Bureau | June 22, 2024 IST

ନୂଆଦିଲ୍ଲୀ ୨୨।୬: ସରକାର ଚଳିତବର୍ଷ ଏପର୍ଯ୍ୟନ୍ତ ବଫର ଷ୍ଟକ୍ ଲାଗି ୭୧ହଜାର ଟନ ପିଆଜ କ୍ରୟ କରିଛନ୍ତି। ସରକାର ପିଆଜ ଦରକୁ ନିୟନ୍ତ୍ରଣରେ ରଖିବା ପାଇଁ ୫ଲକ୍ଷ ଟନ ପିଆଜ କିଣିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଏବେ କିଣାଯାଇଥିବା ପିଆଜ ଏହାର ଏକ ଅଂଶ ମାତ୍ର। ଚଳିତବର୍ଷ ଭଲ ମୌସୁମୀ ଯୋଗୁ ବଜାର ଦର ନିୟନ୍ତ୍ରିତ ହେବ ବୋଲି ସରକାର ଆଶା ରଖିଛନ୍ତି। ଉପଭୋକ୍ତା ବିଭାଗଙ୍କ ତଥ୍ୟ ଅନୁସାରେ ସାରା ଦେଶରେ ପିଆଜର ହାରାହାରି ଖୁଚୁରା ମୂଲ୍ୟ କେଜି ପିଛା ୩୮.୬୭ ପଇସା ରହିଛି। 

ଖାଉଟି ବ୍ୟାପାର ବିଭାଗଙ୍କ ଅଧିକାରୀଙ୍କ ଅନୁସାରେ ଜୁନ ୨୦ ତାରିଖ ସୁଦ୍ଧା କେନ୍ଦ୍ର ସରକାର ୭୦,୯୮୭ ଟନ ପିଆଜ କ୍ରୟ କରିଛନ୍ତି। ତେବେ ଗତବର୍ଷ ଏହି ଅବଧିରେ ସରକାର ୭୪,୦୭୧ ଟନ ପିଆଜ କିଣିଥିଲେ। ଅଧିକାରୀ କହିଛନ୍ତି ଯେ ଚଳିତବର୍ଷ ପିଆଜ ଦରକୁ ନିୟନ୍ତ୍ରିତ ରଖିବା ପାଇଁ ପିଆଜ କିଣା ଗତ ଗତବର୍ଷ ସହ ସମାନ ରଖିଛନ୍ତି। ତେବେ ରବି ଉତ୍ପାଦନରେ ପାଖାପାଖି ୨୦ ପ୍ରତିଶତ ହ୍ରାସ ହୋଇଛି। 

ବରିଷ୍ଠ ଅଧିକାରୀଙ୍କ ଅନୁସାରେ ପିଆଜ ଦର ସ୍ଥିର ରଖିବା ପାଇଁ ସରକାର ବଫର ଷ୍ଟକରେ ପିଆଜ ରଖିପାରନ୍ତି ବା ଜାରି କରିପାରନ୍ତି। ଏହା ସତ୍ତ୍ୱେ ପିଆଜ ଦରରେ ହୋଇଥିବା ବୃଦ୍ଧି ପାଇଁ ଅଧିକାରୀ ଉତ୍ପାଦକ ରାଜ୍ୟରେ ବର୍ଷା ଅଭାବକୁ ଦାୟି କରିଛନ୍ତି। ସ୍ୱଳ୍ପ ବୃଷ୍ଟିପାତ ଲାଗି ଗତ ରବି ଋତୁରେ ୨୦ ପ୍ରତିଶତ କମ ପିଆଜ ଉତ୍ପାଦନ ହେବା ବଜାରରେ ଦରବୃଦ୍ଧିର କାରଣ ବୋଲି ସେ କହିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.